ଦାନା ଚିନ୍ତାରେ ଦୁଗ୍ଧଚାଷୀ

ଛେଣ୍ଡିପଦା,୧୭।୬: ଉତ୍ପାଦିତ ଦୁଗ୍ଧ ନେଉଥିଲା ଓମଫେଡ୍‌। ପ୍ରତି ୧୦ ଦିନରେ ବ୍ୟାଙ୍କ ଖାତାକୁ ଆସୁଥିଲା ଅର୍ଥ। ତେଣୁ ଋଣ ଶୁଝିବା ଓ ଗାଈ ପାଇଁ ଦାନା କିଣିବାରେ ହେଉ ନ ଥିଲା ଅସୁବିଧା। ହେଲେ ପରିଚାଳନାଗତ ଅବ୍ୟବସ୍ଥା ଯୋଗୁ ୮ ମାସ ହେଲା ବନ୍ଦ ହୋଇଯାଇଛି ଶୀତଳୀକରଣ କେନ୍ଦ୍ର। ଲକ୍‌ଡାଉନ ଲାଗି ବାଧାପ୍ରାପ୍ତ ହୋଇଛି ବଜାର ବ୍ୟବସ୍ଥା। ଫଳରେ ଦୈନିକ ୨ ହଜାର ଲିଟର କ୍ଷୀର ବିକ୍ରି ହୋଇପାରୁ ନାହିଁ। ଏପରି ଅଭାବୀ ବିକ୍ରି ବେଳେ ଋଣ ଓ ଦାନା ଚିନ୍ତାରେ ପଡ଼ିଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା ଅଞ୍ଚଳର ସହସ୍ରାଧିକ ଦୁଗ୍ଧ ଚାଷୀ।
ପ୍ରାଣୀଧନ ବିଭାଗର ସୂଚନା ଅନୁଯାୟୀ, ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଗୋ ସମ୍ପଦଙ୍କ ସଂଖ୍ୟା ୬୦ ହଜାରରୁ ଅଧିକ। ଏକ ହଜାରରୁ ଊର୍ଦ୍ଧ୍ୱ ଦୁଗ୍ଧ ଚାଷୀ ୨୫ ଶହ ଗାଈ ପାଳନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଚାଷୀ ବ୍ୟାଙ୍କ ଋଣ ଜରିଆରେ ଗାଈ ଆଣି ଦୁଗ୍ଧ ବିକ୍ରିକୁ ଉପାର୍ଜନର ମାଧ୍ୟମ କରିଛନ୍ତି। ଅଧିକ ଦୁଗ୍ଧ ଉତ୍ପାଦନକୁ ଦୃଷ୍ଟିରେ ରଖି ଛେଣ୍ଡିପଦା ବ୍ଲକ ସଦର ମହକୁମା ଠାରେ ୧୦୦୦ ଲିଟର କ୍ଷମତା ବିଶିଷ୍ଟ ଓମଫେଡ୍‌ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଖୋଲାଯାଇଥିଲା। ବାମନାଳୀ, ବାଗଡିଆ, ଖମାରବାଣେଶ୍ୱରୀ, ସାପୋଇନାଳୀ, ଟାଙ୍ଗିରୀ, ପୁରୁଣାଗଡ, ଗୋଳାଗାଡିଆ, ତୁକୁଡା, ହରିଡାଗୁଡ, ବଣିଆନଟି, ଶୁଭମ ଆଦି ୧୬ଟି ସମବାୟ ସମିତି ଜରିଆରେ ଚାଷୀମାନେ ଶୀତଳୀକରଣ କେନ୍ଦ୍ରରେ ଦୁଗ୍ଧ ବିକ୍ରି କରୁଥିଲେ। ଓମଫେଡ ପକ୍ଷରୁ ପ୍ରତି ୧୦ ଦିନରେ ଥରେ ଚାଷୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ସମବାୟ ସମିତି ମାଧ୍ୟମରେ ପ୍ରଦାନ କରାଯାଉଥିଲା। ହେଲେ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବକେୟା ରହିବା ଏବଂ ଔଷଧ ନ ଦେଇ ଚାଷୀଙ୍କ ଖାତାରୁ ଓମଫେଡ୍‌ ଏ ବାବଦ ଟଙ୍କା କାଟିବା ନେଇ ଅସନ୍ତୋଷ ଦେଖାଦେଇଥିଲା। ଚାଷୀମାନେ ଏ ନେଇ ଶୀତଳୀକରଣ କେନ୍ଦ୍ର ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। ତ୍ରୁଟିଗତ କାରଣରୁ ଔଷଧ ବାବଦ ଟଙ୍କା କଟିଯାଇଥିବା ଓ ବକେୟା ଟଙ୍କା ଜଣେ କର୍ମଚାରୀ ହଡପ୍‌ କରିଥିବାରୁ ତାହା ଶୀଘ୍ର ପ୍ରଦାନ କରାଯିବ ବୋଲି ସମ୍ପୃକ୍ତ ଅଧିକାରୀ ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାହା କାର୍ଯ୍ୟକାରୀ ନ ହେବାରୁ ଚାଷୀମାନେ ବାଧ୍ୟ ହୋଇ ଶୀତଳୀକରଣ କେନ୍ଦ୍ରକୁ କ୍ଷୀର ଦେବା କମାଇଦେଲେ। ପର୍ଯ୍ୟାପ୍ତ ଦୁଗ୍ଧ ନ ମିଳିବାରୁ ଗତ ଡିସେମ୍ବର ଠାରୁ ଉକ୍ତ ଶୀତଳୀକରଣ କେନ୍ଦ୍ର ବନ୍ଦ ହୋଇଗଲା। ଏହାପରେ ଚାଷୀମାନେ ନିଜ ଉଦ୍ୟମରେ ସ୍ଥାନୀୟ ବଜାରଗୁଡ଼ିକରେ ଯାହା ଯେମିତି କ୍ଷୀର ବିକ୍ରି କରି ଖର୍ଚ୍ଚ ଅର୍ଥ ଭରଣା କରି ନେଉଥିଲେ। ହେଲେ କରୋନା ସଂକ୍ରମଣ ହ୍ରାସ ପାଇଁ ସରକାର ଲକ୍‌ଡାଉନ୍‌ ଲଗାଇବା ପରେ ଦୁଗ୍ଧ ଚାଷୀମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଉତ୍ପାଦିତ ହେଉଥିବା ସମସ୍ତ କ୍ଷୀର ବିକ୍ରି ହୋଇପାରୁ ନ ଥିବାରୁ ବ୍ୟାଙ୍କରୁ ଋଣ କରିଥିବା ଚାଷୀ କିସ୍ତି ଭରଣା କରିପାରୁ ନାହାନ୍ତି। ଗୋରୁଙ୍କୁ ଦୈନିକ ଦାନା କିଣି ଦେବାକୁ ଅର୍ଥ ପାଉନାହାନ୍ତି। ପ୍ୟାକେଟ୍‌ ଦୁଗ୍ଧ ବ୍ୟବସାୟରେ ପ୍ରବେଶ କରିଥିବା ବିଭିନ୍ନ କମ୍ପାନୀ ବଜାରକୁ ନିଜ ଅକ୍ତିଆରକୁ ନେବାକୁ ନାନା କୌଶଳ କରୁଥିବା ବେଳେ ଦୁଗ୍ଧ ଚାଷୀମାନେ ଏହାଦ୍ୱାରା ଘୋର କ୍ଷତିଗ୍ରସ୍ତ ହେଉଛନ୍ତି। ଅନେକ ସମୟରେ ଖୁବ୍‌ କମ ମୂଲ୍ୟରେ ସେମାନଙ୍କୁ ଯଚେଇ କ୍ଷୀର ବିକ୍ରି କରିବାକୁ ପଡ଼ୁଥିବା ବହୁ ଚାଷୀ ପ୍ରକାଶ କରିଛନ୍ତି। ଶୀତଳୀକରଣ କେନ୍ଦ୍ର ତୁରନ୍ତ ଖୋଲାଯିବା ସହ ଚାଷୀଙ୍କ ବକେୟା ଅର୍ଥ ପ୍ରଦାନ, ଏହାର ସୁପରିଚାଳନା ଓ ଦୁଗ୍ଧ ବିକ୍ରି ନିମନ୍ତେ ବଜାର ବ୍ୟବସ୍ଥା କରିବାକୁ ଚାଷୀମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ଶୀତଳୀକରଣ କେନ୍ଦ୍ର ଅଧିକାରୀ ଯତୀନ କୁମାର ମିଶ୍ର କହିଛନ୍ତି, ଚାଷୀମାନେ ଆବଶ୍ୟକ ପରିମାଣର ଦୁଗ୍ଧ ନ ଦେବାରୁ ଏହି କେନ୍ଦ୍ର ବନ୍ଦ ହୋଇଯାଇଛି। ଏକ ନୂତନ ଦୁଗ୍ଧ ଶୀତଳୀକରଣ ଗୃହ ନିର୍ମାଣ ଚାଲିଛି। ଏହା ସମ୍ପୂର୍ଣ୍ଣ ହେବା ପରେ ଚାଷୀମାନଙ୍କ ଠାରୁ ଦୁଗ୍ଧ କିଣା ପୂର୍ବପରି ଚାଲୁ ରହିବ।

