କୁତ୍ରା,୨୪ା୮(ଦେବାଶିଷ ସାହୁ): ବହୁ ବର୍ଷ ଧରି ମାଲିକଙ୍କୁ ରୋଜଗାର ଯୋଗାଉଥିଲା ଓଟ। ଯେତେବେଳେ ଓଟ ଅସୁସ୍ଥ ହେଲା ସେତେବେଳେ ମାଲିକ ତାକୁ ଛାଡ଼ିଦେଇ ଚାଲିଗଲେ। ବର୍ଷାରେ ଭିଜି ଭିଜି ଖାଇବା ନ ମିଳିବାରୁ ଭୋକ ସହି ନ ପାରି ରୋଗିଣା ଓଟ ୩ଦିନ ପରେ ମୃତ୍ୟୁବରଣ କରିଛି।

ରବିବାର ପ୍ରାଣୀ ଚିକିତ୍ସିକ ଦଳ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ କରିଥିଲେ। ବ୍ଲକ ପ୍ରଶାସନ ଓ କନ୍ଦେଇମୁଣ୍ଡା ସରପଞ୍ଚ ସୁଧୀର ମିଞ୍ଜଙ୍କ ସହାୟତାରେ ତାକୁ ଆମ୍ବ ବଗିଚାରେ ଗାତ ଖୋଳି ପୋତି ଦିଆଯାଇଛି। ପ୍ରଶାସନ ଓ ପ୍ରାଣୀ ସୁରକ୍ଷା ବିଭାଗ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି ।

ସୂଚନା ଅନୁଯାୟୀ, କୁତ୍ରା ବ୍ଲକ ଅନ୍ତର୍ଗତ ତେଲିଘଣା ଆମ୍ବ ବଗିଚାରେ ଗୁରୁବାରଠାରୁ ଗୋଟିଏ ଅସୁସ୍ଥ ଓଟ ଗଛରେ ବନ୍ଧା ହୋଇଥିଲା। ଲଘୁଚାପ ବର୍ଷାରେ ସେ ଭିଜୁଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ଶନିବାର କୁତ୍ରା ପ୍ରାଣୀ ଚିକିତ୍ସକ ଦଳ ପହଞ୍ଚି ଓଟର ଚିକିତ୍ସା କରିଥିଲେ ଓ ଏକ ପାଲରେ ଛାଉଣି କରିଥିଲେ।