ଶୀତକୁ ନାହିଁ ଖାତିର, ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତର ପ୍ରକୋପ। ବିଭିନ୍ନ ସ୍ଥାନରେ ଘନକୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ଗୁରୁବାର ସକାଳେ ତାପମାତ୍ରା ରାଜ୍ୟରେ ସବୁଠାରୁ କମ୍‌ ରହିଥିବା ଜଣାପଡ଼ିଛ। ପୁଣି ଅସହ୍ୟ ଶୀତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ସେହିପରି ଘନ କୁହୁଡ଼ି ଅଚ୍ଛାଦିତ ଯୋଗୁ ଗାଡ଼ିମୋଟର ଚଳାଚଳରେ ବାଧା ସୃଷ୍ଟି ହୋଉଛି। ଉକ୍ତ ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳ ଭ୍ରମରବାଡ଼ି, ସିଆଙ୍ଗବାଲି, ପର୍ତ୍ତମାହା, ଦାନେକବାଡ଼ି, ସୋନପୁର, ସିରକାବର୍ଗ, ତାଯୁଙ୍ଗିଆ, କାଟିଙ୍ଗିଆ, ହାତୀମୁଣ୍ଡା, କୁମ୍ଭାରୀଗାଁ, ଝିଞ୍ଜିରୀଗୁଡା, ଗଦାପୁର, ଗୁମିକିଆ, ବୁଡ଼ାଗୁଡା, ବାଡାବାଙ୍ଗା, କିରିକୁଟି, ତିଲୋରୀ, ଦାସିଙ୍ଗବାଡି ଆଦି ପଞ୍ଚାୟତର ଦୁର୍ଗମ ଗ୍ରାମଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା କୁହାଯାଇଛି। ସବୁଠି ଲୋକ ମାନେ ନିଆଁ ଲଗାଇ ବସୁଥିବା ଦେଖିବାକୁ ମିଳିଛି। ଶୀତର ମଜା ନେବାକୁ ଦାରିଙ୍ଗବାଡ଼ିର ଇକୋ ରିଟ୍ରିଟ ସମେତ ପର୍ଯ୍ୟଟନକ୍ଷେତ୍ର ଗୁଡ଼ିକରେ ଭିଡ଼ ଦେଖିବାକୁ ମିଳିଛି। ବିଶେଷ କରି ଡୁଲୁରୀ ପାଇନ ବଣରେ ଭୋଜି କରି ସାଙ୍ଗସାଥୀ, ପରିବାର, ବନ୍ଧୁ ବର୍ଗ ସହ ପର୍ଯ୍ୟଟକ ମଜା ନେଉଛନ୍ତ। ଡୁଲୁରୀରେ କ୍ୟାମ୍ପ କରି ପର୍ଯ୍ୟଟକ ରାତ୍ରିଯାପନ କରି ଶୀତର ମଜା ନେଉଛନ୍ତି ପର୍ଯ୍ୟଟକ। ସେହିପରି କଫି ବଗିଚା, ହିଲଭିୟୁ ପାର୍କ, ମିଡିୟୁବାନ୍ଦା ଜଳପ୍ରପାତ, ଲଭର୍ସ ପଏଣ୍ଟ, କିଶୁବାଡ଼ି ଜଳପ୍ରପାତ, ସାଇଲେଣ୍ଟ ଭ୍ୟାଲି ସମେତ ସମସ୍ତ ପର୍ଯ୍ୟଟନକ୍ଷେତ୍ରରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

Dharitri – Odisha’s No.1 Odia Daily

Share
Tags: tourists