ଲାଞ୍ଜିଗଡ଼,୨୭ା୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରେ ଦାଦନଙ୍କ ମୃତ୍ୟୁ ଘଟୁଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲା ଅନକାପାଲିଠାରେ ଦୁଇ ମାସ ତଳେ ମାଳିଯୁବାଙ୍ଗ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପେଟ ଗାଁର ଜଣେ ନାବାଳକ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଦୁଇମାସ ନ ପୂରୁଣୁ ପୁଣିଥରେ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ବରାପାଲି ଗାଁର ଯୁବକ କାଲିବାବୁ ହରିଜନ (୪୫) ପରିବାର ପ୍ରତିପୋଷଣ ପାଇଁ କେରଳର ଆଙ୍ଗାମାଳି ଜିଲାକୁ ଦାଦନ ଖଟିବାକୁ ଯାଇଥିବା ବେଳେ ବୁଧବାର ସେଠାରେ ମୃତ୍ୟୁ ଘଟିଥିଲା।
ସୂଚନାନୁସାରେ କାଳିବାବୁ ହରିଜନ ଏକ ବର୍ଷ ହେଲା କେରଳର ଆଙ୍ଗାମାଳି ଜିଲାକୁ ଯାଇ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଗତ ୨୩ ଏପ୍ରିଲ ବୁଧବାର କୌଣସି କାର୍ଯ୍ୟ ପାଇଁ ରାସ୍ତାରେ ଚାଲି ଯାଉଥିବା ସମୟରେ କୌଣସି ଅଜଣା ଗାଡ଼ି ଧକ୍କା ଦେଇଥିଲା। ଯାହା ଫଳରେ ଘଟଣାସ୍ଥଳରେ କାଳିବାବୁର ମୃତ୍ୟୁ ଘଟିଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ମୃତ୍ୟୁ ଖବର ଜାଣିବା ପରେ ପରିବାର ଲୋକେ ମରଶରୀର ଆଣିବା ପାଇଁ ପ୍ରଶାସନ ନିକଟରେ ଗୁହାରି କରିବା ସହ ଆର୍ଥିକ ସହାୟତା ପାଇଁ କଳାହାଣ୍ଡି ଜିଲାପାଳଙ୍କୁ ଗୁହାରି କରିଥିଲେ। ପରିବାର କହିଲେ ସ୍ତ୍ରୀ ସମେତ ଦୁଇ ପୁଅ ଝିଅ ରହିଥିବା ବେଳେ ଏବେ ପରିବାର ପ୍ରତିପୋଷଣ ପାଇଁ ମୁସ୍କିଲ ହୋଇପଡ଼ିଛି। ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସ୍ତ୍ରୀ ଧନଦେଇ ହରିଜନ ପ୍ରଶାସନ ନିକଟରେ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଆକୁଳ ନିବେଦନ କରୁଛନ୍ତି।
ଏନେଇ ଅତିରିକ୍ତ ଶ୍ରମ ଅଧିକାରୀ ଜୀତମ ମାଝୀଙ୍କୁ ପଚାରିବାରୁ ଜିଲା ପ୍ରଶାସନର ପକ୍ଷରୁ ଶୁଦ୍ଧିକ୍ରିୟା ପାଇଁ ୨୦ ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ମୃତକ ପରିବାର ତରଫରୁ କାଗଜପତ୍ର ଦାଖଲ କଲେ ସରକାରଙ୍କ ଯାହା ପ୍ରକ୍ରିୟା ଥିବ ସେହି ଅନୁସାରେ କାର୍ଯ୍ୟକାରୀ ହେବ ବୋଲି ପ୍ରକାଶ କରିଥିଲେ। କେରଳର କମ୍ପାନୀ ମାଲିକ ଆମ୍ବୁଲାନ୍ସ ଦ୍ୱାରା ମୃତଦେହ ଗାଁକୁ ପଠାଇଥିବା ପରିବାର ଠାରୁ ସୂଚନା ମିଳିଥିବା ବେଳେ ଜନ୍ମମାଟି ବରାପାଲି ଗାଁକୁ ଶନିବାର ଶବ ପହଞ୍ଚିଲା ପରେ କାନ୍ଦ ବୋବାଳିରେ ଗଁଦାଣ୍ଡ ଫାଟି ପଡୁଥିବା ବେଳେ ଶୋକାକୁଳ ପରିବେଶରେ ଶ୍ମଶାନରେ ଶବଦାହ କରାଯାଇଥିଲା। ଲାଞ୍ଜିଗଡ଼ ଅଞ୍ଚଳରେ ପୁଣି ଦୁଇ ମାସ ବ୍ୟବଧାନରେ ଆଉ ଜଣେ ଦାନନ ଶ୍ରମିକଙ୍କ ମୃତଦେହ ଗାଁକୁ ପହଞ୍ଚିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଲାଞ୍ଜିଗଡ଼ ଅଞ୍ଚଳରେ ବାରମ୍ବାର ଏହିଭଳି ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟୁଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।