ପର୍ଯ୍ୟଟନ ମାନ୍ୟତାରେ ସୀମିତ ଶୈବପୀଠର ବିକାଶ

ବରଗଡ଼,୧୩।୭(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଅଷ୍ଟଶମ୍ଭୁ ପୀଠ ମଧ୍ୟରେ ବରଗଡ଼ ବ୍ଲକ ଗାଇସୀମାର ବରାଡ଼ ବାଲୁଙ୍କେଶ୍ୱର ମନ୍ଦିର ଅନ୍ୟତମ। ଏହି ଶୈବାଳୟକୁ ଗତ ୨୦୦୮ ମସିହାରୁ ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଛନ୍ତି। ମାତ୍ର ପର୍ଯ୍ୟଟନସ୍ଥଳୀ ମାନ୍ୟତାରେ ହିଁ ଉକ୍ତ ଶୈବାଳୟର ବିକାଶ ସୀମିତ ରହିଛି। ଏଠାକୁ ଯୋଗାଯୋଗ ବ୍ୟବସ୍ଥା ସେତେ ଉନ୍ନତ ନ ଥିବାବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ଅନୁପାତରେ ରହଣି ବ୍ୟବସ୍ଥା ମଧ୍ୟ ନାହିଁ। ସେହିପରି ଶୈବାଳୟ ସମ୍ମୁଖରେ ରହିଥିବା ଜଳାଶୟ(ବନ୍ଧ)ର ରକ୍ଷଣାବେକ୍ଷଣ ଏବଂ ଜଳାଶୟ ହିଡ଼ ପାର୍ଶ୍ୱସ୍ଥ ଗଛରେ ରହୁଥିବା ବାଦୁଡ଼ିଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସେଭଳି କିଛି ଠୋସ୍‌ ପଦକ୍ଷେପ ନିଆଯାଉ ନାହିଁ। ଅନ୍ୟପଟେ ସ୍ଥାନୀୟ ଗ୍ରାମବାସୀ ଶ୍ରମଦାନ କରି ବିଭିନ୍ନ ସମୟରେ ଜଳାଶୟର ପୁନରୁଦ୍ଧାର ସହିତ ଶୈବାଳୟର ରକ୍ଷଣାବେକ୍ଷଣ କରି ଆସୁଛନ୍ତି। ତେବେ ଏଭଳି ଏକ ଶୈବାଳୟର ବିକାଶ ତଥା ସୌନ୍ଦର୍ଯ୍ୟକରଣ ପ୍ରତି ପର୍ଯ୍ୟଟନ ବିଭାଗ ଆଖିବୁଜି ଦେବା ଘଟଣାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି।
ବରଗଡ଼ ସହରଠାରୁ ପ୍ରାୟ ୮କି.ମି. ଦୂରରେ ରହିଛି ଏହି ଶୈବପୀଠ। ସହରରୁ ସ୍ଥାନୀୟ ପଞ୍ଚାୟତ କଲେଜ, ରୁହୁନିଆଁ, ଧାଙ୍ଗେର ଦେଇ ଗୋଟିଏ ପଟେ ଏଠାକୁ ରାସ୍ତା ଥିବାବେଳେ ଅନ୍ୟପଟେ ବରଗଡ଼-ଭେଡ଼େନ ରାସ୍ତା ଦେଇ ମଧ୍ୟ ମନ୍ଦିରକୁ ସଡ଼କ ପଥ ରହିଛି। କିମ୍ବଦନ୍ତୀ ଅନୁସାରେ ୧୭୨୫ ଖ୍ରୀଷ୍ଟାବ୍ଦରେ ସମ୍ବଲପୁର ରାଜା ଅଜିତ ସିଂ ଏବଂ ତାଙ୍କ ପୁତ୍ର ଅଭୟ ସିଂଙ୍କ ଦ୍ୱାରା