ରାଣୀପୁର ଝରିଆଲ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

କଣ୍ଟାବାଞ୍ଜି,୧୧ା୮( ଗୁରୁ ଦୟାଲ ହଂସ): ବଲାଙ୍ଗୀର ଜିଲାରେ ଅବସ୍ଥିତ ଥିବା ଦେଶର ଅନନ୍ୟ ଯୋଗିନୀ ପୀଠ ରାଣୀପୁର ଝରିଆଲକୁ ସୋମବାର ଓଡ଼ିଶା ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଗସ୍ତ କରିଥିଲେ। ମନ୍ଦିର ଟ୍ରଷ୍ଟ କମିଟି ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପରେ ମନ୍ତ୍ରୀ ପରିଡ଼ା ସୋମେଶ୍ୱର ମହାଦେବଙ୍କ ମନ୍ଦିରରେ ପହଞ୍ଚି ଦର୍ଶନ କରିଥିଲେ।

ମୁଖ୍ୟ ପୂଜକ ଜଗମୋହନ ତ୍ରିପାଠୀ ପୂଜା କାର୍ଯ୍ୟ କରିବା ସହ ପୀଠର ସୁବିଧା ଅସୁବିଧା ବିଷୟରେ କହିଥିଲେ। ପରେ ବ୍ଲକ ପ୍ରଶାସନ ତରଫରୁ କରାଯାଇଥିବା ବୈଠକରେ ପ୍ରସ୍ତୁତ ହୋଇଥିବା ଡିପିଆର ବିଷୟରେ ଏଲଇଡି ମାଧ୍ୟମରେ ଦେଖାଇଥିଲେ ଏବଂ ୮୭ କୋଟି ୯୩ ଲକ୍ଷ ୨୮ ହଜାର ଟଙ୍କାର ପ୍ରଥମ ପର୍ଯ୍ୟାୟରେ ଘୋଷଣା କରିଥିଲେ।

ମନ୍ଦିର ଟ୍ରଷ୍ଟ କମିଟିର ଆବାହକ ଅନିଲ କୁମାର ତ୍ରିପାଠୀ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟ କମିଟିର ସଭାପତି ମାଣିକ ଚନ୍ଦ ଜୈନ, ସମ୍ପାଦକ ଖିରସିନ୍ଧୁ ଭୋଇ, ମଞ୍ଜେସ ମେହେର, ଝରିଆଲ ସରପଞ୍ଚ ଭରଦ୍ୱାଜ ଗହୀର, ସମିତି ସଭ୍ୟ ରାଜୁ ହାତୀ, ଗୋପୀନାଥ ସାହୁ, ରଶ୍ମିରଞ୍ଜନ ପୁଟେଲ, ନିତ୍ୟାନନ୍ଦ ପୃଷେଠ, ରମା ସାହୁ, ଜ୍ୟୋତି ସାହୁ, ନବଘନ ଭରାସଗ୍ରିଆ, ଯୁବରାଜ ବାଗ ପ୍ରମୁଖ ଉପସ୍ଥିତ ଥିଲେ। ଏହା ପରେ ଉପମୁଖ୍ୟମନ୍ତ୍ରୀ ପରିଡ଼ା କଣ୍ଟାବାଞ୍ଜି ଅଭିମୁଖେ ତୁରେକେଲା ଦେଇ ହରିଶଙ୍କର ଯାଇଥିଲେ। ତୁରେକେଲା ବ୍ଲକ ଭାଜପା ତରଫରୁ ଭବ୍ୟ ସ୍ବାଗତ କରାଯାଇଥିଲା। ସଦର ପଞ୍ଚାୟତ ସରପଞ୍ଚ ଜଳନ୍ଧର ମାହାଖୁଡ ଓ ସରପଞ୍ଚ ସଂଘ ମଧ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ।

Share