ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାହୁନି ବାହୁନି କାନ୍ଦୁଛି…

ନୂଆପଡ଼ା/କୋମନା,୨୧ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ସୋସେଙ୍ଗ ସେବାଶ୍ରମରେ ଶନିବାର ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଅଡାର (କେଚ୍ଛପଖାନ) ଗାଁର ଜଳସିଂ ମାଝୀଙ୍କ ୭ବର୍ଷର ପୁଅ ପବିତ୍ର ମାଝୀ। ପବିତ୍ର ସେବାଶ୍ରମରେ ରହି ପ୍ରଥମ ଶ୍ରେଣୀରେ ପାଠ ପଢ଼ୁଥିଲେ। ଗତ ୧୧ ତାରିଖରେ ହଠାତ୍‌ ସ୍ବାସ୍ଥ୍ୟ ଖରାପ ହେବାରୁ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଭେଳା ଡାକ୍ତରଖାନା ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ଗୁରୁତର ହେବାରୁ ତାଙ୍କୁ କଟକ ଶିଶୁଭବନ ସ୍ଥାନାନ୍ତର କରାଯାଇଥିଲା। ହେଲେ ୧୮ ତାରିଖରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ୧୯ରେ ମୃତଦେହ ଘରେ ପହଞ୍ଚତ୍ବା ପରେ ୨୦ ତାରିଖ ସକାଳେ ଜିଲା ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ଗ୍ରାମବାସୀଙ୍କ ଉପସ୍ଥିତିରେ ସତ୍କାର କରାଯାଇଥିଲା। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ରେଡ୍‌କ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ନଗଦ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଗୌଡ଼ ସମାଜ କର୍ମକର୍ତ୍ତା ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। ଏ ନେଇ ଜିଲା ମଙ୍ଗଳ ଅଧିକାରୀ ଭୋଇଙ୍କୁ ପଚାରିବାରୁ ଏ ଦିଗରେ ତଦନ୍ତ ଚାଲିଛି, ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ମୃତକଙ୍କ ପରିବାରକୁ ନିୟମ ଅନୁସାରେ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Share