୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି ସକାଳ ସମୟରେ ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡି ଯାତାୟାତରେ ବାଧା ସୃଷ୍ଟି କରୁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଶନିବାର ରାଜ୍ୟର ୮ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ଜି. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ସେମିଳିଗୁଡା ୫.୧, ଫୁଲବାଣୀ ୫.୮, ଦାରିଙ୍ଗବାଡି ୬, ଚିପିଲିମା ୭.୬, ନବରଙ୍ଗପୁର, ଭବାନୀପାଟଣା ଏବଂ ଅନୁଗୋଳରେ ୯ ଡିଗ୍ରୀ ତାପମାତ୍ରା ରହିଥିଲା। ସେହିପରି ରାଉରକେଲାରେ ଘନ କୁହୁଡି ଏବଂ ଝାରସୁଗୁଡା, ଫୁଲବାଣୀ, ଭବାନୀପାଟଣା ଓ ବାରିପଦାରେ କୁହୁଡି ଦେଖାଦେଇଥିଲା। ତେବେ ଆସନ୍ତା ୬ରୁ ୭ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଆସନ୍ତା ୨ଦିନ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡା ଓ କନ୍ଧମାଳ ଜିଲାରେ ଘନ କୁହୁଡି ଦେଖାଦେବା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଘନ କୁହୁଡ଼ି ସମୟରେ ଦୃଶ୍ୟମାନ କ୍ଷମତା ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିବ ବୋଲି ସୂଚନା ଦିଆଯାଇଛି।

Dharitri – Odisha’s No.1 Odia Daily

Share