ଏହି ଶୈବପୀଠ ନିର୍ମିତ ହୋଇଥିଲା। ଏଠାରେ ଶ୍ରାବଣ ମାସ ତମାମ ଶ୍ରଦ୍ଧାଳୁଙ୍କ ଭିଡ଼ ଜମି ରହେ। ଶ୍ରାବଣ ମାସର ପ୍ରତି ସୋମବାରରେ ବହୁସଂଖ୍ୟକ ବୋଲବମ୍‌ ଭକ୍ତଙ୍କ ଭିଡ଼ ଜମିଥାଏ। ଓଡ଼ିଶାର ବିଭିନ୍ନ ଜିଲା ସମେତ ପଡ଼ୋଶୀ ଛତିଶଗଡ଼ ରାଜ୍ୟର ଶ୍ରଦ୍ଧାଳୁମାନେ ମଧ୍ୟ ବାବା ବରାଡ଼ ବାଲୁଙ୍କେଶ୍ୱରଙ୍କୁ ଦର୍ଶନ ପାଇଁ ଧାଇଁ ଆସିଥାନ୍ତି। ସେହିପରି ବର୍ଷର ବିଭିନ୍ନ ସମୟରେ ଏଠାରେ ଜଳାଭିଷେକ, ରୁଦ୍ରାଭିଷେକ ହେଉଥିବାବେଳେ ମହାଶିବରାତ୍ରି ବହୁ ଜାକଜମକ୍‌ରେ ପାଳିତ ହୁଏ ଏବଂ ଶ୍ରଦ୍ଧାଳୁଙ୍କ ନାହିଁ ନ ଥିବା ଭିଡ଼ ଜମିଥାଏ। ହେଲେ ପ୍ରଶାସନ ଏବଂ ପର୍ଯ୍ୟଟନ ବିଭାଗର ଇଚ୍ଛାଶକ୍ତି ଅଭାବରୁ ଉକ୍ତ ଶୈବାଳୟର ଆଶାନୁରୂପ ବିକାଶ କିମ୍ବା ସୌନ୍ଦର୍ଯ୍ୟକରଣ ହୋଇପାରି ନାହିଁ।

ଏମାନେ ଯାହା କୁହନ୍ତି…

ମାନ୍ୟତା ଦେଇ ସରକାର ଚୁପ୍‌
ଆମ ଗ୍ରାମର ଶୈବପୀଠ ସର୍ବପୁରାତନ। ସବୁଦିନ ଏଠାକୁ ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଆସୁଛନ୍ତି। ଶ୍ରାବଣ ମାସରେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥାଏ। ତେବେ ଶୈବପୀଠର ଯେଭଳି ବିକାଶ ହେବା କଥା, ତାହା ଏପର୍ଯ୍ୟନ୍ତ ହୋଇପାରି ନାହିଁ। ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇ ସରକାର ଚୁପ୍‌ ବସିଛନ୍ତି। ଏଠାକୁ ଆସିବାକୁ ଏବେ ସୁଦ୍ଧା ଭଲ ରାସ୍ତାଟିଏ ନାହିଁ। କିଛିମାସ ହେଲା ଲକ୍ଷ୍ମୀ ବସ୍‌ ଯାତାୟାତ କରୁଛି। କିନ୍ତୁ ଏଠାକୁ ଭକ୍ତଙ୍କ ଆସିବା ପାଇଁ ସ୍ବତନ୍ତ୍ର ଗାଡ଼ି ଚଳାଚଳ ବ୍ୟବସ୍ଥା ମଧ୍ୟ ନାହିଁ। ଫଳରେ ଅନେକ ସମୟରେ ଭକ୍ତଙ୍କୁ ହଟହଟା ହେବାକୁ ପଡ଼ିଥାଏ। ଏହି ସବୁ ସମସ୍ୟା ସରକାରୀ କଳକୁ ଅଜଣା ଅଛପା ନୁହେଁ। ଏହାସତ୍ତ୍ୱେ ଶୈବପୀଠର ବିକାଶ ତଥା ସୌନ୍ଦର୍ଯ୍ୟକରଣ ଦିଗରେ ସରକାରୀ ସ୍ତରରେ କିଛି ପଦକ୍ଷେପ ନିଆ ନ ଯିବା ବିଡ଼ମ୍ବନାର ବିଷୟ।
