କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ ସମେତ ଜୟପାଟଣା ଏବଂ ଧର୍ମଗଡ଼ ବ୍ଳକ ଅଞ୍ଚଳର ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଚାଷୀଙ୍କ ସସସ୍ୟାର ସମାଧାନ ନେଇ ସୋମବାର
ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏବଂ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ନେତୃତ୍ୱରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଧାନ ବିକ୍ରି ନିମନ୍ତେ ଅନ୍ଲାଇନ ପଞ୍ଜିକରଣ ଖୋଲିବା ଏବଂ ଅବଧି ବୃଦ୍ଧି କରିବା ନେଇ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାସହ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏବଂ ବିଭାଗ ମୁଖ୍ୟ ଶାସନ ସଚିବ ସଞ୍ଜୟ ସିଂଙ୍କୁ ଭେଟି ସମସ୍ୟା ସଂକ୍ରାନ୍ତରେ ଅବଗତ କରାଯିବା ସହ ସମାଧାନ କରିବାକୁ ଦାବି କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ଚଳିତ ରବି ଋତୁରେ କୋକସରା ବ୍ଲକର ପ୍ରାୟ ୧୫ଟି ପଞ୍ଚାୟତର ବିଭିନ୍ନ ଗାଁର ଚାଷୀମାନେ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ୯୮୩୨.୪୮ ହେକ୍ଟର ଜମିରେ ଧାନ ଚାଷ କରିଛନ୍ତି।
ତବେ ଧାନ ବିକ୍ରି ନିମନ୍ତେ ଗତ ୧୦ ତାରିଖରୁ ପଞ୍ଜିକରଣ ଆରମ୍ଭ ହୋଇ ୨୫ ତାରିଖରେ ଶେଷ ହୋଇଥିଲା। ଉକ୍ତ ସମୟ ସୀମା ମଧ୍ୟରେ ପୋର୍ଟାଲ ଠିକ ଭାବେ ଖୋଲି ନ ଥିବା ଓ ଉଠା ଜଳସେଚନ ବିକଳ୍ପ ଆସୁ ନ ଥିବାରୁ ଚାଷୀମାନେ ପଞ୍ଜୀକରଣରୁ ବଞ୍ଚିତ ହୋଇଛନ୍ତି। ଏଣେ ଅସନ୍ତୋଷ ଚାଷୀଙ୍କ ମଧ୍ୟରେ ଆନ୍ଦୋଳନ ଦାନା ବାନ୍ଧୁଥିବା ବେଳେ ଚାଷୀଙ୍କ ସ୍ବାର୍ଥକୁ ଦେଖି ୩ବିଧାୟକଙ୍କ ସହ ଉପସ୍ଥିତିରେ ବ୍ଳକ ଉପାଧ୍ୟକ୍ଷ ଅଗ୍ରୱାଲ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

