ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଟଳିପଡ଼ିଲେ ଭକ୍ତ: ମହାପ୍ରଭୁଙ୍କ ଦର୍ଶନ ହେଲା…

ପୁରୀ,୨୯ା୧(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତଙ୍କର ଉତ୍ତରଦ୍ୱାର ନିକଟ ପରିକ୍ରମା ମାର୍ଗରେ ମୃତ୍ୟୁ ଘଟିଛି। ଶ୍ରୀଜଗନ୍ନାଥଙ୍କ ଦର୍ଶନ ତାଙ୍କ ନିମନ୍ତେ ଶେଷ ଦର୍ଶନ ପାଲଟିଛି। ମୃତ ଭକ୍ତ ଜଣକ ହେଲେ ଅଗରତାଲା ନର୍ଥ ତ୍ରିପୁରାର ୭୨ ବର୍ଷୀୟ ଅମିତ ରଞ୍ଜନ କର। ସୂଚନା ଅନୁଯାୟୀ, ଅମିତ ତାଙ୍କ ପରିବାରବର୍ଗଙ୍କ ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଇଥିଲେ। ସେ ଚତୁର୍ଦ୍ଧାବିଗ୍ରହ ଏବଂ ପାର୍ଶ୍ୱଦେବଦେବୀଙ୍କ ଦର୍ଶନ କରିସାରି ଶ୍ରୀମନ୍ଦିରରୁୁ ଫେରିବା ପରେ ଉତ୍ତରଦ୍ୱାର ନିକଟ ପରିକ୍ରମା ମାର୍ଗରେ ବସିଥିଲେ। ହଠାତ୍‌ ସେଠାରେ ଅସୁସ୍ଥ ଅନୁଭବ କରିବା ସହ ଟଳିପଡ଼ିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଫଳରେ ତାଙ୍କ ପରିବାର ବର୍ଗଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଏନେଇ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଦକ୍ଷେପ ନିଆଯାଇଛି।

Dharitri – Odisha’s No.1 Odia Daily