ଭୁବନେଶ୍ୱର,୧।୧୨: କିଛି ଦିନ ହେଲା ପାଗରେ ପରିବର୍ତ୍ତନ ଦେଖାଦେଇଛି। ବର୍ତ୍ତମାନ ରାଜ୍ୟରେ ଶୀତ ପ୍ରକୋପ ସାମାନ୍ୟ ହ୍ରାସ ପାଇଥିବା ବେଳେ ମଙ୍ଗଳବାର ଏବଂ ବୁଧବାର ସୁନ୍ଦରଗଡ଼, ଝାରସୁଗୁଡ଼ା, କୋରାପୁଟ ଏବଂ ଅନୁଗୋଳ ଜିଲାରେ ଘନ କୁହୁଡ଼ି ପଡ଼ିବା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
ରାଜ୍ୟରେ ବର୍ତ୍ତମାନ ପାଗ ଶୁଖିଲା ରହିଥିବା ବେଳେ ଡିସେମ୍ବର ୬ ପର୍ଯ୍ୟନ୍ତ ବର୍ଷା ନେଇ କୌଣସି ସୂଚନା ଦିଆଯାଇ ନାହିଁ। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡ଼ିଠାରେ ୧୧.୫ ଡିଗ୍ରୀ ହୋଇଥିବା ବେଳେ ପୁରୀରେ ସର୍ବାଧିକ ୨୯.୨ ଡିଗ୍ରୀ ରେକର୍ଡ କରାଯାଇଛି।
ସେହିପରି ଝାରସୁଗୁଡ଼ାରେ ୧୩.୭ ଡିଗ୍ରୀ, ବୌଦ୍ଧ ୧୩.୮, ଫୁଲବାଣୀ, କେନ୍ଦୁଝରଗଡ଼ ଏବଂ ବୌଦ୍ଧରେ ୧୪, କୋରାପୁଟରେ ୧୪.୨, ରାଉରକେଲାରେ ୧୪.୫, ଅନୁଗୋଳ ଓ ଢେଙ୍କାନାଳରେ ୧୪.୬, କଟକରେ ୧୫.୬ ଏବଂ ଭୁବନେଶ୍ୱରରେ ୧୬ ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି।
ଅପରପକ୍ଷେ ଗଜପତି, ରାୟଗଡ଼ା, କୋରାପୁଟ, ବଲାଙ୍ଗୀର, କନ୍ଧମାଳ, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତି ହାଲୁକାରୁ ହାଲୁକା ଧରଣର ବର୍ଷା ହୋଇଛି। ସେହିପରି କଳାହାଣ୍ଡି ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମ କୁହୁଡ଼ି ପଡ଼ିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।