କୋକସରା,୬।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାମଧନ୍ଦା ନ ପାଇ ହାଇଦ୍ରାବାଦ ସହରକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଖବର ସାମ୍ନାକୁ ଆସିଛି।
ମୃତ ଶ୍ରମିକ ଜଣକ ହେଲେ କଳାହାଣ୍ଡି ଜିଲା କୋକସରା ଥାନା ଡହଗାଁ ପଞ୍ଚାୟତ ସର୍ଗିଗୁଡା ଡଙ୍ଗରୀପଡାର ଜଗମୋହନ ମାଝୀଙ୍କ ପୁଅ ଦୁଲ୍ଲଭ ମାଝୀ । ଗୁରୁତର ଶ୍ରମିକ ଜଣକ ହେଲେ ସେହି ଗ୍ରାମର ଚନ୍ଦ୍ରଶେଖର ମାଝୀ। ଦୁଲ୍ଲଭ ଏବଂ ଚନ୍ଦ୍ରଶେଖର ୩ରୁ ୪ ମାସ ତଳେ ଗାଁର କିଛି ଯୁବକଙ୍କ ସହିତ ହାଇଦ୍ରାବାଦ ସହର ପଟାନଚେରୁର ନନ୍ଦିଗାଁଓକୁ କାମ କରିବାକୁ ଯାଇଥିଲେ। ସେଠାକାର ସେମାନେ ଏକ ଘରୋଇ ସଂସ୍ଥା ଜରିଆରେ ବିଲ୍ଡିଂ କାମରେ ନିୟୋଜିତ ହୋଇଥିଲେ।
ଶୁକ୍ରବାର ସକାଳେ କାମରେ ନିୟୋଜିତ ଥିବା ବେଳେ ହଠାତ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଦୁଲ୍ଲଭଙ୍କ ମୃତ୍ୟୁ ଘଟିଥିବା ବେଳେ ବିଲ୍ଡିଂରୁ ଖସିପଡି ଚନ୍ଦ୍ରଶେଖର ଗୁରୁତର ଆହତ ହୋଇଥିଲେ। ଚନ୍ଦ୍ରଶେଖର ସ୍ଥାନୀୟ ଏକ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।
ଚନ୍ଦ୍ର ଶେଖରଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ତାଙ୍କ ଅସ୍ତ୍ରୋପଚାରର ଆବଶ୍ୟକ ରହିଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରି ଦୁଲ୍ଲଭଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ସାଥୀ ଶ୍ରମିକ ଏବଂ ଠିକା ସଂସ୍ଥାକୁ ହସ୍ତାନ୍ତର କରିଛି।
ଆମ୍ବୁଲାନ୍ସ ଯୋଗେ ମୃତଦେହ ଗାଁକୁ ଫେରୁଥିବା ପରିବାର ସୂତ୍ରରୁ ଜଣାପଡ଼ିଛି। ମୃତ ଯୁବକଙ୍କ ପରିବାର ଲୋକେ ଗରୀବ ଶ୍ରେଣୀର। ଅନ୍ୟପକ୍ଷେ ପରିବାରର ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଏନେଇ ମୃତକଙ୍କ ପରିବାର ଲୋକଙ୍କୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦେବା ସହ ଗୁରୁତର ଥିବା ଯୁବକଙ୍କ ଚିକିତ୍ସା ନିମନ୍ତେ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।