ଭୁବନେଶ୍ୱର,୩ା୧(ସୁନିତ୍ ମିଶ୍ର): ରାଜ୍ୟର ଉନ୍ନୟନ କମିଶନର(ଡିସି) ଭାବେ ନିଯୁକ୍ତି ପାଇଥିବା ୧୯୯୩ ବ୍ୟାଚ୍ ଆଇଏଏସ୍ ଅଫିସର ଦେଓ ରଞ୍ଜନ କୁମାର ସିଂ ଶୁକ୍ରବାର ତାଙ୍କ ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ନେବା ପରେ ଗଣମାଧ୍ୟମକୁ ଦେଓ ରଞ୍ଜନ କହିଛନ୍ତି, ସରକାର ଯେଉଁ ବଡ଼ ଦାୟିତ୍ୱ ଦେଇଛନ୍ତି, ତାହା ନିର୍ବାହନରେ ସକ୍ଷମ ହେବା ଲାଗି ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା। ତାଙ୍କ ଉପରେ ଭରସା କରି ଏହି ଦାୟିତ୍ୱ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ। ୨୦୩୬ ସୁଦ୍ଧା ଓଡ଼ିଶାକୁ ସମୃଦ୍ଧ ରାଜ୍ୟ ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଦିଗରେ ଯାହା କରାଯାଇପାରିବ, ସେଥିପାଇଁ ସେ ଚେଷ୍ଟା କରିବେ। ଭଗବାନ୍ ଓଡ଼ିଶାକୁ ସବୁ ସମ୍ପଦ ଦେଇଛନ୍ତି। ରାଜ୍ୟର ଲୋକେ ବହୁତ ପରିଶ୍ରମୀ। ଏସବୁ ସାଧନକୁ ନେଇ ଓଡ଼ିଶାର ବିକାଶ ଦିଗରେ କାର୍ଯ୍ୟ ହେବ। ବଡ଼ କଥା ହେଉଛି ରାଜ୍ୟ ସରକାରଙ୍କ ଯୋଜନାକୁ ଠିକ୍ ଭାବେ କାର୍ଯ୍ୟାନ୍ବୟନ କରିବା, ସେଥିପ୍ରତି ଧ୍ୟାନ ଦେଇ କାମ ହେବ ବୋଲି ସେ କହିଛନ୍ତି।
ସେହିପରି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ହେମନ୍ତ ଶର୍ମା ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ ସେ କହିଛନ୍ତି, ଲୋକଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ। ରାଜ୍ୟରେ ଆଇନ ବ୍ୟବସ୍ଥା ବଜାୟ ରଖିବା ଦିଗରେ କାର୍ଯ୍ୟ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପ୍ରାଥମିକତା। ଲୋକେ ଯେପରି ନିରାପଦ ଏବଂ ସୁରକ୍ଷିତ ମଣିବେ ସେ ଦିଗରେ ଗୁରୁତ୍ୱ ଦିଆଯିବ। ରାଜ୍ୟର ସବୁ ଥାନା ଏବଂ ଫାଣ୍ଡିର ଭିତ୍ତିଭୂମିକୁ ଉନ୍ନତ କରାଯିବ। ରାଜ୍ୟରେ ଖାଲିପଡ଼ିଥିବା ପୋଲିସ୍ ପଦ ପଦବୀ ପୂରଣ କରିବା ସହିତ ପୋଲିସ୍କୁ ଗ୍ରାସ୍ରୁଟ୍ ସ୍ତରରେ ମଜଭୁତ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ୧୯୯୯ ବ୍ୟାଚ୍ ଆଇଏଏସ୍ ଅଫିସର ଶୁଭା ଶର୍ମା ପ୍ରମୁଖ ସଚିବ ଭାବେ ଜଳ ସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ ବିଭାଗୀୟ ଅଧିକାରୀଙ୍କ ସହିତ ସେ ଆଲୋଚନା କରି କହିଛନ୍ତି, ଜାନୁଆରୀରେ ସମସ୍ତେ କ୍ଷେତ୍ର ପରିଦର୍ଶନ ପାଇଁ ଯୋଜନା କର। ବିଭିନ୍ନ ଯୋଜନାର ସୂକ୍ଷ୍ମସ୍ତରୀୟ ଅନୁଦାନ ଓ ପର୍ଯ୍ୟବେକ୍ଷଣ ସହ ବିଭିନ୍ନ କାର୍ଯ୍ୟକ୍ରମ ସଫଳ ଆୟୋଜନ କରିବାକୁ କହିଛନ୍ତି।
Dharitri – The Largest & Most Trusted Odia Daily