ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧର୍ମ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୪ତାରିଖରୁ ଆରମ୍ଭ ହେବ। ୨୦୨୬ ଜାନୁୟାରୀ ୩ ଯାଏ ଏହି ମହୋତ୍ସବ ଚାଲିବ। ଏହି ଏହି ୧୧ଦିନ ଅବଧିରେ ବରଗଡ଼ ସହର ମଥୁରାନଗରୀ ଏବଂ ଅମ୍ୱାପାଲି ଗୋପପୁର ପାଲଟିବ। ମଝିରେ ବହି ଯାଇଥିବା ଜୀରାନଦୀ ଯମୁନା ହେବ । ଏହି ମହୋତ୍ସବରେ ଲକ୍ଷାଧୂକଙ୍କ ଭିଡ଼ ହୋଇଥାଏ।
ମହୋତ୍ସବରେ ସମସ୍ତ ଦର୍ଶକ ମଧ୍ୟ କିଏ ଗୋପବାସୀ ତ ଆଉକେହି ମଥୁରାବାସୀଭାବେ ଜଣେ ଜଣେ କଳାକାର ପାଲଟି ଯାଆନ୍ତି। ତେବେ ଏହାରି ଭିତରେ କଳାକାର ଏବଂ ଦର୍ଶକଙ୍କ ପାଇଁ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ଏକ ବିହିତ ପଦକ୍ଷେପ ନିଆଯାଇଛି। ମହୋତ୍ସବର ୧୧ଦିନ ଯାଏ କଳାକାର ଏବଂ ଦର୍ଶକଙ୍କୁ ବୀମାଭୁକ୍ତ କରାଯିବା ଭଳି ପଦକ୍ଷେପ ସମିତି ହାତକୁ ନେଇଛି। ଏହି କ୍ରମରେ ଉକ୍ତ ମହୋତ୍ସବ ଅବଧି ମଧ୍ୟରେ ମଥୁରାନଗରୀ କିମ୍ୱା ଗୋପପୁରରେ କୌଣସି କଳାକାର କିମ୍ୱା ଦର୍ଶକଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ହେଲେ ୭ଲକ୍ଷ ୫୦ହଜାର ଟଙ୍କା ବୀମା ସହାୟତାର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ଧନୁଯାତ୍ରା ମହୋତ୍ସବ ସମିତିର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।