ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି କୃଷ୍ଣଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଦୁଇ ଘଣ୍ଟିଆ ଆଜି ଧାରଣା ଦିଆଯାଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଧାରଣା ଦିଆଯାଇଥିବା ବେଳେ ସ୍ଥାନୀୟ ଲୋକେ ମଧ୍ୟ ଉକ୍ତ ଧାରଣାକୁ ସମର୍ଥନ କରିଥିବାର ଦେଖିବାକୁ ମିଳିଛି। ଉକ୍ତ ପୋଲଟି ବ୍ଲକର ଦୁଇଟି ପ୍ରମୁଖ ସ୍ଥାନ ଚିତ୍ରଡ଼ା ଓ ମୋରଡ଼ାକୁ ସଂଯୋଗ କରୁଥିବା ବେଳେ ପୋଲ ଦବି ଯିବାରୁ ପ୍ରଶାସନ ତରଫରୁ ପୋଲ ଉପରେ ଯାତାୟାତ ପାଇଁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି, ଫଳରେ ଅଞ୍ଚଳବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଉକ୍ତ ପୋଲର ରକ୍ଷଣାବେକ୍ଷଣର ଅଭାବରୁ ପୋଲଟି ବିପଦସଙ୍କୁଳ ହୋଇପଡ଼ିଛି। ପୋଲ ତଳୁ ହଜାର ହଜାର ଟ୍ରିପ ବାଲି ଚାଲାଣ ହେବାରୁ ପୋଲର ଏପରି ଅବସ୍ଥା ହୋଇଛି। ତେଣୁ ଏସବୁର ଉଚ୍ଚସ୍ତରୀୟ ତଦନ୍ତ ହେବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସଭାପତି ଦାସ। ସେହିପରି ଯଥାଶୀଘ୍ର ଏକ ଅସ୍ଥାୟୀ ପୋଲର ନିର୍ମାଣ ନିମନ୍ତେ ଦାବି କରିଥିଲେ ଦାସ।
ତେବେ ଆଜିର ଧାରଣାରେ ସଭାପତି ଦାସ ଭାଜପା ସରକାର ଓ ବର୍ତ୍ତମାନର ମୋରଡ଼ା ବିଧାୟକ ତଥା ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ବିଭିନ୍ନ କାରଣ ନେଇ କଡ଼ା ସମାଲୋଚନା କରିଥିଲେ। ଲୋକଙ୍କ ମୌଳିକ ଅଧିକାରକୁ ଆଗ୍ରାଧିକାରକୁ ଗୁରୁତ୍ୱ ନଦେଇ ବିଧାୟକ ମହାପାତ୍ର ତାର ଓଲଟା କରୁଛନ୍ତି। ଦୀର୍ଘଦିନ ହେଲା ଜେଏମ୍ଏମ୍ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଧାରଣାରେ ବସୁଥିଲେ ମଧ୍ୟ ଲୋକଙ୍କ ଅସୁବିଧାକୁ ନଜର ଦେଉନାହାନ୍ତି ବର୍ତ୍ତମାନର ଭାଜପା ସରକାର ବା ମନ୍ତ୍ରୀ ମହାପାତ୍ର। ସରକାର ସବୁ ବିଭାଗରେ ବିଫଳ ତେଣୁ ସ୍ବର ଉତ୍ତୋଳନ କରିବାକୁ ନାରା ଦେଇଥିଲେ ଦାସ।

