ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନ ପାଇଁ ସେମବାର ମତଦାନ ଚାଲିଛି। ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ ଭୋଟ ଦେଇଛନ୍ତି। ଏହି ସମୟରେ ସେ କହିଛନ୍ତି, ପିସିସି ସଭାପତି ଯାହାକୁ କହିଲେ ତାଙ୍କୁ ଭୋଟ ଦେଇଛି। ଯାହାଙ୍କୁ ନିର୍ଣ୍ଣୟ କରିଥିଲି ତାଙ୍କୁ ଭୋଟ ଦେଇଛି। ଯୋଗାଯୋଗ ହୋଇ ପାରୁ ନ ଥିବା ପ୍ରଶ୍ନରେ ଜବାବ ରଖି କହିଲେ, ମୋ ଘର ପାହାଡ଼ ଉପରେ, ନେଟୱର୍କ ନ ଥିଲା। ହ୍ବିପ ମାନି ନ ଥିବାରୁ ୨ ଥର ନୋଟିସ କରିଥିଲା କଂଗ୍ରେସ।
ରାଜ୍ୟ ସଭା ନିର୍ବାଚନ ପାଇଁ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ବିଧାୟକମାନଙ୍କୁ ଏକାଠି ରଖିବା ପାଇଁ ସବୁ ପ୍ରକାର ବଳ ଲଗାଇ ଦେଇଥିଲେ। ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସ ନିଜ ୮ ବିଧାୟକଙ୍କୁ ନେଇ ବେଙ୍ଗାଲୁରୁ ଚାଲି ଯାଇଥିଲେ। ମାତ୍ର ବାକି ୬ ଜଣ ବିଧାୟକ ଓଡ଼ିଶାରେଥିଲେ। ସେମାନେ ହେଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ବିଧାୟକ ତାରାପ୍ରସାଦ ବାହିନୀପତି, ରମେଶ ଜେନା, ସାଗର ଦାସ, ଦାଶରଥି ଗମାଙ୍ଗ ଏବଂ ସୋଫିଆ ଫିର୍ଦ୍ଦୋସ । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ବିଧାୟକ ଦାଶରଥି ଗମାଙ୍ଗ କଂଗ୍ରେସର କୌଣସି ନେତାଙ୍କୁ ଧରାଛୁଆଁ ଦେଉ ନ ଥିଲେ। ଟେଲିଫୋନ୍ ଯୋଗେ ମଧ୍ୟ ଦଳର ନେତୃତ୍ୱଙ୍କ ସହିତ ସେ ଯୋଗାଯୋଗ ରଖୁ ନ ଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଥିଲା। ଜଣେ ବରିଷ୍ଠ ବିଧାୟକ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଥିଲେ, ଦାଶରଥିଙ୍କ ସହ ଦଳ ପକ୍ଷରୁ କୌଣସି ଯୋଗାଯୋଗ ହୋଇପାରୁ ନ ଥିବାବେଳେ ସେ କେଉଁଠାରେ ଅଛନ୍ତି କାହାକୁ ଜଣାନାହିଁ। ଦଳର ୨ ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ରମେଶ ଜେନା ତାଙ୍କ ବିଷୟରେ ଜାଣିଥିଲେ ସୁଦ୍ଧା ସେମାନେ ନ ଜାଣିବା ଭଳି ଅଭିନୟ କରୁଥିବା ସେ କହିଥିଲେ।