ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ ଧାନମଣ୍ଡି ଜିଲାପାଳ ହେମକାନ୍ତ ସୟଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଜିଲା ମୁଖ୍ୟ ଖାଦ୍ୟ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ପଣ୍ଡା, ଜିଲା ମୁଖ୍ୟ କୃଷି ଅଧିକାରୀ ଲୋକନାଥ ମିଶ୍ର, ଇନ୍ସପେକ୍ଟର ଅଜିତ କୁମାର ବିଶ୍ବାଳ, ଉପ ନିବନ୍ଧକ ଅଶୋକ କୁମାର ପାଣି, ସହକାରୀ ନିବନ୍ଧକ ତୁଷାରକାନ୍ତି ମହାନ୍ତି, ଚିତ୍ରଡ଼ା ଲ୍ୟାମ୍ପ୍ସ ଏମ୍ଡି ବୀରପ୍ରସାଦ ଶମ୍ଭୁନାରାୟଣ ରାଠୋର, ତହସିଲଦାର ବିଦ୍ୟାଧର ଦଣ୍ଡପାଟ, ମାର୍କେଟିଂ ଇନ୍ସପେକ୍ଟର ପ୍ରବୀର ପାତ୍ର ଏବଂ ବ୍ଲକ୍ ଅଧ୍ୟକ୍ଷ ପୀଥନାଥ ସୋରେନ ଯୋଗ ଦେଇଥିଲେ। ପ୍ରଥମେ ପୂଜାର୍ଚ୍ଚନା କରାଯାଇ ଜିଲାପାଳ ସୟ ଫିତାକାଟି ମଣ୍ଡିକୁ ଉଦ୍ଘାଟନ କରିଥିଲେ। ଚଳିତବର୍ଷ ଧାନ କିଣାରେ ସ୍ବଚ୍ଛତା ଆଣିବା ପାଇଁ ମଡେଲ୍ ଲ୍ୟାମ୍ପ୍ସ କରାଯାଇ ସମସ୍ତ ସ୍ଥାନରେ ସିସିଟିଭି ଲଗାଯାଇଥିବାବେଳେ ତଦାରଖ ପାଇଁ ନୋଡାଲ ଅଫିସର ଭାବେ ଅତିରିକ୍ତ ଜିଲାପାଳ ଏବଂ ଉପଜିଲାପାଳ ଦାୟିତ୍ୱରେ ଅଛନ୍ତି ବୋଲି ଜିଲାପାଳ ସୟ କହିଥିଲେ। ପ୍ରଥମ ଦିନ ଚିତ୍ରଡ଼ା ଲ୍ୟାମ୍ପ୍ସ ମଣ୍ଡିରେ ଚାଷୀ ଚିତ୍ତରଞ୍ଜନ ମହାନ୍ତଙ୍କଠାରୁ ୭୫ କୁଇଣ୍ଟାଲ ଏବଂ ନଳିନିକାନ୍ତ ମହାନ୍ତଙ୍କଠାରୁ ୭୪ କୁଇଣ୍ଟାଲ ଧାନ କିଣା ଯାଇଥିଲା।