ବିପଜ୍ଜନକ କରୋନା ବର୍ଜ୍ୟ

ଅନ୍ତର୍ଯ୍ୟାମୀ ପଟ୍ଟନାୟକ

 

ନିଃଶ୍ୱାସ ପ୍ରଶ୍ୱାସ କ୍ଷେତ୍ରରେ ଭାଲ୍‌ବ ରହିଥିବା ଉଚ୍ଚମାନର ଏନ୍‌-୯୫ ମାସ୍କ ବ୍ୟବହାର ଉପରେ କେନ୍ଦ୍ର ସରକାର ସ୍ବାସ୍ଥ୍ୟଗତ ସତର୍କତା ଜାରି କରିବା ପରେ କରୋନା ବର୍ଜ୍ୟ ନେଇ ଚିନ୍ତା ସୃଷ୍ଟି ହୋଇଛି। ଆଜିର କରୋନା ବିଭୀଷିକା ସମୟରେ ସମସ୍ତେ କରୋନା, ପ୍ରତିଷେଧକ ଟିକା, ଔଷଧର ବ୍ୟବହାର ଏହାକୁ ନେଇ ସଚେତନ ହେବାସହ ଉତ୍ସୁକ ହେଉଛୁ ଏହା ବିଷୟରେ କିଛି ଜାଣିବା ପାଇଁ। କିନ୍ତୁ ଏହି ସଚେତନତା ଭିତରେ ଗୋଟିଏ ଦିଗକୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରିବା ସହ ବିଲ୍‌କୁଲ ଭୁଲିଯାଉଛୁ କହିଲେ ଚଳେ। ଅନେକେ ହୁଏତ ଜାଣି ନ ଥିବେ ଯେ କରୋନାର ବର୍ଜ୍ୟବସ୍ତୁ ବର୍ତ୍ତମାନ ସହିତ ଆଗାମୀ ଦିନ ପାଇଁ ଏକ ଭୟଙ୍କର ସ୍ବାସ୍ଥ୍ୟଗତ ବିପଦ ସୃଷ୍ଟି କରିବାକୁ ଯାଉଛି। କାରଣ କରୋନା ଚିକିତ୍ସା କ୍ଷେତ୍ରରେ ବ୍ୟବହାର ହେଉଥିବା ଗ୍ଲୋଭସ କୁହନ୍ତୁ ବା ପିପିଇ କିଟ, ମାସ୍କ ହେଉ ବା ଫେସ ସିଲିକର ଏସବୁ ଠିକ ଭାବେ ବର୍ଜ୍ୟ ହେବାପରେ ଯଦି ଏହାର ଚିକିତ୍ସା ବ୍ୟବସ୍ଥା ଅନୁଯାୟୀ ନଷ୍ଟ କରା ନ ଯିବ ତାହାହେଲେ ଏହା ଯେଉଁ ପ୍ରକାର ବିପଦ ଭିତରକୁ ପୃଥିବୀବାସୀଙ୍କୁ ଠେଲି ଦେବ ତାହା କଳ୍ପନାର ବାହାରେ।
ଆଜିକା ସମୟରେ ସମଗ୍ର ବିଶ୍ୱରେ କରୋନା ପାଇଁ ପ୍ରତି ମାସରେ ୯୦ଲକ୍ଷ ମାସ୍କ, ୬୭ଲକ୍ଷ ଗ୍ଲୋଭସ୍‌ ଓ ୧୬ଲକ୍ଷ ଗଗଲସର ଆବଶ୍ୟକତା ପଡ଼ୁଛି। ଭାରତରେ ଦିନକୁ ୪.୫ଲକ୍ଷ ପିପିଇ କିଟ୍‌ ତିଆରି ହେଉଛି ତେବେ ଏସବୁର ବ୍ୟବହାର ହେଉଥିବାବେଳେ ଏହାର ନଷ୍ଟ ପ୍ରକ୍ରିୟା ବିଲ୍‌କୁଲ ଅର୍ଥସାପେକ୍ଷ ଓ ଏକ ବିରାଟ ବଡ଼ ସାଧନ ବି ଦରକାର। କୋଭିଡ୍‌ ଡାକ୍ତରଖାନାରେ ସର୍ବାଧିକ ସତର୍କତା ଅବଲମ୍ବନ କରାଯାଉଥିଲେ ମଧ୍ୟ ଆଗାମୀ ୨୦୨୨ ସୁଦ୍ଧା ଦେଶରେ ଦୈନିକ ୭୭୫ଟନରୁ ଅଧିକ ମେଡିକାଲ ବର୍ଜ୍ୟ ବାହାରିବାର ସମ୍ଭାବନା