ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ ସବୁର ଦେଖଣାହାରି ସାଜିଥିଲେ ପୁଅ। ଉଦଳା ଥାନା ଏନଏସି ୬ ନମ୍ବର ୱାର୍ଡରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନା ଅନୁସାରେ, ଗ୍ରାମର ସାବିତ୍ରୀ ଦତ୍ତ ସନ୍ଧ୍ୟା ସମୟରେ ଘର ବାହାରେ ବସିଥିବା ବେଳେ ଅଚାନକ ବୋହୂ ମାମି ଦତ୍ତ ଘର ଭିତରୁ ବାହାରି ଆସି ସାବିତ୍ରୀଙ୍କୁ ଘର ଭିତରକୁ ଘୋଷାରି ନେଇଥିଲେ । ଏହାପରେ ବେତବାଡ଼ିରେ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ପନିକିରେ ଆକ୍ରମଣ କରିଥିଲେ। ଶାଶୁ ସାବିତ୍ରୀଙ୍କ ମୁଣ୍ଡ ଦେହକୁ ପନିକିରେ ହାଣି ଜୀବନରୁ ମାରିଦେବାକୁ ବୋହୂ ମାମି ଉଦ୍ୟମ କରୁଥିବା ବେଳେ ସେଠାରେ ଛିଡା ହୋଇ ଏ ସବୁ ଦେଖୁଥିଲେ ପୁଅ କୁଲୁ ଦତ୍ତ। ହେଲେ ସେ ଏହାକୁ ବାରଣ କରି ନଥିଲେ ।
ତେବେ ଆକ୍ରମଣରେ ଗୁରୁତର ହୋଇ ସାବିତ୍ରୀ ଚିତ୍କାର କରିବାରୁ ପଡିଶା ଲୋକେ ଆସି ତାଙ୍କୁ ଉଦ୍ଧାର କରିବା ସହିତ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଶାଶୁଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ହାଣିଥିବା ବୋହୂଙ୍କୁ ନିଜ ହେପାଜତକୁ ନେଇଛି । ସେପଟେ ଗୁଣି ଗାରେଡି ସନ୍ଦେହରେ ବୋହୂ ହାଣିଥିବା କହିଛନ୍ତି ସାବିତ୍ରୀ । ଅନ୍ୟପଟେ ଦେହରେ ଠାକୁରାଣୀ ଆସିଥିବାରୁ ସେ ଏପରି କରିଥିବା କହିଛନ୍ତି ବୋହୂ ।

