ମେଡିକାଲ, ବସଷ୍ଟାଣ୍ଡ ସମସ୍ୟା ନେଇ ରାଜ୍ୟପାଳଙ୍କୁ ଦାବିପତ୍ର

କୋରାପୁଟ,୧୦ା୯(ଅମିତାଭ ବେହେରା): କୋରାପୁଟ ଗସ୍ତରେ ଅଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି । କୋରାପୁଟରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ କୋରାପୁଟ ସଚେତନ ନାଗରିକ ତରଫରୁ ବୁଧବାର ରାଜ୍ୟପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଚେତନ ନାଗରିକ ତରଫରୁ କୁହାଯାଇଛି କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଳେଜରେ ପ୍ରଫେସର ରହୁନାହାନ୍ତି। ସେମାନେ କୋରାପୁଟ ମେଡିକାଲରେ ନ ରହି ବ୍ରହ୍ମପୁର ରାଜଧାନୀ କଟକର ବିଭିନ୍ନ କ୍ଲିନିକ୍‌ରେ ବସୁଛନ୍ତି। ଯାହା ଫଳରେ କୋରାପୁଟବାସୀ ଉତ୍ତମ ଚିକିତ୍ସା ପାଇ ପାରୁନାହାନ୍ତି। ତେଣୁ ପ୍ରଫେସରମାନଙ୍କୁ ସ୍ଥାୟୀ ଭାବରେ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲରେ ଅବସ୍ଥାପିତ କରାଯାଉ। କୋରାପୁଟ ବସଷ୍ଟାଣ୍ଡ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଯଦିଓ ରାଜ୍ୟ ସରକାର କୋରାପୁଟ ବସଷ୍ଟାଣ୍ଡକୁ ନୂତନ ବସଷ୍ଟାଣ୍ଡ କରିବା ପାଇଁ ପ୍ରସ୍ତାବ ଦେଉଛନ୍ତି କିନ୍ତୁ କାମ ଆଖିଦୃଶିଆ ଆଗେଇ ପାରୁନାହିଁ। ତେଣୁ ବସଷ୍ଟାଣ୍ଡକୁ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ସଚେତନ ନାଗରିକଙ୍କ ତରଫରୁ ରାଜ୍ୟପାଳଙ୍କୁ ଦାବିପତ୍ର ମାଧ୍ୟମରେ ଜଣାଇ ଦିଆଯାଇଛି। ମହାମହିମ ରାଜ୍ୟପାଳ ଦାବିପତ୍ର ପଢ଼ି ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ କିଭଳି ହେବ ଏ ନେଇ କୋରାପୁଟ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟପାଳଙ୍କୁ ଏହି ଦାବିପତ୍ର ପ୍ରଦାନ ସମୟରେ ସଚେତନ ନାଗରିକ ତରଫରୁ ବିଜୟ କୁମାର ମିଶ୍ର, ଦୁଷ୍ମନ୍ତ ପାଢ଼ୀ, ଅଶ୍ୱିନୀ କୁମାର ପାତ୍ର, ପ୍ରଫୁଲ୍ଲ ପାତ୍ର, ବଂଶୀଧର ପଣ୍ଡା, ଶଙ୍କର ଗରଡ଼ା, ଭି.ରାମ ବ୍ରହ୍ମା, ସଞ୍ଜତ କୁମାର ନନ୍ଦ, ପ୍ରକାଶ କୁମାର ଗୌଡ଼, ସୌମ୍ୟରଞ୍ଜନ ସାହୁ, ମନୋଜ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Share