ଓଭରବ୍ରିଜ ନିର୍ମାଣରେ ବିଳମ୍ବ, ଆନ୍ଦୋଳନ ଚେତାବନୀ ଦେଲେ ସ୍ଥାନୀୟ ବାସିନ୍ଦା

ଗଞ୍ଜାମ,୧୪ା୧୧(ବିଦ୍ୟାଧର ସାହୁ/ଅଖିଳ ତରାଇ): ୧୬ ନଂ ଜାତୀୟ ରାଜପଥ ହୁମା ଓଭରବ୍ରିଜ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଏନେଇ ହୁମା ପଞ୍ଚାୟତ ସମିତି ସଭ୍ୟ ଧ୍ରୁବଚରଣ ପଲାଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲାପାଳଙ୍କ ନିକଟରେ ଏକ ଦାବିପତ୍ର ମାଧ୍ୟମରେ ଜାତୀୟ ରାଜପଥରେ ନିର୍ମାଣାଧୀନ ଓଭରବ୍ରିଜ କାର୍ଯ୍ୟ ତୁରନ୍ତ ସମାପ୍ତ କରିବାକୁ ଦାବି କରିଛନ୍ତି।

ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘଦିନ ଧରି ବ୍ରିଜ ନିର୍ମାଣ ଶେଷ ନ ହେବାରୁ ଦୁର୍ଘଟଣା ବଢ଼ିବାରେ ଲାଗିଛି ଏବଂ ଅନେକ ଧନଜୀବନ ହାନି ହୋଇଛି। ସ୍କୁଲ, ବ୍ୟାଙ୍କ, ମନ୍ଦିର ଓ ଦୋକାନ ଏହି ରାଜପଥ ପାର୍ଶ୍ୱରେ ଥିବାରୁ ଯାତାୟାତ ବହୁଳ ମାତ୍ରାରେ ହୋଇଥାଏ, ଫଳରେ ଲୋକେ ଓ ବିଶେଷକରି ଛୋଟ ପିଲାମାନେ ଅସୁରକ୍ଷିତ ମନେ କରୁଛନ୍ତି। ପୁଣି ଧୂଳି ଓ ମଇଳା ଯୋଗୁ ଘରୋଇ ସାମଗ୍ରୀ ନଷ୍ଟ ହେବା ସହ ଲୋକମାନେ ରୋଗଗ୍ରସ୍ତ ହେଉଛନ୍ତି।
ପ୍ରଶାସନକୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଦି ଏହି ସମସ୍ୟାର ତୁରନ୍ତ ସମାଧାନ ନ ହୁଏ, ତେବେ ରାଜରାସ୍ତାକୁ ଓହ୍ଲାଇ ତୀବ୍ର ଆନ୍ଦୋଳନ କରିବାକୁ ସେମାନେ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ଧ୍ରୁବ ଚରଣ ପଲାଇଙ୍କ ସମେତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଘୁନାଥ ସାହୁ, ବିପ୍ର ଚରଣ ପରିଡ଼ା, ପ୍ରଶାନ୍ତ ପରିଡ଼ା, ମାଧବ ପଲାଇ, ରଙ୍କ ପ୍ରଧାନ, ଗଗନ ପଲାଇ ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share