ଖରିଫ ଧାନକିଣାରେ ହେରଫେର: ଚାଷୀଙ୍କ ୬ କୋଟି ଟଙ୍କା ଆତ୍ମସାତ୍‌

ଖୋର୍ଦ୍ଧା ଅଫିସ,୧୫ା୯: ୨୦୨୧-୨୨ ବର୍ଷ ଲାଗି ଖରିଫ ଧାନକିଣାର ଶେଷ ଦିବସ ମାର୍ଚ୍ଚ ୩୧ତାରିଖ ରହିଥିଲା। ଏହାର ୬ଦିନ ପୂର୍ବରୁ ଅର୍ଥାତ ମାର୍ଚ୍ଚ ୨୫ରେ ପ୍ରଶାସନ ଧାନକିଣା ସାରିଦେଲା। ୧୩ ଲକ୍ଷ ୫୨ ହଜାର ୮୪୧ କୁଇଣ୍ଟାଲ ଧାନ ସଂଗ୍ରହ ଲାଗି ଲକ୍ଷ୍ୟ ରଖାଯାଇଥିଲା। ତେବେ ୧୩ ଲକ୍ଷ ୧୬ହଜାର କୁଇଣ୍ଟାଲ ଧାନ କିଣାଗଲା। ୩୬ହଜାର ୮୪୧ କୁଇଣ୍ଟାଲ ଧାନ କିଣାଯାଇପାରିଲା ନାହିଁ। ଧାନ ବିକ୍ରି ଲାଗି ଜିଲାରେ ୧୫୪ଟି ପ୍ରାଥମିକ ସେବା ସମବାୟ ସମିତି (ପ୍ୟାକ୍ସ)ରେ ୪୬ହଜାର ୭୧୯ ଚାଷୀ ପଞ୍ଜିକୃତ କରିଥିଲେ। ୩୯ହଜାର ୭୧୯ ଚାଷୀ ଧାନ ବିକ୍ରି କରିପାରିଥିବା ବେଳେ ୭ହଜାର ଚାଷୀ ଟୋକନ ଲାପ୍ସ ଯୋଗୁ ବଞ୍ଚିତ ହୋଇଥିଲେ। ଧାନକିଣାରେ ଦୁର୍ନୀତି ହୋଇଥିବା ଏବଂ ଏ ବାବଦକୁ ପ୍ରାୟ ୬କୋଟି ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଥିଲେ ବି ଏପର୍ଯ୍ୟନ୍ତ ପ୍ରଶାସନ ଚୁପ୍‌ ବସିଛି। ସରକାରୀ ଫାଇଲ ତଳେ ଅଭିଯୋଗକୁ ଚାପି ଦିଆଯାଇଛି।

ଧାନକିଣାରେ ଅବ୍ୟବସ୍ଥା, ମିଲ ମାଲିକଙ୍କ ମନମୁଖି ଯୋଗୁ ଚାଷୀ ଅଭାବୀ ବ୍ରିକିର ସମ୍ମୁଖୀନ ହୋଇଥିଲେ। ଏହାର ସୁଯୋଗରେ ଆନ୍ଧ୍ର ବେପାରୀ ଗାଁକୁ ଆସି ସରକାରୀ ଧାର୍ଯ୍ୟଦରଠାରୁ କମ୍‌ ମୂଲ୍ୟରେ ଶତାଧିକ ଟନ ଧାନ କିଣି ନେଇଥିଲେ। ଜିଲାରେ ଧାନକିଣା ବିଳମ୍ବ ହୋଇଥିଲା। ମଣ୍ଡି ସ୍ବାଭାବିକ ହେବାବେଳକୁ ଟୋକନ ଅବଧି ସରିଗଲା। ଏଥିଯୋଗୁ ସମିତି ସମ୍ପାଦକମାନେ ଧାନ କିଣିବାକୁ ମନା କରିଦେଇଥିଲେ। ଅନ୍ୟପଟେ ଧାନର ମାନ ଉପଯୁକ୍ତ ନ ଥିବା କହି କଟ୍‌ନିଛଟ୍‌ନି କରାଯାଇଥିଲା। ଅସାଧୁ କର୍ମଚାରୀ ଓ ମିଲ୍‌ ମାଲିକଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ପ୍ରାୟ ୪କୋଟି ଟଙ୍କା ଖାଇ ଗଲେ। ସେହିପରି ଝୋଟ ଅଖା ବାବଦରେ ମଧ୍ୟ ପ୍ରାୟ କୋଟିଏ ଟଙ୍କା ଚଳୁ କରିଦେଲେ। ପରିବହନ ଓ ଶ୍ରମିକଙ୍କ ବାବଦକୁ ଚାଷୀ ଜଣ ପିଛା ୩ରୁ ୪ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ଅନ୍ୟପଟେ ମିଲ୍‌ ମାଲିକମାନେ ଦଲାଲଙ୍କ ମାଧ୍ୟମରେ ଧାର୍ଯ୍ୟ ଦରଠାରୁ କମ୍‌ ମୂଲ୍ୟରେ ଧାନ କିଣି ଗୋଦାମରେ ଷ୍ଟକ ରଖିଲେ। ପୁଣି ସେହି ଧାନକୁ ନକଲି ଚାଷୀଙ୍କ ନାଁରେ ଖାତାରେ ଚଢାଇ ଲକ୍ଷାଧିକ ଟଙ୍କା ଲୁଟିଲେ। ଏବାବଦକୁ ପ୍ରାୟ ୧କୋଟି ଟଙ୍କା ଖାଇଗଲେ।

 

Share