ପର୍ଯ୍ୟଟନ ମାନ୍ୟତାରେ ସୀମିତ ଶୈବପୀଠର ବିକାଶ

ବରଗଡ଼,୧୩।୭(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଅଷ୍ଟଶମ୍ଭୁ ପୀଠ ମଧ୍ୟରେ ବରଗଡ଼ ବ୍ଲକ ଗାଇସୀମାର ବରାଡ଼ ବାଲୁଙ୍କେଶ୍ୱର ମନ୍ଦିର ଅନ୍ୟତମ। ଏହି ଶୈବାଳୟକୁ ଗତ ୨୦୦୮ ମସିହାରୁ ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଛନ୍ତି। ମାତ୍ର ପର୍ଯ୍ୟଟନସ୍ଥଳୀ ମାନ୍ୟତାରେ ହିଁ ଉକ୍ତ ଶୈବାଳୟର ବିକାଶ ସୀମିତ ରହିଛି। ଏଠାକୁ ଯୋଗାଯୋଗ ବ୍ୟବସ୍ଥା ସେତେ ଉନ୍ନତ ନ ଥିବାବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ଅନୁପାତରେ ରହଣି ବ୍ୟବସ୍ଥା ମଧ୍ୟ ନାହିଁ। ସେହିପରି ଶୈବାଳୟ ସମ୍ମୁଖରେ ରହିଥିବା ଜଳାଶୟ(ବନ୍ଧ)ର ରକ୍ଷଣାବେକ୍ଷଣ ଏବଂ ଜଳାଶୟ ହିଡ଼ ପାର୍ଶ୍ୱସ୍ଥ ଗଛରେ ରହୁଥିବା ବାଦୁଡ଼ିଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସେଭଳି କିଛି ଠୋସ୍‌ ପଦକ୍ଷେପ ନିଆଯାଉ ନାହିଁ। ଅନ୍ୟପଟେ ସ୍ଥାନୀୟ ଗ୍ରାମବାସୀ ଶ୍ରମଦାନ କରି ବିଭିନ୍ନ ସମୟରେ ଜଳାଶୟର ପୁନରୁଦ୍ଧାର ସହିତ ଶୈବାଳୟର ରକ୍ଷଣାବେକ୍ଷଣ କରି ଆସୁଛନ୍ତି। ତେବେ ଏଭଳି ଏକ ଶୈବାଳୟର ବିକାଶ ତଥା ସୌନ୍ଦର୍ଯ୍ୟକରଣ ପ୍ରତି ପର୍ଯ୍ୟଟନ ବିଭାଗ ଆଖିବୁଜି ଦେବା ଘଟଣାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି।
ବରଗଡ଼ ସହରଠାରୁ ପ୍ରାୟ ୮କି.ମି. ଦୂରରେ ରହିଛି ଏହି ଶୈବପୀଠ। ସହରରୁ ସ୍ଥାନୀୟ ପଞ୍ଚାୟତ କଲେଜ, ରୁହୁନିଆଁ, ଧାଙ୍ଗେର ଦେଇ ଗୋଟିଏ ପଟେ ଏଠାକୁ ରାସ୍ତା ଥିବାବେଳେ ଅନ୍ୟପଟେ ବରଗଡ଼-ଭେଡ଼େନ ରାସ୍ତା ଦେଇ ମଧ୍ୟ ମନ୍ଦିରକୁ ସଡ଼କ ପଥ ରହିଛି। କିମ୍ବଦନ୍ତୀ ଅନୁସାରେ ୧୭୨୫ ଖ୍ରୀଷ୍ଟାବ୍ଦରେ ସମ୍ବଲପୁର ରାଜା ଅଜିତ ସିଂ ଏବଂ ତାଙ୍କ ପୁତ୍ର ଅଭୟ ସିଂଙ୍କ ଦ୍ୱାରା ଏହି ଶୈବପୀଠ ନିର୍ମିତ ହୋଇଥିଲା। ଏଠାରେ ଶ୍ରାବଣ ମାସ ତମାମ ଶ୍ରଦ୍ଧାଳୁଙ୍କ ଭିଡ଼ ଜମି ରହେ। ଶ୍ରାବଣ ମାସର ପ୍ରତି ସୋମବାରରେ ବହୁସଂଖ୍ୟକ ବୋଲବମ୍‌ ଭକ୍ତଙ୍କ ଭିଡ଼ ଜମିଥାଏ। ଓଡ଼ିଶାର ବିଭିନ୍ନ ଜିଲା ସମେତ ପଡ଼ୋଶୀ ଛତିଶଗଡ଼ ରାଜ୍ୟର ଶ୍ରଦ୍ଧାଳୁମାନେ ମଧ୍ୟ ବାବା ବରାଡ଼ ବାଲୁଙ୍କେଶ୍ୱରଙ୍କୁ ଦର୍ଶନ ପାଇଁ ଧାଇଁ ଆସିଥାନ୍ତି। ସେହିପରି ବର୍ଷର ବିଭିନ୍ନ ସମୟରେ ଏଠାରେ ଜଳାଭିଷେକ, ରୁଦ୍ରାଭିଷେକ ହେଉଥିବାବେଳେ ମହାଶିବରାତ୍ରି ବହୁ ଜାକଜମକ୍‌ରେ ପାଳିତ ହୁଏ ଏବଂ ଶ୍ରଦ୍ଧାଳୁଙ୍କ ନାହିଁ ନ ଥିବା ଭିଡ଼ ଜମିଥାଏ। ହେଲେ ପ୍ରଶାସନ ଏବଂ ପର୍ଯ୍ୟଟନ ବିଭାଗର ଇଚ୍ଛାଶକ୍ତି ଅଭାବରୁ ଉକ୍ତ ଶୈବାଳୟର ଆଶାନୁରୂପ ବିକାଶ କିମ୍ବା ସୌନ୍ଦର୍ଯ୍ୟକରଣ ହୋଇପାରି ନାହିଁ।

ଏମାନେ ଯାହା କୁହନ୍ତି…

ମାନ୍ୟତା ଦେଇ ସରକାର ଚୁପ୍‌
ଆମ ଗ୍ରାମର ଶୈବପୀଠ ସର୍ବପୁରାତନ। ସବୁଦିନ ଏଠାକୁ ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଆସୁଛନ୍ତି। ଶ୍ରାବଣ ମାସରେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥାଏ। ତେବେ ଶୈବପୀଠର ଯେଭଳି ବିକାଶ ହେବା କଥା, ତାହା ଏପର୍ଯ୍ୟନ୍ତ ହୋଇପାରି ନାହିଁ। ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇ ସରକାର ଚୁପ୍‌ ବସିଛନ୍ତି। ଏଠାକୁ ଆସିବାକୁ ଏବେ ସୁଦ୍ଧା ଭଲ ରାସ୍ତାଟିଏ ନାହିଁ। କିଛିମାସ ହେଲା ଲକ୍ଷ୍ମୀ ବସ୍‌ ଯାତାୟାତ କରୁଛି। କିନ୍ତୁ ଏଠାକୁ ଭକ୍ତଙ୍କ ଆସିବା ପାଇଁ ସ୍ବତନ୍ତ୍ର ଗାଡ଼ି ଚଳାଚଳ ବ୍ୟବସ୍ଥା ମଧ୍ୟ ନାହିଁ। ଫଳରେ ଅନେକ ସମୟରେ ଭକ୍ତଙ୍କୁ ହଟହଟା ହେବାକୁ ପଡ଼ିଥାଏ। ଏହି ସବୁ ସମସ୍ୟା ସରକାରୀ କଳକୁ ଅଜଣା ଅଛପା ନୁହେଁ। ଏହାସତ୍ତ୍ୱେ ଶୈବପୀଠର ବିକାଶ ତଥା ସୌନ୍ଦର୍ଯ୍ୟକରଣ ଦିଗରେ ସରକାରୀ ସ୍ତରରେ କିଛି ପଦକ୍ଷେପ ନିଆ ନ ଯିବା ବିଡ଼ମ୍ବନାର ବିଷୟ।
