ଓଡ଼ିଶାରେ ବଢୁଛି ମଟନ୍‌ର ଚାହିଦା: ବର୍ଷକୁ ଏତିକି ଟଙ୍କାର ମାଂସ ଖାଇଯାଉଛନ୍ତି ରାଜ୍ୟବାସୀ

ଭୁବନେଶ୍ୱର,୧୭।୧: ଓଡ଼ିଶାରେ ଛେଳି ମାଂସ ଅର୍ଥାତ୍‌ ମଟନ୍‌ର ଚାହିଦା ବଢ଼ି ବଢି ଚାଲିଛି। ରାଜ୍ୟରେ ଛେଳି ମାଂସର ଆବଶ୍ୟକତା ଉତ୍ପାଦନଠାରୁ ଅଧିକ। ସେଥିପାଇଁ ମାଛ, ଅଣ୍ଡା ପରି ଛେଳି ପାଇଁ ବି ଓଡ଼ିଶା ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଉପରେ ନିର୍ଭରଶୀଳ। ବାର୍ଷିକ ୫୦ ହଜାର ଟନ୍‌ର ଅଧିକ ମାଂସ ଖାଉଛନ୍ତି ରାଜ୍ୟବାସୀ । ଏହାର ବଜାର ମୂଲ୍ୟ ପ୍ରାୟ ୩ ହଜାର ୭୫୦ କୋଟି ଟଙ୍କା।
ଏକ ରିପୋର୍ଟ ଅନୁୟାୟୀ, ଓଡ଼ିଶାରେ ଜଣେ ବ୍ୟକ୍ତି ବାର୍ଷିକ ହାରାହାରି ୧.୫ ରୁ ୨ କେଜି ପର୍ଯ୍ୟନ୍ତ ଛେଳି ମାଂସ ଖାଇଥାନ୍ତି। ଓଡ଼ିଶାର ମୋଟ ମାଂସ ଉତ୍ପାଦନ ପ୍ରାୟ ଅଢ଼େଇ ଲକ୍ଷ(୨.୫ଲକ୍ଷ) ଟନ । ଏହା ମଧ୍ୟରେ ଛେଳି ମାଂସର ଉତ୍ପାଦନ ହେଉଛି ମାତ୍ର ୧୦ ରୁ ୧୨ ପ୍ରତିଶତ। ବାର୍ଷିକ ୪୫ ହଜାରରୁ ୫୦ ହଜାର ଟନ ଛେଳି ମାଂସର ଆବଶ୍ୟକତା ରହିଥିବା ବେଳେ ଓଡ଼ିଶାର ଉତ୍ପାଦନ କ୍ଷମତା ପ୍ରାୟ ୩୦ ହଜାର ଟନ। ତେଣୁ ଓଡ଼ିଶାରେ ପ୍ରାୟ ଅଧା ଛେଳି ମାଂସ ଅନ୍ୟ ରାଜ୍ୟରୁ ଆମଦାନୀ କରାଯାଉଛି।

ଓଡ଼ିଶାସରକାରଙ୍କ ତରଫରୁ ଛେଳି ଚାଷକୁ ଅଗ୍ରାଧିକାର ଦିଆଯାଉଛି। ୨୦୨୫ରେ ଓଡ଼ିଶା ଛୋଟ ପଶୁ ବିକାଶ ଉପଯୋଜନା ଅନୁମୋଦିତ ହୋଇଛି। ୨୦୨୫-୨୬ ରୁ ୨୦୨୮-୨୯ ପର୍ଯ୍ୟନ୍ତ ୨୯୪ କୋଟି ବଜେଟ ରହିଥିବା ବେଳେ ଏହାଦ୍ୱାରା ୨୪ ହଜାର ଚାଷୀ ଉପକୃତ ହେବେ। ଅତିରିକ୍ତ ବାର୍ଷିକ ୧୨ ହଜାର ଟନ ମାଂସ ଉତ୍ପାଦନ ହେବାର ଲକ୍ଷ୍ୟ ରଖାଯାଇଛି।

 

Dharitri – Odisha’s No.1 Odia Daily