ଦିଗପହଣ୍ଡି,୧୨।୮(ଅଶେଷ ନାଥ ମିଶ୍ର): ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ୭ ଦଫା ଦାବୀ ପୁରଣ ପାଇଁ ମଙ୍ଗଳବାର ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଚାଷୀ ସଙ୍ଗଠନର ସଭ୍ୟ ଓ କର୍ମକର୍ତ୍ତା ବୃନ୍ଦ ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ତହସିଲଦାରଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ସମ୍ପ୍ରତି ଚାଷୀମାନେ ଚାଷକାର୍ଯ୍ୟରେ ଲାଗିଥିବା ବେଳେ ଧାନ ବିକ୍ରୟ ପାଇଁ ମଣ୍ଡିରେ ଚାଷୀ ପଞ୍ଜିକରଣ ପାଇଁ ସମୟସୀମାକୁ ବୃଦ୍ଧି କରାଯିବା। ସମସ୍ତ ଚାଷୀ ଭାଗ ଚାଷୀଙ୍କ ନିଜସ୍ବ ଘୋଷଣାନାମା ଦାରା ରେଜିଷ୍ଟ୍ରେସନ କରାଯିବା। ମଣ୍ଡିରେ ଧାନ ବିକ୍ରୟ ପାଇଁ ରେଜିଷ୍ଟ୍ରେଶନ ନିୟମାବଳୀକୁ ସରଳୀକରଣ କରାଯିବା। ଇକେୱାଇସି ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବା ପ୍ରଭୃତି ୭ ଦଫା ଦାବି ସ୍ମାରକପତ୍ର ରେ ଉଲ୍ଲେଖ ରହିଛି। ଅତିରିକ୍ତ ତହସିଲଦାରଙ୍କୁ ସ୍ମାରକପତ୍ର ପ୍ରଦାନ ସମୟରେ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା ଉପସଭାପତି କୈଳାସ ଷଡଙ୍ଗୀ,ଆଇନଜୀବି କୁରେଶୁ ପଣ୍ଡା, ପି.ଶିବଶଙ୍କର, ସୁଶାନ୍ତ କୁମାର ଷଡଙ୍ଗୀ, ପୁଷ୍ପଧଜ ସାହୁ, ଏ.ହରି,ଏ.ସୂର୍ଯ୍ୟନାରାୟଣ,ଏମ.ରାମଚନ୍ଦ୍ର, ଅର୍ବ୍ଦୁ.ମାଧା, ଏ.ଗଣେଶ ପ୍ରମୁଖ ଚାଷୀ ସଙ୍ଗଠନର ବହୁସଂଖ୍ୟକ କାର୍ଯ୍ୟକର୍ତ୍ତା ସଭ୍ୟ ବୃନ୍ଦ ଉପସ୍ଥିତ ଥିଲେ।


