ଗଜପତି(ଗିରିଧାରୀ ପରିଛା)୧୬।୫: କଥାରେ ଅଛି ସବୁ ଗଛ ଲଗେଇବୁ ହେଲେ ମଣିଷ ଗଛ ନୁହେଁ। ପାଳିପୋଷି ବଡ଼ କରିଥିବା ମା’କୁ ପ୍ରେମିକ ସହ ମିଶି ହତ୍ୟା କରିଛନ୍ତି ନାବାଳିକା ଝିଅ। ଏମିତି ଏକ ଘଟଣା ପ୍ରମାଣିତ ହୋଇଛି ଗଜପତି ଜିଲା ପାରଳାଖେମୁଣ୍ଡିର ଶୁଣ୍ଢି ସାହିରେ। ଜଣେ ନାବାଳିକା ନିଜ ପ୍ରେମ ପାଇଁ ପ୍ରେମିକଙ୍କ ସହ ମିଶି ପୋଷିଥିବା ମାଙ୍କୁ ମାରିଦେଇଛନ୍ତି।
ପାରଳାଖେମୁଣ୍ଡି ଶୁଣ୍ଢି ସାହିରେ ରାଜଲକ୍ଷ୍ମୀ କର ନାମକ ଜଣେ ବିଧବା ମହିଳା ନିଜ ପୋଷ୍ୟ ଝିଅର ପାଠ ପଢା ନିମନ୍ତେ ଭୁବନେଶ୍ୱରରୁ ଆସି ରହୁଥିଲେ। ଝିଅଟିକୁ ନିଜେ ଜନ୍ମକରି ନ ଥିଲେ ମଧ୍ୟ ଜନ୍ମ ହେବାର ତିନିଦିନ ପରଠାରୁ ନିଜ ପାଖରେ ରଖି ଲାଳନପାଳନ କରି ବଡ଼କରି ପାରଳାଖେମୁଣ୍ଡି କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢ଼ାଉଥିଲେ । ହେଲେ ଝିଅ ୧୩ ବର୍ଷ ବୟସରେ ପାରଳାଖେମୁଣ୍ଡି ରାଜଗୁରୁ ସାହିର ଗଣେଶ ରଥ ନାମକ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ବିଭିନ୍ନ ସମୟରେ ରାଜଲକ୍ଷ୍ମୀଙ୍କ ସୁନା ଗହଣା ଘରୁ ଚୋରିକରି ପ୍ରେମିକକୁ ଦେଉଥିଲେ ଝିଅ।
ଯେତେବେଳେ ରାଜଲକ୍ଷ୍ମୀ ଏହାକୁ ପ୍ରତିବାଦ କଲେ ସେତେବେଳେ ଗଣେଶ, ରାଜଲକ୍ଷ୍ମୀଙ୍କୁ ରାସ୍ତାରୁ ହଟେଇବା ପାଇଁ ଯୋଜନା କଲେ। ଗତ ଏପ୍ରିଲ ୨୯ ରେ ଝିଅର ସହାୟତା ନେଇ ନିଦ ଔଷଧ ଖୁଆଇ ତାଙ୍କୁ ଅଚେତ କରିଥିଲେ। ପରେ ଗଣେଶ ଓ ତାଙ୍କ ସହଯୋଗୀ ରାଜଲକ୍ଷ୍ମୀଙ୍କ ମୁହଁରେ ତକିଆଦେଇ ଶ୍ୱାସ ରୁଦ୍ଧକରି ମାରିଥିଲେ। ପରେ ନାଟକୀୟ ଢଙ୍ଗରେ ସମ୍ପର୍କୀୟଙ୍କୁ ରାଜଲକ୍ଷ୍ମୀଙ୍କ ହୃତଘାତରେ ମୃତ୍ୟୁ ହୋଇଥିବା କହିଥିଲେ। ମରଶରୀର ନେଇ ଭୁବନେଶ୍ୱରରେ ରହୁଥିବା ତାଙ୍କ ମାମୁ ପ୍ରଫୁଲ ମିଶ୍ରଙ୍କ ପାଖକୁ ଯାଇଥିଲେ । ସେଠାରେ ଡାକ୍ତରଙ୍କୁ ମଧ୍ୟ ଦେଖାଯାଇଥିଲା। ପୂର୍ବରୁ ଯେହେତୁ ରାଜଲକ୍ଷ୍ମୀ ହୃତଘାତ ଔଷଧ ବ୍ୟବହାର କରୁଥିଲେ। ଝିଅ କଥାରେ ଡାକ୍ତର ବିଶ୍ୱାସ କରିଥିଲେ। ମୃତ୍ୟୁର କାରଣ ତାହା ହୋଇଥିବ ବୋଲି ସମ୍ପର୍କୀୟ ଓ ଡାକ୍ତର ମାନିନେଲେ । ପରେ ପ୍ରେମିକ ଗଣେଶ, ସହଯୋଗୀ, ଦିନେଶ, ଝିଅ,ଓ ସମ୍ପର୍କୀୟ ମୃତଦେହ ପୁରୀ ନେଇ ଶେଷକୃତ୍ୟ ସମ୍ପନ୍ନ କରିଥିଲେ।
ମାତ୍ର ଝିଅଙ୍କ ବ୍ୟବହାରରେ ତାଙ୍କ ମାମୁଙ୍କ ସନ୍ଦେହ ହୋଇଥିଲା ଏହା ପରେ ଭାଣିଜୀ ଓ ତାଙ୍କ ପ୍ରେମିକ ଗଣେଶଙ୍କ ଇନ୍ଷ୍ଟାଗ୍ରାମ ଚେକ୍ କରାଯାଇଥିଲା। ପରେ ରାଜଲକ୍ଷ୍ମୀଙ୍କ ଭାଇ ପାରଳା ଖେମୁଣ୍ଡି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ସେମାନଙ୍କୁ ଡାକି ପଚରାଉଚରା କରାଯାଇଥିଲା। ସେମାନେ ସତ ମାନିଥିଲେ ଶୁକ୍ରବାର ତାଙ୍କୁ କୋର୍ଟଚାଲାଣ କରାଯାଇଛି।