ପୁରୁଷୋତ୍ତମପୁର,୨୩ା୨(ସବିତା ମିଶ୍ର): ଗଞ୍ଜାମ ଜିଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ଗଞ୍ଜାମଙ୍କ ଯୁଗ୍ମ ଶୁଣାଣୀ ଶିବିର ସୋମବାର ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ଯାଳୟ ପରିଷରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲାପାଳ ପ୍ରମୋଦକୁମାର ପ୍ରୁଷ୍ଟି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଶାନ୍ତକୁମାର ଦାଶ, ଅତିରିକ୍ତ ଜିଲା କାର୍ଯ୍ଯନିର୍ବାହୀ ଅଧିକାରୀ ବିଜୟ କୁମାର ବେହେରା ଯୋଗଦେଇ ମୋଟ ୨୨୯ଗୋଟି ଅଭିଯୋଗର ଶୁଣାଣୀ କରିଥିଲେ । ସେଥି ମଧ୍ୟରୁ ୨୧୨ ଟି ବ୍ୟକ୍ତିଗତ ରହିଥିବାବେଳେ ୨୭ ଗୋଟି ସାମୁହିକ ଅଭିଯୋଗ ରହିଥିଲା ।
ଏହିଅବସରରେ ରେଡକ୍ରସ୍ ପାଣ୍ଠିରୁ ୨ ଜଣ ବ୍ୟକ୍ତିଙ୍କୁ ୧୫ ହଜାରଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା । ଏଥିରେ ମୁଖ୍ୟକରି ପୁରୁଷୋତ୍ତମପୁର ଏନଏସି ପ୍ରଶାସନ ଗୋପାଳ ବନ୍ଧ ହିଡରେ ଫୁଡକୋର୍ଟ ନିର୍ମାଣକୁ ସହରବାସି ପ୍ରତିବାଦକରି ଜବରଦଖଲ ଉଛେଦକରି ସୌନ୍ଦର୍ଯ୍ଯକରଣ ଲାଗି ଦାବି କରିଛନ୍ତି । ଅନ୍ଯପକ୍ଷରେ ବଡବରଗାଁ ପଞ୍ଚାୟତ ଏନ ନୂଆଁ ଗାଁର ସମ୍ପୂର୍ଣ୍ଣ ଦିବ୍ଯାଙ୍ଗଯୁବକ ଏସ ସଂଜିବରେଡିଙ୍କ ଆଧାରକାର୍ଡ ହୋଇପାରୁନଥିବାରୁ ସେ ସରକାରିଯୋଜନାରୁ ବଞ୍ଚିତ ହେବାରେ ଲାଗିଛନ୍ତି ।
ଏଥିନେଇ ସେ ବାରମ୍ବାର ଅଭିଯୋଗ ଜଣାଇଥିଲେ ସୁଧା କେହି ଗୁରୁତ୍ବ ଦେଉନଥିବାର ନେଇ ଅଭିଯୋଗ କରି ଗୁହାରି ଜଣାଇଥିବା ବେଳେ ଏହାକୁ ଅତିରିକ୍ତ ଜିଲାପାଳ ଗୁରୁତ୍ବର ସହ ନେଇ ତୁରନ୍ତ ସମସ୍ଯାର ସମାଧାନ ଲାଗି କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ବିଡିଓ ଶରତକୁମାର ପାତ୍ର,ତହସିଲଦାର ବିନୋଦକୁମାର ବେହେରା, ଆଇଆଇସି ରାଜେଶକୁମାର ନାୟକଙ୍କ ସମେତ ସମସ୍ତ ଜିଲା ସ୍ତରୀୟ ଓ ବ୍ଲକ ସ୍ତରିୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।