ନାଳରୁ ମିଳିଲା ମୃତଦେହ, ମୃତକଙ୍କ ଶରୀରରେ ନାହିଁ କ୍ଷତଚିହ୍ନ, ପୋଲିସ କହୁଛି…

ବ୍ରହ୍ମପୁର,୩୦ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ସଦର ଥାନା ଅନ୍ତର୍ଗତ ମାୟାପୁରୀ ନିକଟ ଦେଇ ସାପୁଆନାଳରୁ ଗୁରୁବାର ପୋଲିସ ଏକ ଗଳିତ ମୃତଦେହ ଜବତ କରିଛି। ତେବେ ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ତାଙ୍କର ଆନୁମାନିକ ବୟସ ୬୦ ହେବ ବୋଲି ପୋଲିସ କହିଛି। ମୃତକଙ୍କ ଦେହରେ କୌଣସି କ୍ଷତ ଚିହ୍ନ ନ ଥିବା ଜଣାପଡ଼ିଛି। ଉକ୍ତ ବ୍ୟକ୍ତି ଜଣଙ୍କ ଶୌଚ ପାଇଁ ଯାଇଥିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିବାରୁ ପାଣିରେ ବୁଡ଼ି ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ସନ୍ଦେହ କରୁଛି। ମୃତଦେହ ଜବତ କରି ପୋଲିସ ୩୧/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତକଙ୍କ ପରିଚୟ ସ୍ପଷ୍ଟ କରିବା ପାଇଁ ସଂରକ୍ଷଣ ରଖାଯାଇଛି।

ଘଟଣାରୁ ପ୍ରକାଶ ଯେ, ଗୁରୁବାର ପୂର୍ବାହ୍ନରେ ଉକ୍ତ ନାଳରେ ଏକ ମୃତଦେହ ଭାସୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ। ସେମାନେ ପୋଲିସକୁ ଖବର ଦେଇଥିଲେ। ପୋଲିସ ସେଠାରେ ପହଞ୍ଚି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ନାଳ ଭିତରୁ ମୃତଦେହ ଜବତ କରିଥିଲା। ମୃତକଙ୍କ ପରିଚୟ ଜାଣିବା ପାଇଁ ବହୁ ସମୟ ଧରି ମୃତଦେହ ସେଠାରେ ରଖିଥିଲା। ହେଲେ ସ୍ଥାନୀୟ ଅଞ୍ଚଳର ହୋଇ ନ ଥିବା ଲୋକେ କହିଥିଲେ। ପୋଲିସ ସେଠାରେ ମୃତଦେହ ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

Dharitri – Odisha’s No.1 Trusted Odia Daily

Share