ଦିଗପହଣ୍ଡି,୨୭।୧(ଅଶେଷ ନାଥ ମିଶ୍ର): ପୋଖରୀରେ ଭାସୁଛି ନବଜାତ କନ୍ୟାର ମୃତଦେହ। ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ବଡ଼ବନ୍ଧ ପୋଖରୀରେ ମଙ୍ଗଳବାର ସକାଳ ପ୍ରାୟ ୬ ଟାରେ ଏକ ନବଜାତ ଶିଶୁକନ୍ୟାଙ୍କ ମୃତଦେହ ଭାସୁଥିବା ଗ୍ରାମର କିଛି ମହିଳା ଦେଖିଥିଲେ। ଖବର ଗାଁ ସାରା ବିଜୁଳି ବେଗରେ ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଥିଲା।
କୁମାରୀ ମାତୃତ୍ଵ ପରେ ଲୋକ ଲଜ୍ଜା ଭୟରେ ଜନ୍ମିତ ଶିଶୁକନ୍ୟାଙ୍କୁ ମାରି ଦେଇ ପୋଖରୀ ପାଣିରେ ଫୋପାଡି ଦିଆଯାଇଥିବା ନେଇ ଗାଁ ସାରା ଚର୍ଚ୍ଚା ଲାଗି ରହିଛି । ମୃତ ଶିଶୁକନ୍ୟା ଜନ୍ମ ହେବା ପରେ ଗ୍ରାମର କୌଣସି ମହିଳା ସୋମବାର ସନ୍ଧ୍ୟାରେ ମୃତଦେହ ଆଣି ପୋଖରୀରେ ଫୋପାଡି ଚାଲିଯାଇଥିବା ଗ୍ରାମର କିଛି ବ୍ୟକ୍ତି ଜଣାଇଛନ୍ତି।ସରକାରୀ ଓ ବେସରକାରୀ ସ୍ତରରେ ଲିଙ୍ଗ ନିରୂପଣ ଓ ଭ୍ରୁଣହତ୍ୟା ବିରୋଧରେ ବ୍ୟାପକ ଜନ ସଚେତନତା କରାଯାଉଥିଲେ ମଧ୍ୟ ଏବେବି ଶିଶୁକନ୍ୟା ସମସ୍ତଙ୍କ ପାଇଁ ଅଲୋଡ଼ା ପାଲଟିଛି । ବେଟି ବଚାଓ ବେଟି ପଢାଅ ସ୍ଲୋଗାନ ନିରର୍ଥକ ହୋଇଛି। ଏହି ଘଟଣା ସମ୍ପର୍କରେ ଗ୍ରାମର କୌଣସି ବ୍ୟକ୍ତି ଆମକୁ ଜଣାଇନଥିବା ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି ।