ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ ୨୦୨୩ ଅଗଷ୍ଟ ମାସରୁ ତାଙ୍କୁ ଆଉ ଭତ୍ତା ମିଳିଲା ନାହିଁ। ସେ ପଞ୍ଚାୟତ ଅଫିସଠାରୁ ଆରମ୍ଭ କରି ବ୍ଲକ ବାରମ୍ବାର ଅଭିଯୋଗ କଲା ପରେ ତାଙ୍କୁ ମିଳିଲା ନାହିଁ। ଆଧାର ଠିକ୍‌ ନାହିଁ, କଓ୍ବୋଇସି ହେଉନାହିଁ ଏଭଳି ବିଭିନ୍ନ ଆଳ ଦେଖାଇ କହିଲେ। ଶେଷରେ ନିରାଶ ହୋଇ ରହିଲେ। ଏହି ସମୟରେ ସ୍ଥାନୀୟ ସୂଚନା ଅଧିକାର କର୍ମୀ ଅମିତ କୁମାର ମହାନ୍ତି ଖବର ପାଇ ତାଙ୍କୁ ସହାୟତାର ହାତ ବଢ଼ାଇଲେ। ସେ ସୂଚନା ଆଇନ ଅନୁଯାୟୀ ସୂଚନା ମାଗି କାରଣ ଖୋଜିଲେ। ତେବେ କାରଣ ଖୋଜିବା ବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ନାମରେ ଥିବା ରାଶନକାର୍ଡ ନମ୍ବର ୧୮୧୦୦୩୧୦୧୧୧ରେ ସେ ଜୀବିତ ଅଛନ୍ତି ଓ ତାଙ୍କ ନାମରେ ଚାଉଳ ଉଠାଯାଉଛି। ସେ ଏନେଇ ବ୍ଲକରେ ଅଭିଯୋଗ କରିଥିଲେ ହେଁ କେହି ଶୁଣିଲେ ନାହିଁ। ତାଙ୍କର ୨୦୨୩ରୁ ଉକ୍ତ ମହିଳା ଭତ୍ତା ଅର୍ଥ ପାଇବା ନେଇ ସେ ସବୁ ସ୍ତରରେ ନିରାଶ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଆସୁଛନ୍ତି କିନ୍ତୁ ନ୍ୟାୟ ପାଇବାରୁ ବାଧ୍ୟ ହୋଇ ଭାଗକୁ ଆଦରି ଚୁପ୍‌ ହୋଇ ବସିଛି ବୋଲି ସୂଚନା ଅଧିକାର କର୍ମୀ ଅମିତ କହିଛନ୍ତି। ଏଣୁ ଏହାର ସଠିକ୍‌ ତଦନ୍ତ କରି ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି ହେଉଛି।

Dharitri – Odisha’s No.1 Odia Daily

Share