ବାରଙ୍ଗ,୨୩।୧୨(ଲିଙ୍ଗରାଜ ରାଉତ): ଚନ୍ଦକା ଜଙ୍ଗଲର କୁମାରଖୁଣ୍ଟିରେ ରହୁଥିବା ୬ମାସର ମା’ଛେଉଣ୍ଡ ହାତୀ ଛୁଆ ଶମ୍ଭୁ ମଙ୍ଗଳବାର ମୃତ୍ୟୁବରଣ କରିଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନ ଥିବାବେଳେ ହର୍ପିକସ୍ କିମ୍ବା ଆଭ୍ୟନ୍ତରିଣ ଅସୁବିଧା ଯୋଗୁ ଶମ୍ଭୁର ମୃତ୍ୟୁ ଘଟିଛି ବୋଲି ବନ ବିଭାଗ ପକ୍ଷରୁ ସନ୍ଦେହ କରାଯାଉଛି।
ମିଳିଥିବା ସୂଚନା ମୁତାବକ, ଚଳିତ ମାସ ୧୪ ତାରିଖରେ କେନ୍ଦୁଝର ବନଖଣ୍ଡରୁ ଉଦ୍ଧାର ହୋଇ ଚନ୍ଦକା ଆସିଥିଲା ଶମ୍ଭୁୁ। ଚନ୍ଦକା ଆସିବା ପରେ ତାକୁ କୁମାରଖୁଣ୍ଟିଠାରେ ଥିବା ବାଲ ହସ୍ତୀ ଭବନରେ ରଖାଯାଇ ଲାଳନ ପାଳନ କରାଯାଉଥିଲା। ମା’ ଓ ହାତୀ ପଲଠାରୁ ଅଲଗା ହୋଇ ଏକ ଖାଲରେ ପଡ଼ି ଯାଇଥିଲା ୬ ମାସର ଅଣ୍ଡିରା ହାତୀଛୁଆ ଶମ୍ଭୁ। ଖାଲରେ ପଡ଼ିବାରୁ ତା ପଛଗୋଡରେ ଆଘାତ ଲାଗି ଚାଲିବାରେ ଅସୁବିଧା ହେଉଥିଲା। ବନ ବିଭାଗ ଉଦ୍ଧାର କରି ମା’ ଏବଂ ହାତୀପଲ ସହ ମିଶାଇବାକୁ ଚେଷ୍ଟାକରି ବିଫଳ ହେବାରୁ ଚନ୍ଦକା ଅଣାଯାଇଥିଲା। ଚନ୍ଦକା ଆସିବା ପରେ ଛୁଆ ହାତୀର ନାମ ଶମ୍ଭୁ ରଖାଯାଇଥିଲା।
ହାତୀଛୁଆ ଆସିବା ପରେ ଚନ୍ଦକା ବନଖଣ୍ଡରେ ଖୁସିର ଲହରୀ ଖେଳିଯାଇଥିଲା। ହେଲେ ହଠାତ୍ ସମ୍ବୁର ମୁତ୍ୟୁ ସମସ୍ତଙ୍କୁ ବ୍ୟତିବ୍ୟସ୍ତ କରିଛି। ସୋମବାର ସକାଳେ ଶମ୍ଭୁ ଅସୁସ୍ଥ ହୋଇପଡିଥିଲା। ପରେ ଚନ୍ଦକା ବନବିଭାଗ ଅଧିକାରୀ ସ୍ଥାନୀୟ ପଶୁ ଚିକିତ୍ସକ ଏବଂ ନନ୍ଦନକାନନର ପଶୁ ଚିକିତ୍ସା ଦଳ ସହିତ ପରାମର୍ଶ କ୍ରମେ ଚିକିତ୍ସା ଆରମ୍ଭ କରିଥିଲେ।
ହେଲେ ସାରେ ସ୍ବାସ୍ଥ୍ୟରେ ଉନ୍ନତିହେବା ସହ ସମ୍ଭୁ ଖାଦ୍ୟ ଗ୍ରହଣ କରି ଧୀରେ ଧୀରେ ଚାଲିବା ଆରମ୍ଭ କରିଥିଲା । ହେଲେ ମଙ୍ଗଳବାର ସକାଳେ ପୁଣି ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଦେଖାଦେଇଥିଲା। ସାଲାଇନ ଓ ଔଷଧ ଦିଆଯାଇ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା ଆରମ୍ଭ ସତ୍ତ୍ୱେ ଶମ୍ଭୁର ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇ ନ ଥିଲା। ଶମ୍ଭୁର ସ୍ବାସ୍ଥ୍ୟରେ ସୁଧାର ଆଣିବାପାଇ ନନ୍ଦନକାନନକୁ ସ୍ଥାନାନ୍ତର କରିବାକୁ ବନବିଭାଗ ଯୋଜନା କରାଯାଇଥିବା ବେଳେ ମଙ୍ଗଳାବର ସକାଳ ସାଢେ ୭ଟା ସମୟରେ ଶମ୍ଭୁର ମୁତ୍ୟୁ ଘଟିଥିଲା। ଯାହାକୁନେଇ ଚନ୍ଦକା ବନ ବିଭାଗ କର୍ମଚାରୀମାନଙ୍କ ମଧ୍ୟରେ ଦୁଃଖର ବାତାବରଣ ଖେଳିଯାଇଛି।
କେଉଁ କାରଣରୁ ଶମ୍ଭୁର ମୃତ୍ୟୁ ଘଟିଲା ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି। ହର୍ପିକସ କିମ୍ବା ଆଭ୍ୟନ୍ତରିଣ ଅସୁବିଧା ଯୋଗୁ ହାତୀ ଛୁଆର ମୃତ୍ୟୁ ଘଟିଛି ବୋଲି ସନ୍ଦେହ କରାଯାଉଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।