ଦାରିଙ୍ଗବାଡି,୧୮ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ପକ୍ଷରୁ ଦ୍ଵିତୀୟ ଦିନରେ ମଧ୍ୟ ଚୋରାମଦ ଧରପଗଡ଼ ଜୋରଦାର କରାଯାଇଛି । ଦାରିଙ୍ଗବାଡି ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ନେତୃତ୍ୱରେ ଅବକାରୀ ବିଭାଗ ଏବଂ ପୋଲିସ ସୁରକ୍ଷା ବାହିନୀର ମିଳିତ ଉକ୍ତ ଥାନା ଡବେରୀ ଅଞ୍ଚଳରେ ଚୋରା ମଦ ବ୍ୟବସାୟିଙ୍କୁ ଠାବ କରି ମିଳିତ ଚଢ଼ାଉ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ଏଥିରେ ବିପୁଳ ପରିମାଣର ମହୁଲ ପୋଚକୁ ପୋଲିସ ଖୋଜି ବାହାର କରି ନଷ୍ଟ କରିବା ସହ ଦେଶି ମହୁଲି ମଦକୁ ଜବତ କରିଛି ।
ଏଥିରେ ସମ୍ପୃକ୍ତି ୩ ଜଣ ମଦ ବ୍ୟବସାୟୀଙ୍କୁ ପୋଲିସ ଗିରଫ କରି ପରେ ନୋଟିସ କରି ଛାଡିଦେଇଥିବା ଆଇଆଇସି ସଂଗ୍ରାମ କେଶରୀ ଜେନା କହିଛନ୍ତି । ଗିରଫ ୩ ବ୍ୟବସାୟୀ ବିଦ୍ୟାଧର ସାହୁ, ସନ୍ତୋଷ ସାହୁ ଏବଂ ସନ୍ୟାସ ସାହୁ ବୋଲି ପୋଲିସ କହିଛି । ପୋଲିସ ସୂତ୍ରରୁ ସୂଚନା ଅନୁସାରେ, ଚୋରା ମଦ କାରବାର ଖବର ଥିବାରୁ ପୋଲିସ ଚଢ଼ାଉ କରି ୩ ବ୍ୟବସାୟୀଙ୍କ ୭ ଶହ ଲିଟର ମହୁଲ ପୋଚକୁ ନଷ୍ଟ ସହ ବ୍ୟବହୃତ ପ୍ଲାଷ୍ଟିକ ଡ୍ରମକୁ ନଷ୍ଟ ଓ ଜବତ କରିଛି ।
ସେହିପରି ସେମାନଙ୍କ ଠାରୁ ୩୦ ଲିଟର ଦେଶୀ ମଦ ଜବତ କରାଯାଇଛି । ଏଥିରେ ଦାରିଙ୍ଗବାଡି ଅବକାରୀ ବିଭାଗ ସାମିଲ ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଶନିବାର ମଧ୍ୟ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୪ ଜଣଙ୍କୁ ଗିରଫ କରି ନୋଟିସ କରି ଛାଡିଦେଇଥିଲା ।