ଠିକ୍‌ ସମୟରେ ପ୍ରାପ୍ୟ ଦିଆଯାଉ
ଦୁଗ୍ଧ ଶୀତଳୀକରଣ କେନ୍ଦ୍ର କର୍ତ୍ତୃପକ୍ଷ ଚାଷୀଙ୍କୁ ଠିକ୍‌ ସମୟରେ ସେମାନଙ୍କ ପ୍ରାପ୍ୟ ଦେଲେନାହିଁ। ଏ ନେଇ ଅଭିଯୋଗ କରିବା ପାଇଁ ଚାହିଁଲେ ମଧ୍ୟ ଅଧିକାରୀଙ୍କ ଭେଟ ମିଳୁନାହିଁ। ୧୩ ଜୁନ ୨୦୧୯ରୁ ଚାଷୀଙ୍କ ବକେୟା ପ୍ରାପ୍ୟ ପଡ଼ିରହିଛି। ଫଳରେ ସେମାନେ କରଜ ଶୁଝିପାରୁ ନାହାନ୍ତି।
-ମଧୁସୂଦନ ନାୟକ, ସଭାପତି, ଦୁଗ୍ଧ ସମବାୟ ସମିତି, ଛେଣ୍ଡିପଦା

ଅଧିକ ପ୍ରୋତ୍ସାହନ ଦିଆଯାଉଛି
ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଦୁଗ୍ଧ ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଲୋକଙ୍କ ଆଗ୍ରହକୁ ଲକ୍ଷ୍ୟ କରି ସରକାରଙ୍କ ପକ୍ଷରୁ ବ୍ୟାଙ୍କ ଋଣ ସୁବିଧା ଯୋଗାଇ ଦିଆଯାଉଛି। ଲୋକମାନେ ମଧ୍ୟ ଅଧିକ ସଂଖ୍ୟକ ଗୋ ପାଳନ କରି ଆୟ ଦ୍ୱିଗୁଣିତ କରିବାକୁ ଉଦ୍ୟମ କରୁଛନ୍ତି। ହେଲେ ଦୁଗ୍ଧଜାତ ସାମଗ୍ରୀ ବିକ୍ରି ନିମନ୍ତେ ବର୍ତ୍ତମାନ ବଜାର ସୁବିଧା ନାହିଁ।
-ବିକାଶ ରଞ୍ଜନ ବେହେରା, ପ୍ରାଣୀଧନ ଅଧିକାରୀ, ଛେଣ୍ଡିପଦା

ଉଚିତ ମୂଲ୍ୟ ମିଳୁନି
ଲକ୍‌ଡାଉନ୍‌ ଯୋଗୁ ବଜାର ଅଧିକ ସମୟ ଖୋଲୁନି। ସବୁ ସାମଗ୍ରୀର କିଣାବିକା ହ୍ରାସ ପାଇଛି। ଲୋକେ ବଜାର ଆସିପାରୁ ନ ଥିବାରୁ ଦୁଗ୍ଧଜାତ ସାମଗ୍ରୀ ବିକ୍ରି ହୋଇପାରୁନି। ପ୍ୟାକେଟ ଦୁଗ୍ଧ ଦାମ ଲିଟର ପିଛା ୪୪ ଟଙ୍କା ଥିବାବେଳେ ଚାଷୀମାନେ ବୁଲି ବୁଲି ୨୫ରୁ ୩୦ ଟଙ୍କା ମଧ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।
-ନିତ୍ୟାନନ୍ଦ ପ୍ରଧାନ, ଦୁଗ୍ଧ ଚାଷୀ, ଛେଣ୍ଡିପଦା

ସରକାର ସ୍ବତନ୍ତ୍ର ବ୍ୟବସ୍ଥା କରନ୍ତୁ
ଦେଶୀ ଗାଈର ଦୁଗ୍ଧ ସହ ଏଥିରୁ ପ୍ରସ୍ତୁତ ଛେନା, ଦହି, ପନିର ଓ ଛେନାପୋଡର ସ୍ବାଦ ନିଆରା। ହେଲେ ବଜାର ବନ୍ଦ ରହିଥିବାରୁ ଏସବୁ ସାମଗ୍ରୀ ପ୍ରସ୍ତୁତ ଓ ବିକ୍ରିରେ ଅସୁବିଧା ହେଉଛି। ତେଣୁ ଏହା ଖାଉଟିମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉ।
-ଲିପୁନ କୁମାର ସାହୁ ,ଖାଉଟି, ଛେଣ୍ଡିପଦା


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ସୁସ୍ଥ ହେଲେ ୧୩୦୩ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲାରୁ କେତେ…

ଭୁବନେଶ୍ୱର,୧୮ ା୧୧(ବ୍ୟୁରୋ)- ରାଜ୍ୟରେ ବୁଧବାର ଆଉ ୧୩୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲାରୁ ସର୍ବାଧିକ ୧୦୮ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଅନୁଗୋଳରୁ ୧୦୩,...

CORONAVIRUS UPDATE: ନୂଆ ୩ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା, ଅଛନ୍ତି ୨ ପୁରୁଷ, ଜଣେ ଯୁବତୀ

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ ଚିହ୍ନଟ ହୋଇଥିବା ୩ ନୂଆ କରୋନା ପଜିଟିଭ୍‌ଙ୍କ ତଥ୍ୟ ମିଳିଛି। ରାଜ୍ୟ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ,...

ସଂରକ୍ଷଣ ତାଲିକାକୁ ନେଇ ୨୯୯ ଅଭିଯୋଗ

ବାରିପଦା ଅଫିସ,୨୦।୧୦: ମୟୂରଭଞ୍ଜ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଥିବା ସଂରକ୍ଷଣ ତାଲିକାକୁ ନେଇ ମୋଟ ୨୯୯ଟି ଅଭିଯୋଗ ହୋଇଛି । ୫୬...

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୧୩।୯(ବ୍ୟୁରୋ): ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆସନ୍ତା ୨୭ ଏବଂ ୨୮ ତାରିଖରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏନେଇ...

ରଥଯାତ୍ରାକୁ ନେଇ ଅନିଶ୍ଚିତତା ବଢ଼ିଲା

ପୁରୀ ଅଫିସ,୩।୫: କରୋନା କଟକଣା ଭିତରେ କେମିତି ହେବ ରଥଯାତ୍ରା? ଏବର୍ଷ ବଡ଼ଦାଣ୍ଡରେ କାଳିଆ ସାଆନ୍ତଙ୍କ ରଥ ଗଡ଼ିବ ନା ରୁକୁଣା ରଥ ପରି ବନ୍ଦ...

ବାହାନଗା ପଞ୍ଚାୟତ ସମିତି ବୈଠକ: ଫାଇଲିନ୍‌ ଟଙ୍କା ଖର୍ଚ୍ଚ ନେଇ ହୋହାଲ୍ଲା

ବାହାନଗା, ୭ା୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ପରିସରରେ ଶୁକ୍ରବାର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉପସ୍ଥିତ ସଭ୍ୟାସଭ୍ୟମାନେ ଫାଇଲିନ୍‌ ବାବଦକୁ ଆସିଥିବା ୭୦...

ଫୋରେନ୍‌ସିକ ପରୀକ୍ଷା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ମାଟି ଖୋଳି ବାହାର କରାଗଲା ମହିଳାଙ୍କ କଙ୍କାଳ

ଚାନ୍ଦବାଲି,୨୦।୮ (ଡି.ଏନ.ଏ.) – ମୃତ୍ୟୁର ୫ ବର୍ଷ ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜଣେ ମହିଳାଙ୍କ ମୃତଦେହର ଫୋରେନ୍‌ସିକ ପରୀକ୍ଷା ପାଇଁ ଶ୍ମଶାନରୁ ମାଟି ଖୋଳି ଅସ୍ଥି,...

ଟ୍ରାକ୍ଟର ଚାପାରେ ଛାତ୍ର ମୃତ, ଉତ୍ତେଜନା

ଲୋଇସିଂହା, ୧୨।୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଆଗଲପୁର ବ୍ଲକ ଅନ୍ତର୍ଗତ ବିନ୍ଧାପାଲି ଗାଁରେ ଟ୍ରାକ୍ଟର ଚାପାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି।...

Advertisement
Archives

Model This Week