ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ୍‌ କୋର୍ଟ ପ୍ରତିଷ୍ଠା ଦାବି: ହାଇକୋର୍ଟ ଜଷ୍ଟିସଙ୍କ ସହ ଆଲୋଚନା

ଦିଗପହଣ୍ଡି, ୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ କୋର୍ଟ ପ୍ରତିଷ୍ଠା ପାଇଁସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ଶନିବାର ଅପରାହ୍ନରେ ଓକିଲ ସଂଘର ପ୍ରତିନିଧି ବୃନ୍ଦ ବ୍ରହ୍ମପୁର ସ୍ଥିତ ଗଞ୍ଜାମ ଜିଲା ଦୌରା ଜଜ୍‌ଙ୍କ ଚ୍ୟାମ୍ବରରେ ଗଞ୍ଜାମ ଜିଲା ଦାୟିତ୍ୱରେ ଥିବା ରାଜ୍ୟ ହାଇକୋର୍ଟର ପ୍ରଶାସନିକ କାର୍ଯ୍ୟନିର୍ବାହୀ ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ସାକ୍ଷାତ କରି ସଂଘ ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ ଅଭିନନ୍ଦନ ଜଣାଇବା ସହ ଦିଗପହଣ୍ଡିଠାରେ ଅତିରିକ୍ତ ଜିଲା ଜଜ୍‌ କୋର୍ଟ ଖୋଲିବା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦୀର୍ଘ ଦିନରୁ ବିଭିନ୍ନ ଫୌଜଦାରୀ ମକଦ୍ଦମା ଗୁଡ଼ିକ ବ୍ରହ୍ମପୁରସ୍ଥିତ ଜିଲା ଜଜଙ୍କ କୋର୍ଟରେ ପରିଚାଳିତ ହୋଇ ଆସୁଥିବା ବେଳେ ଦିଗପହଣ୍ଡିଠାରେ ସବଜଜ କୋର୍ଟ ଖୋଲିଲେ ଓକିଲ ଏବଂ ମହକିଲଙ୍କ ଅସୁବିଧା ଦୂର ହେବାର ଆଶା କରାଯାଉଥିଲା। କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ଭାବେ ପ୍ରଚଳିତ ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ସବଜଜଙ୍କ ଠାରୁ ପୂର୍ବରୁ ରହିଥିବା ସହକାରୀ ଦୌରାଜଜ କ୍ଷମତା ପ୍ରତ୍ୟାହାର କରି ନେଇଥିବା କାରଣରୁ ବିଭିନ୍ନ ଫୌଜଦାରୀ ମାମଲା ଗୁଡିକର ପରିଚାଳନା ସମୟରେ ଦିଗପହଣ୍ଡି ଅଞ୍ଚଳବାସୀଙ୍କୁ ବ୍ରହ୍ମପୁର ଦୌଡ଼ି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ତେଣୁ ଓକିଲ ସଂଘ ପକ୍ଷରୁ ହାଇକୋର୍ଟ ଜଷ୍ଟିସଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇ ଦିଗପହଣ୍ଡିଠାରେ ଅତିରିକ୍ତ ଜିଲା ଜଜ କୋର୍ଟ ଖୋଲିବା ପାଇଁ ଅନୁରୋଧ କରାଯାଇଛି। ଜଷ୍ଟିସଙ୍କ ସହ ଏହି ସାକ୍ଷାତ ଆଲୋଚନା ସମୟରେ ଗଞ୍ଜାମ ଜିଲା ଦୌରା ଜଜ ଅଶାନ୍ତ କୁମାର ଦାସଙ୍କ ସମେତ ଖେମୁଣ୍ଡି ଓକିଲ ସଂଘର ସଭାପତି ହୃଦୟ ରଞ୍ଜନ ମେକାପ, ପୂର୍ବତନ ସଭାପତି ରସାନନ୍ଦ ରାଉତ, ପରେଶ ଚନ୍ଦ୍ର ରଥ, ଏ. ସୋମେଶ୍ୱର ରାଓ, ହରପ୍ରସାଦ ରଥ, ସମ୍ପାଦକ ପ୍ରଦୀପ କୁମାର ନାୟକ, ଉପସଭାପତି ସନ୍ତୋଷ କୁମାର ସାହୁ, କୋଷାଧ୍ୟକ୍ଷ ସିମାଞ୍ଚଳ ପ୍ରଧାନ,ଏପିପି ବିଜୟ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତଥିଲେ।

Dharitri – Odisha’s No.1 Odia Daily