– ନିରଞ୍ଜନ ପ୍ରଧାନ, ଗ୍ରାମବାସୀ, ଗାଇସୀମା
ଆଖି ବୁଜିଛି ପର୍ଯ୍ୟଟନ ବିଭାଗ
ଅନ୍ୟ ମନ୍ଦିରଗୁଡ଼ିକର ଯେଭଳି ଉନ୍ନତୀକରଣ କରାଯାଉଛି, ବହୁପୁରାତନ ଗାଇସୀମା ଶୈବପୀଠରେ ତାହା ପରିଲକ୍ଷିତ ହେଉ ନାହିଁ। ଗମନାଗମନ, ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଶ୍ରଦ୍ଧାଳୁଙ୍କ ରହଣି କିମ୍ବା ମନ୍ଦିର ପାର୍ଶ୍ୱରେ ଦୋକାନ, ବଜାର ପାଇଁ ବ୍ୟବସ୍ଥା ନାହିଁ। ଅବହେଳିତ ଅବସ୍ଥାରେ ପାର୍କଟିଏ ପଡ଼ି ରହିଛି। ସେହିପରି ବାଦୁଡ଼ିଙ୍କ ସୁରକ୍ଷା ପାଇଁ କିଛି ପଦକ୍ଷେପ ନିଆଯାଉ ନାହିଁ। ଆଗରୁ ହଜାର ହଜାର ବାଦୁଡ଼ି ଦିଶୁଥିଲେ। କିନ୍ତୁ ସୁରକ୍ଷା ଅଭାବରୁ ସେମାନଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ହ୍ରାସ ପାଇବାରେ ଲାଗିଛି। କେବଳ କାଗଜ, କଲମରେ ପର୍ଯ୍ୟଟନସ୍ଥଳୀ ମାନ୍ୟତା ସୀମିତ ରହି ଯାଇଛି।
– ରାମ ନାରାୟଣ ଭୋଇ, ଗ୍ରାମବାସୀ, ଧାଙ୍ଗେର
ପଞ୍ଚାୟତ ପକ୍ଷରୁ ଗୁରୁତ୍ୱ ଦେଉଛୁ
ଶୈବପୀଠର ବିକାଶ ଏବଂ ସୌନ୍ଦର୍ଯ୍ୟକରଣ ଉପରେ ପଞ୍ଚାୟତ ପକ୍ଷରୁ ଯଥାସମ୍ଭବ ପଦକ୍ଷେପ ନେଉଛୁ। ବିଭିନ୍ନ ସମୟରେ ପଞ୍ଚାୟତ ପକ୍ଷରୁ ବିକାଶମୂଳକ କାମ କରାଯାଉଛି। ଏକ ପାର୍କ କରାଯାଇଛି, ମାତ୍ର ତା’ର ବିକାଶର ଆହୁରି ଆବଶ୍ୟକତା ରହିଛି। ଗ୍ରାମବାସୀ ଶ୍ରମଦାନ କରି ଜଳାଶୟର କିଛି ପାର୍ଶ୍ୱରେ ପଥର ପ୍ୟାକିଂ କରିଛନ୍ତି। ତେବେ ମନ୍ଦିର ବିକାଶ ପାଇଁ ସରକାର କିମ୍ବା ପର୍ଯ୍ୟଟନ ବିଭାଗ ପକ୍ଷରୁ ସେଭଳି କିଛି ଅନୁଦାନ ପହଞ୍ଚି ନାହିଁ। ଜିଲାପାଳ ଏବଂ ବିଧାୟକ ମନ୍ଦିର ପରିଦର୍ଶନ କରି ଯାଇଛନ୍ତି। ଆଗକୁ ଉକ୍ତ ଶୈବାଳୟର ବିକାଶ ବହୁଗୁଣିତ ହେବ ବୋଲି ଆଶା ରହିଛି।
– ଧୀରେନ ମହାପାତ୍ର, ସରପଞ୍ଚ, ଗାଇସୀମା

Share