ଦାରିଙ୍ଗବାଡି, ୨୭।୧୦ (ଅରୁଣ ସାହୁ )-ସାମୁଦ୍ରିକ ଝଡ଼ ତଥା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋନ୍ଥା’ର ପ୍ରଭାବରେ ସୋମବାର ଦାରିଙ୍ଗବାଡି ଅଞ୍ଚଳରେ ବର୍ଷା ଓ ପବନ ଆରମ୍ଭ ହୋଇଯାଇଛି। ତେବେ କନ୍ଧମାଳ ଜିଲାରେ ମଙ୍ଗଳବାର ଏହାର ପ୍ରଭାବ ଅଧିକା ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିବାବେଳେ ବର୍ଷା ଆରମ୍ଭ ହେବା ସହ କୋହଲା ପାଗ ସୃଷ୍ଟି ହୋଇଛି । ଏହି ସାମୁଦ୍ରିକ ଝଡ଼ର ପ୍ରଭାବରେ ଅଞ୍ଚଳରେ ସମ୍ଭାବ୍ୟ ବିପର୍ଯ୍ୟୟ କୁ ମୁକାବିଲା କରିବା ପାଇଁ ସ୍ଥାନୀୟ ପ୍ରଶାସନ ପ୍ରସ୍ତୁତ ରହିଛି। ତେବେ ଗତ ୨୦୧୮ ମସିହା ଅକ୍ଟୋବର ୧୧ର ସାମୁଦ୍ରିକ ଝଡ଼ ‘ତିତିଲି’ର ପ୍ରଭାବରେ ଦାରିଙ୍ଗବାଡିଠାରୁ ସୋରଡ଼ାକୁ ସଂଯୋଗ କରୁଥିବା ଗାଜଲବାଡି ଘାଟିରେ ଏକାଧିକ ସ୍ଥାନରେ ଭୂସ୍ଖଳନ ହୋଇଥିବା ନଜିର ରହିଥିବାବେଳେ ଚଳିତ ବାତ୍ୟାରେ ମଧ୍ୟ ଉକ୍ତ ଘାଟିରେ ସମ୍ଭାବ୍ୟ ଭୂସ୍ଖଳନ ହୋଇପାରେ ବୋଲି ଆଶଙ୍କା କରାଯାଇଛି। ତେବେ ଏହାର ମୁକାବିଲା କରିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଅଗ୍ନିଶମ ବିଭାଗ ମଧ୍ୟ ଏହି ଘାଟିରେ ସମ୍ଭାବ୍ୟ ଭୂସ୍ଖଳନକୁ ନଜରରରେ ରଖି ମୁକାବିଲା ପାଇଁ ପ୍ରସ୍ତୁତି ଚଳାଇଛି।
Dharitri – Odisha’s No.1 Odia Daily

