ମୋରଡା,୧୯।୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରୁ ବନବିଭାଗ ଗୁରୁବାର ଏକ ଶାବକ ହାତୀର ଗଳିତ ମୃତଦେହ ଜବତ କରିଛି। ହେଲେ ଶାବକ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଡାକ୍ତରୀ ଦଳ ଘଟଣାର ଅନୁଧ୍ୟାନ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ମିଳିଥିବା ସୂଚନା ମୁତାବକ, ରାସଗୋବିନ୍ଦପୁର ରେଞ୍ଜ ତଥା ମୋରଡ଼ା ବ୍ଲକ ଅଧୀନ ପଳାସମୁଣ୍ଡୁଳି ପଞ୍ଚାୟତ ସଂରକ୍ଷିତ ଜଙ୍ଗଲକୁ ଗୁରୁବାର ଅପରାହ୍ନରେ ସ୍ଥାନୀୟ ଲୋକେ ପତ୍ର ତୋଳିବା ପାଇଁ ଯାଇଥିଲେ। ତାଙ୍କ ସହ ଜଙ୍ଗଲକୁ ଅଗ୍ନି ଦାଉରୁ ରକ୍ଷା କରିବା ଦାୟିତ୍ୱରେ ଥିବା କାଳୀଚରଣ ଟୁଡୁ ମଧ୍ୟ ଉପସ୍ଥିତ ଥିଲେ। ସେତିକିବେଳେ ଜଙ୍ଗଲର ମହିଷାସୁରି ନିକଟରେ ଏକ ଶାବକ ହାତୀର ମୃତଦେହ ପଡିଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ।
ଖବର ପାଇ ଡିଏଫଓ ଗୋବିନ୍ଦଚନ୍ଦ୍ର ବିଶ୍ୱାଳ, ଏସ୍ସିଏଫ ମେହେରବାନ ଅଲ୍ଲୀ ଏବଂ ରାସଗୋବିନ୍ଦପୁର ରେଞ୍ଜର ଘନଶ୍ୟାମ ସିଂ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଅନ୍ୟପକ୍ଷେ ଜଙ୍ଗଲରେ ପୂର୍ବରୁ ନିଆଁ ଲାଗି ଥିବା ବେଳେ ବର୍ତ୍ତମାନ ଜଙ୍ଗଲର ବିପରୀତ ଦିଗରେ ନିଆଁ ଲାଗିଛି। ନିଆଁ ଲିଭାଇବା ଦଳ ନିଆଁକୁ ଆୟତ୍ତ କରିବାର ଲାଗିଛନ୍ତି। ବର୍ତ୍ତମାନ ଉକ୍ତ ଜଙ୍ଗଲରେ ୧୩ଟି ଶିମିଳିପାଳ ହାତୀ ରହିଥିବା ରେଞ୍ଜର ସିଂ ସୂଚନା ଦେଇଛନ୍ତି ।

