‘ନୂଆପଡ଼ା ପାଇଁ ନୂଆଦିଲ୍ଲୀରେ ସରିଛି ଡିଲ୍‌’

ଭୁବନେଶ୍ୱର,୩ା୧୧(ରବିନାରାୟଣ ଜେନା): ନୂଆପଡ଼ା ଉପନିର୍ବାଚନ ପାଇଁ ନୂଆଦିଲ୍ଲୀରେ ଡିଲ୍‌ ହୋଇସାରିଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ରବିବାର କଂଗ୍ରେସ ଭବନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ଗୋଟିଏ ପଟେ ଭାଜପା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ବିଜେଡିର ମୁଖ୍ୟ ଭି. କେ. ପାଣ୍ଡିଆନ ଏକତ୍ର ମିଶି କଂଗ୍ରେସ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି। ବୈଷ୍ଣବ ଏବଂ ପାଣ୍ଡିଆନଙ୍କ ବୁଝାମଣା ଅନୁଯାୟୀ,ବିଜେଡିର ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଭାଜପା ପ୍ରାର୍ଥୀ କରିଛି। ବିଜେଡି ଜାଣିଶୁଣି ସ୍ଥାନୀୟ କର୍ମକର୍ତ୍ତାଙ୍କୁ ପ୍ରାର୍ଥୀ ନ ଦେଇ ବାହାର ଜିଲାର ନେତ୍ରୀଙ୍କୁ ପ୍ରାର୍ଥୀ କରିଛି। ଉଭୟ ଦଳର ଲକ୍ଷ୍ୟ ହେଲା ଭାଜପା ପ୍ରାର୍ଥୀଙ୍କୁ ଜିତାଇବା।
ସେ କହିଛନ୍ତି, ପୂର୍ବରୁ ବିଜେଡି-ଭାଜପାର ମିଳିତ ସରକାର ଥାଇ ମଧ୍ୟ ତଳସରା ଓ ଲକ୍ଷ୍ମୀପୁର ଉପନିର୍ବାଚନ କଂଗ୍ରେସ ଜିତିଥିଲା। ଏଥର ମଧ୍ୟ କଂଗ୍ରେସ ପ୍ରାର୍ଥୀ ନୂଆପଡ଼ାରେ ବିଜୟୀ ହେବେ। ନବୀନ ପଟ୍ଟନାୟକ କେବଳ ଦୋଷ ଘୋଡ଼ାଇବା ପାଇଁ ଭାଜପା ସହିତ ଆମେ ନାହୁଁ ବୋଲି କହୁୁଛନ୍ତି।
ହେଲେ ତାଙ୍କ କଥା ଓ ଆନ୍ତରିକତା ଭିତରେ ଯେଉଁ ବ୍ୟବଧାନ ରହିଛି ତାହାକୁ ରାଜ୍ୟବାସୀ ସମସ୍ତେ ବୁଝି ସାରିଛନ୍ତି ବୋଲି ଜେନା କହିଛନ୍ତି। ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ କହିଛନ୍ତି, ବିଜେଡି ନିର୍ବାଚନ ଲଢ଼ିବାର ଅଭିନୟ କରୁଛି। କେମିତି କିଛି ସମ୍ମାନଜନକ ଭୋଟ ସଂଖ୍ୟା ହାସଲ ହେବ ସେଥିପାଇଁ ତାଙ୍କର ପ୍ରୟାସ। କିନ୍ତୁ କଂଗ୍ରେସ ସାମାଜିକ ନ୍ୟାୟ ଏବଂ ସାମୂହିକ ବିକାଶକୁ ଗୁରୁତ୍ୱ ଦେଉଛି ବୋଲି ସେ କହିଥିଲେ।

Dharitri – Odisha’s No.1 Trusted Odia Daily

Share