– ନିରଞ୍ଜନ ପ୍ରଧାନ, ଗ୍ରାମବାସୀ, ଗାଇସୀମା
ଆଖି ବୁଜିଛି ପର୍ଯ୍ୟଟନ ବିଭାଗ
ଅନ୍ୟ ମନ୍ଦିରଗୁଡ଼ିକର ଯେଭଳି ଉନ୍ନତୀକରଣ କରାଯାଉଛି, ବହୁପୁରାତନ ଗାଇସୀମା ଶୈବପୀଠରେ ତାହା ପରିଲକ୍ଷିତ ହେଉ ନାହିଁ। ଗମନାଗମନ, ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଶ୍ରଦ୍ଧାଳୁଙ୍କ ରହଣି କିମ୍ବା ମନ୍ଦିର ପାର୍ଶ୍ୱରେ ଦୋକାନ, ବଜାର ପାଇଁ ବ୍ୟବସ୍ଥା ନାହିଁ। ଅବହେଳିତ ଅବସ୍ଥାରେ ପାର୍କଟିଏ ପଡ଼ି ରହିଛି। ସେହିପରି ବାଦୁଡ଼ିଙ୍କ ସୁରକ୍ଷା ପାଇଁ କିଛି ପଦକ୍ଷେପ ନିଆଯାଉ ନାହିଁ। ଆଗରୁ ହଜାର ହଜାର ବାଦୁଡ଼ି ଦିଶୁଥିଲେ। କିନ୍ତୁ ସୁରକ୍ଷା ଅଭାବରୁ ସେମାନଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ହ୍ରାସ ପାଇବାରେ ଲାଗିଛି। କେବଳ କାଗଜ, କଲମରେ ପର୍ଯ୍ୟଟନସ୍ଥଳୀ ମାନ୍ୟତା ସୀମିତ ରହି ଯାଇଛି।
– ରାମ ନାରାୟଣ ଭୋଇ, ଗ୍ରାମବାସୀ, ଧାଙ୍ଗେର
ପଞ୍ଚାୟତ ପକ୍ଷରୁ ଗୁରୁତ୍ୱ ଦେଉଛୁ
ଶୈବପୀଠର ବିକାଶ ଏବଂ ସୌନ୍ଦର୍ଯ୍ୟକରଣ ଉପରେ ପଞ୍ଚାୟତ ପକ୍ଷରୁ ଯଥାସମ୍ଭବ ପଦକ୍ଷେପ ନେଉଛୁ। ବିଭିନ୍ନ ସମୟରେ ପଞ୍ଚାୟତ ପକ୍ଷରୁ ବିକାଶମୂଳକ କାମ କରାଯାଉଛି। ଏକ ପାର୍କ କରାଯାଇଛି, ମାତ୍ର ତା’ର ବିକାଶର ଆହୁରି ଆବଶ୍ୟକତା ରହିଛି। ଗ୍ରାମବାସୀ ଶ୍ରମଦାନ କରି ଜଳାଶୟର କିଛି ପାର୍ଶ୍ୱରେ ପଥର ପ୍ୟାକିଂ କରିଛନ୍ତି। ତେବେ ମନ୍ଦିର ବିକାଶ ପାଇଁ ସରକାର କିମ୍ବା ପର୍ଯ୍ୟଟନ ବିଭାଗ ପକ୍ଷରୁ ସେଭଳି କିଛି ଅନୁଦାନ ପହଞ୍ଚି ନାହିଁ। ଜିଲାପାଳ ଏବଂ ବିଧାୟକ ମନ୍ଦିର ପରିଦର୍ଶନ କରି ଯାଇଛନ୍ତି। ଆଗକୁ ଉକ୍ତ ଶୈବାଳୟର ବିକାଶ ବହୁଗୁଣିତ ହେବ ବୋଲି ଆଶା ରହିଛି।
– ଧୀରେନ ମହାପାତ୍ର, ସରପଞ୍ଚ, ଗାଇସୀମା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?