ଦାରିଙ୍ଗବାଡ଼ି,୧୧ା୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡି ଅଞ୍ଚଳ ଏକ ପର୍ଯ୍ୟଟନକ୍ଷେତ୍ର ଭାବେ ଦେଶ ଓ ଦେଶ ବାହାରେ ପରିଚିତ। ପୂର୍ବରୁ ଜୈବିକ ପଦ୍ଧତିରେ ଚାଷ ହୋଇଥିବା କଫି ଦାରିଙ୍ଗବାଡ଼ିକୁ ସ୍ବତନ୍ତ୍ର ପରିଚୟ ଦେଇଥିବା ବେଳେ ଜୈବିକ ଚାଷ ହଳଦୀ, ଅଦା ମାଣ୍ଡିଆ, କାଙ୍ଗୁ, କୁଏରୀ ଆଦି କ୍ଷୁଦ୍ରଦାନା ଚାଷ ଦାରିଙ୍ଗବାଡ଼ିକୁ ପରିଚୟ ଦେଇଥିଲା। ଏବେ କିନ୍ତୁ ଦାରିଙ୍ଗବାଡ଼ି ଅଞ୍ଚଳରେ ଷ୍ଟ୍ରବେରୀ ଚାଷ ମହିଳା ଚାଷୀଙ୍କୁ ଯେଉଁଭଳି ଲାଭ ଯୋଗାଇଛି ସେହିପରି ପରିଚୟ ବି ଦେଇଛି। ଉକ୍ତ ବ୍ଲକ ଶ୍ରାନିକେତା ପଞ୍ଚାୟତ ଦଣ୍ଡିମା ଗ୍ରାମରେ ଆଲୋକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଏହି ଚାଷ କରି ସଫଳ ମିଳିଛି। ମଙ୍ଗଳବାର ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରତିଭା ପରିଡ଼ା ଦାରିଙ୍ଗବାଡ଼ି ଗସ୍ତ ସମୟରେ ଉକ୍ତ ଷ୍ଟ୍ରବେରୀ ଚାଷଜମିକୁ ଯାଇ ମହିଳା ଚାଷୀଙ୍କୁ ପ୍ରଂଶସା କରିବା ସହ ଷ୍ଟ୍ରବେରୀ ଅମଳ ଓ ଲାଭ କ୍ଷତି ସମ୍ପର୍କରେ ଆଲୋଚନା କରି ସରକାର ତାଙ୍କ ସହ ରହିଛନ୍ତି ବୋଲି କହିଥିଲେ। ଏହି ଚାଷ ପାଇଁ ଯାହା ସହାୟତା ଦରକାର ତାହା ରାଜ୍ୟ ସରକାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ସେ ବାଉଁଶ ଝୁଡ଼ି ହାତରେ ଧରି ନିଜେ ଷ୍ଟ୍ରବେରୀ ତୋଳି ଥିଲେ ଓ ମହିଳାଙ୍କ ସହ ଫଟୋ ଉଠାଇ ସେମାନଙ୍କୁ ଏହି ଚାଷ କାର୍ଯ୍ୟ ପାଇଁ ଖୁବ୍ ପ୍ରଂଶସା କରିଥିଲେ।