ରହିଛି, ଯାହାର ପରିଣାମ ବର୍ତ୍ତମାନ ହେଉଛି ୫୫୦ ଟନ୍‌। ଲକ୍‌ଡାଉନ୍‌ ପୂର୍ବରୁ ଭାରତରେ ଯେତେବେଳେ ୫୦୦ କରୋନା ମାମଲା ଥିଲା ସେତେବେଳେ ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ କରୋନା ପାଇଁ ବାହାରୁଥିବା ମେଡିକାଲ ବର୍ଜ୍ୟକୁ ନଷ୍ଟ କରିବା ପାଇଁ ଗାଇଡ ଲାଇନ ଜାରି ହୋଇଥିଲା। ଏହି ଗାଇଡ ଲାଇନ ଅନୁସାରେ କରୋନା ୱାର୍ଡରୁ ଯାହା ବି ବର୍ଜ୍ୟ ବାହାରିବ ତାକୁ ଏକ ସ୍ବତନ୍ତ୍ର କୋଭିଡ୍‌ ୱେଷ୍ଟ ବିଚାର କରାଯାଇ ନଷ୍ଟ କରାଯିବାର ପ୍ରକ୍ରିୟା ରଖାଯିବ। କରୋନା ପ୍ରକୋପରୁ ବର୍ତ୍ତିବା ପାଇଁ ଗ୍ଲୋଭସ, ପିପିଇ କିଟ, ଗାଉନ୍‌, ମାସ୍କ, ଫେସ ସିଲ୍‌କ କିମ୍ବା ଗଗଲସ ଆଦି ବ୍ୟବହାର ହେଉଛି। ପ୍ଲାଷ୍ଟିକରୁ ତିଆରି ଏହି ପଦାର୍ଥ ହିଁ ବଡ଼ ଚିନ୍ତାର କାରଣ। ଚିନ୍ତା ଆହୁରି ମଧ୍ୟ ବଢ଼ାଇ ଦେଉଛି ଯେ ଏସବୁ ଜିନିଷ ସିଙ୍ଗଲ ୟୁଜ ପ୍ଲାଷ୍ଟିକରୁ ତିଆରି ହୋଇଥାଏ, ଯାହା କି ଥରେ ବ୍ୟବହୃତ ହେବାପରେ ଏହାକୁ ନଷ୍ଟ କରାଯିବା ଅତ୍ୟନ୍ତ ଜରୁରୀ। ସଂକ୍ରମଣ ରୋକିବାକୁ କରୋନା ୱାର୍ଡରେ କାମ କରୁଥିବା ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି ଯେ, ଥରେ ୱାର୍ଡରୁ ବାହାରିବା ପରେ ନିଜର ସମସ୍ତ ସେଫ୍ଟି ଇକ୍ୱିପମେଣ୍ଟକୁ ବାହାର କରି ଦେବାକୁ। ଫଳରେ ଯେତେଥର ଡାକ୍ତର କିମ୍ବା କୌଣସି ସ୍ବାସ୍ଥ୍ୟକର୍ମୀ ୱାର୍ଡରୁ ବାହାରକୁ ଆସିଥାନ୍ତି ୱାର୍ଡ ମଧ୍ୟକୁ ଯିବା ପାଇଁ ତାଙ୍କୁ ପୁନର୍ବାର ସୁରକ୍ଷା ଉପକରଣ ପିନ୍ଧିବାକୁ ପଡ଼ିଥାଏ।
ହସ୍ପିଟାଲ କିମ୍ବା କୋଭିଡ୍‌ ୱାର୍ଡରୁ ବାହାରୁଥିବା ମେଡିକାଲ ବର୍ଜ୍ୟକୁ ତ ସଂଗ୍ରହ କରାଯାଉଛି ଓ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ନଷ୍ଟ କରାଯାଉଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ଗାଇଡଲାଇନ ଅନୁଯାୟୀ ମେଡିକାଲ ପେସେଣ୍ଟ ଓ ହସ୍ପିଟାଲ ଷ୍ଟାଫ୍‌ ବ୍ୟବହାର କରୁଥିବା ମାସ୍କ ଓ ଅନ୍ୟ ମେଡିକାଲ କିଟ୍‌ଗୁଡ଼ିକୁ ଠିକ୍‌ ଭାବେ ବିଶୋଧନ କରାଯିବା ସହ ଉଚ୍ଚତାପମାତ୍ରାରେ ନଷ୍ଟ କରି ଦିଆଯିବ। କିନ୍ତୁ ସାଧାରଣ ଲୋକମାନଙ୍କ ପାଇଁ ସେପରି କିଛି ସୂଚନା ବା ଗାଇଡଲାଇନ ନିଧାର୍ଯ୍ୟ ହୋଇନାହିଁ। ଚିନ୍ତାଟି ହେଉଛି ଏହା ବ୍ୟବହୃତ ପରେ ଏହାର ନଷ୍ଟ କରିବାର ପ୍ରକ୍ରିୟା। କରୋନା ଚିକିତ୍ସା କ୍ଷେତ୍ରରେ ପ୍ରତ୍ୟହ ବ୍ୟବହୃତ ହେଉଥିବା ପିପିଇ କିଟ୍‌, ଗ୍ଲୋଭସ ଓ ମାସ୍କ ଏସବୁକୁ ବ୍ୟବହାର ପରେ ବାହାରେ ଫିଙ୍ଗି ଦିଆଗଲେ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ବଢ଼ିଯାଏ।
ଏନ୍‌-୯୫ ମାସ୍କ ପଲିପ୍ରୋପିଲିନ ପ୍ଲାଷ୍ଟିକରେ ତିଆରି କରାଯାଏ। ଫେସ ସିଲ୍କ ଓ ଗଗଲସ ଫେସ ସିଲ୍କ ପିଇଟି ପ୍ଲାଷ୍ଟିକ ଓ ଗଗଲ୍ସ ପଲିକାବୋନେଟ ପ୍ଲାଷ୍ଟିକରେ ତିଆରି ହୋଇଥାଏ। ଗ୍ଲୋଭସ ଏହା ଲ୍ୟାଟେକ୍ସ କିମ୍ବା ନାଇଟ୍ରେଇଲ ରବରରେ ତିଆରି ହୋଇଥାଏ। ଗାଉନ୍‌ ଓ ପିପିଇ କିଟ ଏହା ମଧ୍ୟ ପିଇଟି ପ୍ଲାଷ୍ଟିକରେ ତିଆରି କରାଯାଏ। କରୋନା ମହାମାରୀ ଏବେ ବିଶ୍ୱ ପାଇଁ ଯେପରି ଆତଙ୍କ ସୃଷ୍ଟି କରିଛି ଏହା କବଳରୁ ମୁକୁଳିବା ଏବେ ସମସ୍ତଙ୍କ ପାଇଁ ପ୍ରାଥମିକତା ପାଲଟିଛି। ତେବେ ଏହାର ଅର୍ଥ ନୁହେଁ ଆମେ ବର୍ତ୍ତମାନର କଥା ଚିନ୍ତା କରି ଭବିଷ୍ୟତ କଥା ଭୁଲିଯିବା, ଯଦ୍ଦ୍ବାରା ଆଗାମୀ ଦିନରେ କରୋନାଠାରୁ ଆହୁରି ଏକ ଭୟଙ୍କର ଭାଇରସ୍‌ ସୃଷ୍ଟି ହୋଇ ଆମ ପ୍ରଗତିର ବାଟ ଓଗାଳିବ। ଏଣୁ କରୋନାରୁ ରକ୍ଷା ପାଇବା ପାଇଁ ସାରା ବିଶ୍ୱରେ ବୃଦ୍ଧି ପାଉଥିବା ପ୍ଲାଷ୍ଟିକ ସୁରକ୍ଷା ଉପକରଣଗୁଡ଼ିକୁ କିପରି ଠିକ୍‌ ଭାବରେ ନଷ୍ଟ କରାଯାଇ ପାରିବ ଏହା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ଏହା ସହ ସାଧାରଣ ଜନତା ମଧ୍ୟ କରୋନା ବର୍ଜ୍ୟ ନଷ୍ଟ କରିବା ସମୟରେ ସରକାରଙ୍କ ଗାଇଡଲାଇନ ଅନୁସରଣ କରିବା ଉଚିତ।
