ମାର୍କେଟ୍‌ କମ୍ପ୍ଲେକ୍ସ ନିର୍ମାଣ ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ଦାବି

କେସିଙ୍ଗା,୧୦ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିସ୍ଥିତ ଓ୍ବାର୍ଡ ନଂ.୯ ନିକଟସ୍ଥ ତହସିଲ କାର୍ଯ୍ୟାଳୟ ରାସ୍ତାର ଉଭୟ ପାଶର୍‌ବରେ ନୂତନ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଓ୍ବାର୍ଡବାସୀ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନିକଟରେ ଦାବିପତ୍ର ପ୍ରଦାନ କରିଛନ୍ତି।

କେସିଙ୍ଗା ଏନ୍‌ଏସି ଓ୍ବାର୍ଡ ନଂ.୯ ସ୍ଥିତ ତହସିଲ ଅଫିସ, କୋଣାର୍କ ସୂତାକଳ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଫିସ, କୃଷି ବିଭାଗ ଅଫିସ, ଅଗ୍ନିଶମ କାର୍ଯ୍ୟାଳୟ, ମିନି ଷ୍ଟାଡିୟମ,କେନ୍ଦୁ ଲିଫ, ଅଫିସ ତଥା ନିକଟସ୍ଥ ଓ୍ବାର୍ଡ ନଂ.୧୦ସ୍ଥିତ ସାମ୍ନାରେ ଜେଏମ୍‌ସି. କୋର୍ଟ, ମିଶନ ଶକ୍ତି , କୋଷାଗାର, ଅବକାରୀ ଥାନା , ଆଦର୍ଶ ବିଦ୍ୟାଳୟ ଓ ଆଦିବାସୀ ଛାତ୍ରୀଛାତ୍ର ଆଶ୍ରମ ଇତ୍ୟାଦି କାର୍ଯ୍ୟାଳୟଗୁଡ଼ିକ ଗଢ଼ି ଉଠିଛି। ମାତ୍ର ଦେଖାଯାଉଛି ଯେ, ଉକ୍ତ ସ୍ଥାନରେ ଅନେକଗୁଡ଼ିଏ ସରକାରୀ ଅଫିସ ଥିଲେ ସୁଦ୍ଧା ନିକଟରେ କୌଣସି ନୂତନ ଦୋକାନ କିମ୍ବା ବଜାର ନ ଥିବାରୁ ଲୋକମାନେ ଗ୍ରୀଷ୍ମପ୍ରବାହ, ବର୍ଷା ଋତୁରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସହରରୁ ତଥା ଆଖପାଖରୁ ବିଭିନ୍ନ ସରକାରୀ କାମରେ ଆସୁଥିବା ଲୋକ ମାନଙ୍କୁ ବହୁତ ହଇରାଣ ହରକତ ହୋଇ ହାରାହାରି ଏକ କିମି ଦୂର ସହର ଭିତରକୁ ଆସିଲା ପରେ ଜରୁରୀ ସାମଗ୍ରୀ ମିଳିଥାଏ। ତେଣୁ ତହସିଲ ଅଫିସ ରାସ୍ତା କଡରେ ଥିବା ସରକାରୀ ଜାଗାରେ ପରିଷଦ ଦ୍ୱାରା ବିପ୍ପଣୀ ଗୃହ (Market Complex) ତିଆରି କରାଗଲେ ଆଖପାଖ ଅଞ୍ଚଳର ଅଫିସମାନଙ୍କ ସହିତ ଅଫିସକୁ ଆସୁଥିବା ଲୋକମାନଙ୍କ ଆବଶ୍ୟକ ସାମଗ୍ରୀ ମିଳିପାରିବ ଏବଂ ଲୋକେ ହଇରାଣ ହେବେ ନାହିଁ।

ପରିଷଦ ଦ୍ୱାରା ଯଥା ସମ୍ଭବ ଶୀଘ୍ର ନୂତନ ଦୋକାନ ଗୃହ ନିର୍ମାଣ କରାଯିବା ପାଇଁ ପଦକ୍ଷେପ ନିଆଗଲେ ଉପରୋକ୍ତ କାର୍ଯ୍ୟାଳୟ କର୍ମଚାରୀ ତଥା ଜନସାଧାରଣ ସ୍ବଳ୍ପ ଦୂରରେ ଆବଶ୍ୟକୀୟ ସାମଗ୍ରୀ ପାଇଁ ପାରିବେ ବୋଲି ଓ୍ବାର୍ଡବାସୀ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ଏନ୍‌ଏସିର କାର୍ଯ୍ୟନିର୍ବାହୀ ଚିନ୍ମୟ ଆଚାରୀୟଙ୍କୁ ପଚାରିବାରୁ ଯଦି ତହସିଲଦାର ଏନ୍‌ଏସିକୁ ଜମି ଦେଲେ ନୂତନ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଉଦ୍ୟମ କରିବୁ ବୋଲି ପ୍ରକାଶ କରିଥିଲେ।

Share