ଧର୍ମଶାଳା,୧୭।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ କୋତପୁର ପଞ୍ଚାୟତ ମୁରତପୁର ଗାଁର ମାନସ ଦଳାଇ ଦୀର୍ଘଦିନ ହେବ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ତ ଥିବା ଖବର ଧରିତ୍ରୀରେ ପ୍ରକାଶ ପାଇଥିଲା। ପରେ ଏହି ଖବର ପ୍ରକାଶ ପାଇବା ପରେ ଶନିବାର ଅସହାୟ ମାନସଙ୍କ ପାଖେ ପହଞ୍ଚିଥିଲା ଅଂଶୁମାନ ଟ୍ରଷ୍ଟ। ଟ୍ରଷ୍ଟ ପକ୍ଷରୁ ୧୦ହଜାର ଟଙ୍କାର ସହାୟତା ତାଙ୍କୁ ପ୍ରଦାନ କରାଯାଇଛି। ଆଗାମୀ ଦିନରେ ମେଡିକାଲ ଯିବା ଆସିବା ଓ ପରିବାରକୁ ସହାୟତା ଦିଆଯିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି।
ମାନସ ଅର୍ଥ ଅଭାବରୁ ଜୀବନ ସହ ସଂଗ୍ରାମ କରୁଛନ୍ତି। ଘରେ ସ୍ତ୍ରୀ ଓ ଚାରି ଝିଅ। ବଡ଼ ଝିଅକୁ ୯ବର୍ଷ ହୋଇଥିବା ବେଳେ ସାନକୁ ମାତ୍ର ୫ ବର୍ଷ । ମାନସ ଦିନ ମଜୁରିଆ ଭାବେ କାମ କରନ୍ତି ବାର ଦେଖି ମାଛ ବିକ୍ରି କରନ୍ତି ତ ଆଉ ଅନ୍ୟ ଦିନେ ଶ୍ରମିକ ଭାବେ କାମ କରନ୍ତି। ଦିନକୁ ଦୁଇ ଶହରୁ ତିନି ଶହ ରୋଜଗାର କରି ଘର ଚଳନ୍ତି । ସ୍ତ୍ରୀ ଓ ପରିବାରକୁ ନେଇ ହସଖୁସିରେ ଚାଲିଥିଲା ଅଭାବୀ ସଂସାର । ପିଲାଙ୍କ ପାଠ ପଢା ବହି ଖାତା କିଣିବା ଠାରୁ ଆରମ୍ଭ କରି ନିତିଦିନିଆ ଖର୍ଚ୍ଚ କରୁଥିଲେ ମାନସ। ହେଲେ ତାଙ୍କ ଉପରେ ଛିଡିପଡିଲା ଦୁଃଖର ପାହାଡ। ପ୍ରଥମେ ତାଙ୍କ ଗୋଡ଼ ଫୁଲିବା ଆରମ୍ଭ ହୋଇଥିଲା । ସେ ଡାକ୍ତର ପାଖକୁ ଯାଇ ଜାଣିବାକୁ ପାଇଥିଲେ ଯେ, ସେ କିଡନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କର ଦୁଇଟି କିଡନୀ ନଷ୍ଟ ହୋଇ ଯାଇଛି। ପରେ ଦୁଃଖର କଳା ଅନ୍ଧାର ଘୋଟି ଯାଇଥିଲା ମାନସଙ୍କ ପରିବାର ଉପରେ , ଗତ ଚାରି ମାସ ହେଲା ବିଛଣାରେ ପଡି ଛଟପଟ ହେଉଥିବା ବେଳେ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ତାଙ୍କର ଚିକିତ୍ସା ପଛରେ ସବୁ ସର୍ବସ୍ବାନ୍ତ ହୋଇଗଲାଣି। ଜମି ବିକ୍ରି କରିବା ସହ ଘରେ ଯାହା ଥିଲା, ସବୁ ବିକି ଭାଙ୍ଗି ଚିକିତ୍ସା ସରିଲାଣି ହେଲେ ରୋଗ ଭଲ ହେଉନି ।