ନ୍ୟାଶନାଲ ଜିଓଗ୍ରାଫିକର ଏକ ରିପୋର୍ଟ ଅନୁଯାୟୀ ପ୍ଲାଷ୍ଟିକର ଗୋଟିଏ ବୋତଲ ଯଦି ସମୁଦ୍ର ମଧ୍ୟକୁ ଚାଲିଯିବ ତେବେ ତାହା ନଷ୍ଟ ହେବାକୁ ପ୍ରାୟ ୪୫୦ ବର୍ଷ ଲାଗିଯିବ। ଏହି ପ୍ଲାଷ୍ଟିକ ବୋତଲ ପଲିଥିନ୍‌ ଟେରିଫୁଲେଟ ଅର୍ଥାତ୍‌ ପିଇଟି ପ୍ଲାଷ୍ଟିକରେ ତିଆରି ହୋଇଥାଏ। ଏହି ପିଇଟି ପ୍ଲାଷ୍ଟିକରେ ପିପିଇ କିଟ୍‌, ଗାଉନ ଓ ଫେସ ସିଲ୍କ ମଧ୍ୟ ତିଆରି ହେଉଛି। ମାସ୍କ, ମେଡିସିନ ପ୍ୟାକେଜିଂ, ସିରିଞ୍ଜ, ମେଡିକାଲ ଡିଭାଇସେସ, ସାନିଟାଇଜର ବୋତଲ ଇତ୍ୟାଦି ପ୍ଲାଷ୍ଟିକ ତିଆରି। ଏକ ଅଧ୍ୟୟନରୁ ଜଣାଯାଇଛି କରୋନା ରୋଗୀ ସହ ସମ୍ପର୍କରେ ଆସିବାର ଚାରି ଦିନ ପର୍ଯ୍ୟନ୍ତ ପିପିଇ କିଟ୍‌ରେ ଭାଇରସ ଜୀବିତ ରହିପାରେ। ଏହି ବିପଦରୁ ରକ୍ଷା ପାଇବା ଲାଗି ଏହି ମେଡିକାଲ ବର୍ଜ୍ୟକୁ ସଂଗ୍ରହ କରି ତାହାର ରିସାଇକ୍ଲିଙ୍ଗ କରିବା ଆବଶ୍ୟକ। ଏହା ବ୍ୟତୀତ ସାଧାରଣ ଲୋକମାନେ ପ୍ଲାଷ୍ଟିକରେ ତିଆରି ମାସ୍କ ଓ ସିଙ୍ଗଲ ୟୁଜ ମାସ୍କ ପରିବର୍ତ୍ତେ କପଡ଼ାରେ ତିଆରି ମାସ୍କ ବ୍ୟବହାର କରିବା ଉଚିତ। ବିଶ୍ୱସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ମଧ୍ୟ ସମସ୍ତ ସୁସ୍ଥ ବ୍ୟକ୍ତିଙ୍କୁ କପଡ଼ାରେ ତିଆରି ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ତେବେ କପଡ଼ାରେ ତିଆରି ଏହି ମାସ୍କ ତିନି ପରସ୍ତ ହେବା ଉଚିତ। କପଡ଼ାରେ ତିଆରି ମାସ୍କକୁ ଆପଣ ଭଲ ଭାବେ ସଫା କରି ପୁନର୍ବାର ମଧ୍ୟ ବ୍ୟବହାର କରିପାରିବେ। ଏଣୁ କରୋନା ବର୍ଜ୍ୟର ପରିଚାଳନା ଠିକ୍‌ଭାବେ କରା ନ ଗଲେ ବିଶ୍ୱ ପାଇଁ ଏହି ବର୍ଜ୍ୟ ବିପଦ ସୃଷ୍ଟି କରିବାର ସମ୍ଭାବନା ରହିଛି।
ଏମ୍‌ସି ୩୧, ମଧୁବନ, ପାରାଦୀପ ପୋର୍ଟ, ଦୂରଭାଷ: ୯୪୩୭୦୨୨୦୬୧


Enter your email to get our daily news in your inbox.

All Right Reserved By Dharitri.Com

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri