ନୂଆଦିଲ୍ଲୀ,୯ା୧୧: ଦିଲ୍ଲୀ ବାୟୁ ପ୍ରଦୂଷଣ କ୍ରମଶଃ ଉତ୍କଟ ହୋଇ ଶନିବାର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୦୦ ଅତିକ୍ରମ କରିଥିଲା। ଦିଲ୍ଲୀ ରେଡ୍ ଜୋନ୍ରେ ପ୍ରବେଶ କରିଥିବା ବେଳେ ପ୍ରଦୂଷଣ ରୋକିବା ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବା ଦାବିରେ ରବିବାର ଜନସାଧାରଣ ବିକ୍ଷୋଭ ଶୋଭାଯାତ୍ରାରେ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ଯାଇଥିଲେ। ଆକ୍ଟିଭିଷ୍ଟ ଏବଂ ବିକ୍ଷୋଭକାରୀଙ୍କ ସହ ବିରୋଧୀ ଆମ୍ ଆଦ୍ମୀ ପାର୍ଟି ଓ କଂଗ୍ରେସ ନେତା ସାମିଲ ହୋଇଥିଲେ। ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣ ରୋକିବା ଦିଗରେ ସରକାର ପ୍ରଭାବଶାଳୀ ନୀତି ପ୍ରଣୟନ କରିବାକୁ ସେମାନେ ଦାବି କରିଛନ୍ତି।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ କେବଳ ଯନ୍ତର ମନ୍ତରରେ ବିକ୍ଷୋଭ ଲାଗି ଅନୁମତି ଦିଆଯାଇଥିବାରୁ ଇଣ୍ଡିଆ ଗେଟ୍ ନିକଟରେ ରାଲି କରୁଥିବା ଅନେକ ବିକ୍ଷୋଭକାରୀଙ୍କୁ ପୋଲିସ ଅଟକ ରଖିଥିଲା। ଗାଇଡ୍ଲାଇନ୍କୁ ସମସ୍ତେ ମାନିବା ଆବଶ୍ୟକ ବୋଲି ବରିଷ୍ଠ ପୋଲିସ ଅଧିକାରୀ ଦେବେଶ କୁମାର ମହଲା କହିଛନ୍ତି।
ଇଣ୍ଡିଆ ଗେଟ୍ଠାରେ ୩୦ ମିନିଟ୍ ଧରି ବିକ୍ଷୋଭ ହୋଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ସମ୍ପର୍କରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଛନ୍ତି, ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିବା ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାର। ଏକାଧିକ ଘଟଣାରେ ସୁପ୍ରିମକୋର୍ଟ ଏହାକୁ କାଏମ ରଖିଛନ୍ତି। ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଚାଲିଥିବାବେଳେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସକୁ ସରକାର ନିର୍ଦ୍ଦେଶ ଦେବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।

