ନୂଆଦିଲ୍ଲୀ,୨୦।୨: ରେଖା ଗୁପ୍ତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କସହ ୬ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଦାୟିତ୍ୱ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ନେତୃତ୍ୱାଧୀନ ନୂଆଦିଲ୍ଲୀ ସରକାରରେ ପୂର୍ବତନ ଆମ ଆଦମୀ ପାର୍ଟି ନେତା କପିଲ ମିଶ୍ରଙ୍କ ସମେତ ଛଅ ଜଣ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି। ଭାରତୀୟ ଜନତା ପାର୍ଟି ବିଧାୟକ ପରଭେଶ ସାହିବ ସିଂହ ବର୍ମା, ଆଶିଷ ସୁଦ, ମଞ୍ଜିନ୍ଦର ସିଂହ ସିରସା, ରବିନ୍ଦର ଇନ୍ଦ୍ରଜ, କପିଲ ମିଶ୍ର ଏବଂ ପଙ୍କଜ କୁମାର ସିଂହଙ୍କୁ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଭାବରେ ନିଯୁକ୍ତ କରିଛନ୍ତି।
ଦୁଇଥର ଭାଜପା ଏମପି ହୋଇଥିବା ପରଭେଶ ବର୍ମା ନୂଆଦିଲ୍ଲୀ ଆସନରୁ ଏଏପି ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ପରାସ୍ତ କରିଛନ୍ତି। ବର୍ମା ଜାତୀୟ ରାଜଧାନୀରେ ଜଣେ ପ୍ରମୁଖ ଜାଠ ଚେହେରା। ସେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂହ ବର୍ମାଙ୍କ ପୁଅ।
ରେଖାଙ୍କ ମନ୍ତ୍ରୀମଣ୍ଡଳରେ ପରଭେଶଙ୍କ ବ୍ୟତୀତ ଆଉ ଜଣେ ନେତା ମଧ୍ୟ ଅଛନ୍ତି ଯାହା ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି। ସେ ହେଉଛନ୍ତି ଏଏପି ର ଫାୟାରବ୍ରାଣ୍ଡ ନେତା କପିଲ ମିଶ୍ରା। ପୂର୍ବତନ ଏଏପି ନେତା କପିଲ ମିଶ୍ରା ଭାଜପା ଟିକେଟରେ କରାୱାଲ ନଗର ଆସନରୁ ଜିତିଥିଲେ। ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ସରକାରରେ ତାଙ୍କୁ ଦିଲ୍ଲୀର ଜଳସମ୍ପଦ ମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଥିଲା। ତାଙ୍କୁ ୨୦୧୭ରେ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଥିଲା ଏବଂ ୨୦୧୯ରେ ସେ ଭାଜପାରେ ଯୋଗ ଦେଇଥିଲେ। ୨୦୨୦ ମସିହାରେ ଦିଲ୍ଲୀରେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗା ସମୟରେ ସେ ଦେଇଥିବା ବିବାଦୀୟ ଭାଷଣକୁ ନେଇ ଚର୍ଚ୍ଚାରେ ରହିଥିଲେ।


