ଏସ୍‌-ପୂଜାରୀପୁଟରେ ପୁସିଂ ବ୍ରିଜ୍‌ ନିର୍ମାଣ ଲାଗି ଜିଲାପାଳଙ୍କୁ ଦାବିପତ୍ର

ନନ୍ଦପୁର,୧୮ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ଦେଇ ଯାଇଥିବା କେ.କେ ରେଳପଥର ସାଉନି ପୂଜାରୀପୁଟ ଗ୍ରାମ ନିକଟ ପୋଲ ନଂ ୧୫୬/୦୬ ଓ ୧୫୬/୦୮ ନିକଟରେ ଏକ ପୁସିଂ ବ୍ରିଜ ଓ ରେଳପଥ ବ୍ରିଜ ନଂ ୪୮୭ ତଳେ ଏକ କଲଭର୍ଟ ନିର୍ମାଣ କରିବାକୁ ନନ୍ଦପୁର ବ୍ଲକ ମାଳିବେଲଗାଁ ପଞ୍ଚାୟତବାସୀ ଦାବି କରିଛନ୍ତି। ଏନେଇ ବୁଧବାର ମାଳିବେଲଗାଁ ପଞ୍ଚାୟତ ସରପଞ୍ଚ ପ୍ରହଲ୍ଲାଦ ମୁଦୁଲି, ସମିତି ସଭ୍ୟ ମଙ୍ଗୁଳୁ ଖରା, ସମସ୍ତ ଓ୍ବାର୍ଡସଭ୍ୟ ଓ ବୁଦ୍ଧିଜୀବୀ କୋରାପୁଟସ୍ଥିତ ରେଳବିଭାଗ ଏଡିଇଏନ୍‌ଙ୍କ କାର୍ଯ୍ୟାଳୟରେ ଏଡିଇଏନ ରାଜେନ୍ଦ୍ର ପ୍ରସାଦ ପ୍ରଦାନ ଓ କୋରାପୁଟ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ମାଳିବେଲଗାଁ ପଞ୍ଚାୟତକୁ କେ.କେ ରେଳପଥ ଓ ମାଛକୁଣ୍ଡ ରୋଡ୍‌ ରେଳ ଷ୍ଟେଶନ ଦୁଇ ଭାଗରେ ବିଭକ୍ତ କରୁଛି। ରେଳପଥ ଓ ଷ୍ଟେଶନର ଗୋଟିଏ ପାର୍ଶ୍ୱରେ ୭ ଗ୍ରାମ ସାଉନୀ ପୂଜାରୀପୁଟ, ମାଳି ବେଲଗାଁ, ପରଜା ବେଲଗାଁ, ଖତପୁଟ, ଖୁଜେଲ, ତଳ ଗେରୁପୁଟ ଓ କଦମଗୁଡ଼ା ଗ୍ରାମ ଥିବାବେଳେ ଅପର ପାର୍ଶ୍ୱରେ ୮ ଗ୍ରାମ ପାଣ୍ଡାପୁଟ, ଛେଲିଆମୁଣ୍ଡା, ବିଲାଇପୁଟ, ସିଡ଼ାପୁଟ, ବଡ଼ଟାଙ୍କୁଆ, ବଦଲିପଣ୍ଡି, ଗୁଲପଣ୍ଡି ଓ ଖତଗୌଡପୁଟ ଗ୍ରାମ ରହିଛି। ରେଳଧାରଣା ପାର ହେବାକୁ ବ୍ୟବସ୍ଥା ନ ଥିବାରୁ ଅପରପାର୍ଶ୍ୱରେ ଥିବା ୮ ଗ୍ରାମକୁ ଯାତାୟାତ, ପାନୀୟ ଜଳ, ଶିକ୍ଷା ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନ ହିତକର ଯୋଜନା ପହଞ୍ଚି ପାରୁନାହିଁ। ପଞ୍ଚାୟତର ସମସ୍ତ ଗ୍ରାମବାସୀଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନରେ ଅସୁବିଧା ହେଉଛି। ତେଣୁ ରେଳପଥର ପୋଲ ନଂ ୧୫୬/୦୬ ଓ ୧୫୬/୦୮ ନିକଟରେ ଏକ ପୁସିଂ ବ୍ରିଜ ଏବଂ ବ୍ରିଜ ନମ୍ବର୍‌ ୪୮୭ର ତଳଭାଗରେ ଏକ କଲଭର୍ଟ ନିର୍ମାଣ କରିବାକୁ ଉଲ୍ଲେଖ କରିଛନ୍ତି। ଏଡିଇଏନ୍‌ ପ୍ରଦାନ ଦାବିପତ୍ର ଟିକୁ ଗ୍ରହଣକରି ଉକ୍ତ ସ୍ଥାନରେ ପୁସିଂ ବ୍ରିଜ ଓ କଲଭର୍ଟ ନିର୍ମାଣ ନିମନ୍ତେ ଓ୍ବାଲ୍ଟିଅର ଡିଭିଜନ ଡିଆର୍‌ଏମ୍‌ଙ୍କ ନିକଟକୁ ପ୍ରେରଣ କରିବେ। ଆଲୋଚନା କରି ଅତିଶୀଘ୍ର ଦୁଇ ପ୍ରକଳ୍ପ ନିର୍ମାଣ କରିବାକୁ ବ୍ୟବସ୍ଥା କରିବେ ବୋଲି ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Share