ବରଗଡ଼,୧୯।୧୦(ପ୍ରେମାନନ୍ଦ ଖମାରୀ): ସ୍ବତନ୍ତ୍ର କୋଶଲ ପ୍ରଦେଶ ଗଠନ ଦାବି ନେଇ ପୁଣି ଆନ୍ଦୋଳନ ତେଜି ଉଠୁଛି। ଏହି ଦାବି ନେଇ ଆସନ୍ତା ଡିସେମ୍ବର ମାସରେ କୋଶଲ ମହାବନ୍ଦ କରିବାକୁ ରବିବାର ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଅଜିତ ଶତପଥୀଙ୍କର ସଭାପତିତ୍ୱରେ କୋଶଲ ରାଏଜ ମିଳିତ କ୍ରିୟାନୁଷ୍ଠାନ କମିଟିର ଏହି ବୈଠକରେ କୋଶଲାଞ୍ଚଲର ବିଭିନ୍ନ କୋଶଲବାଦୀ ସଂଗଠନର ପ୍ରତିନିଧିମାନେ ସାମିଲ ଥିଲେ। ବୈଠକରେ କୋଶଲ ସଂଗ୍ରାମୀ ବାଳଗୋପାଳ ମିଶ୍ର ଯୋଗ ଦେଇ ସରକାରର ଆଞ୍ଚଳିକ ବିଷମତା ବିରୋଧରେ ଏକାଠି ଲଢ଼େଇ ପାଇଁ ଆହାନ ଦେଇଥିଲେ।
ବୈଠକରେ ଯୋଗଦେଇଥିବା ବିଭିନ୍ନ ସଙ୍ଗଠନର ପ୍ରତିନିଧିଙ୍କ ସମ୍ମତିକ୍ରମେ ବାଳଗୋପାଳ ମିଶ୍ର, ପ୍ରମୋଦ ମିଶ୍ର, ଅଜିତ ଶତପଥୀ, ନରେନ୍ଦ୍ର ହୋତାଙ୍କୁ ନେଇ ୪ଜଣିଆ ଉପଦେଷ୍ଟା ମଣ୍ଡଳୀ ଗଠନ କରି ୭ପ୍ରସ୍ତାବ ପାରିତ ହୋଇଥିଲା।
ପ୍ରତେକ ସଂଗଠନର ଜଣେ ଲେଖାଏକୁ ନେଇ କୋଶଲ ସେନାପତି ଦାୟିତ୍ୱ ଦେବା ସହିତ ବିଧିବଦ୍ଧ ଭାବେ କୋଶଲ ରାଏଜ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ, ପାଣ୍ଠି ସଂଗ୍ରହ ସାଙ୍ଗେ ଗାଁକୁ ଚାଲ ଅଭିଯାନ, ଅଲଗା କୋଶଲ ରାଜ୍ୟ ଦାବିରେ ଦିଲ୍ଲୀ ଚଲୋ କାର୍ଯ୍ୟକ୍ରମ, ସ୍ଥାନୀୟ କିମ୍ବା ଆଞ୍ଚଳିକ କାର୍ଯ୍ୟକ୍ରମ ପାଇଁ ନିଜ ସଂଗଠନର ନାମ ସହିତ ମିଳିତ କ୍ରିୟାନୁଷ୍ଠାନ କମିଟିର ନାମ ନେଇ କାର୍ଯ୍ୟକ୍ରମ, କୋଶଲ ସେନାପତି ଓ ଉପଦେଷ୍ଟା କମିଟିର ସାମାଜିକ, ଆର୍ଥିକ ଓ ରାଜନୈତିକ ସମସ୍ୟାର ସମାଧାନ ପାଇଁ ନିୟମିତ ବ୍ୟବଧାନରେ ସଭା, ସମିତି କରିବା, କୋଶଲ ବିଷୟରେ ମତାମତ କିମ୍ବା ପ୍ରେସବାର୍ତ୍ତା କେବଳ ଉଭୟ କମିଟିର ସହମତିରେ ପ୍ରବକ୍ତା ଦେବା, ଆସନ୍ତା ଡିସେମ୍ବର ମାସରେ ସଙ୍ଗଠନର ବୃହତ୍ କାର୍ଯ୍ୟକ୍ରମ ଭାବେ କୋଶଲ ମହାବନ୍ଦ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।
ବୈଠକକୁ ଜଗନ ମେହେର ପରିଚାଳନା କରିଥିବା ବେଳେ ବୀରବଲ ମହାକୁର ସଂଯୋଜନା କରିଥିଲେ। ସୁନ୍ଦରଗଡ଼ରୁ ଦିଲ୍ଲୀପ ପଣ୍ଡା, ସମ୍ବଲପୁରରୁ ବୀରେନ୍ଦ୍ର ପାଣିଗ୍ରାହୀ, ବଲାଙ୍ଗିରରୁ ଜନସନ ନାଗ, ସୋନପୁରରୁ ସରୋଜ ପଧାନ, ଝାରସୁଗୁଡ଼ା ଗଣେଶ ମଟାରି, ବରଗଡ଼ରୁ ସୁଦାମ ଚରଣ ପାତ୍ର, ଅଶୋକ ଛତର, ଅବିନାଶ ବିଶି ଏବଂ ମହିଳାମାନଙ୍କ ମଧ୍ୟରେ ସୁନିତା ବାଗ, ବାସନ୍ତୀ ମେହେର୍, ରୀତା ବେହେରାଙ୍କ ସମେତ ଶତାଧିକ କୋଶଳ କର୍ମୀ ଯୋଗ ଦେଇଥିଲେ। ସୁଶିଲ ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ।