ଭୁବନେଶ୍ୱର,୨୪ା୧୧: ମାଲାକ୍କା ପ୍ରଣାଳୀ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଥିବା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବାର ଅଧିକ ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (IMD)ର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଏହି ସିଷ୍ଟମ୍ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ବାତ୍ୟାରେ ପରିଣତ ହେବା ପରେ ଏହାର ନାମ ‘ସେନ୍ୟାର’ ଦିଆଯିବ।
ବିଭିନ୍ନ ପାଣିପାଗ ମଡେଲ୍ ‘ସେନ୍ୟାର’ର ଗତିପଥକୁ ନେଇ ଭିନ୍ନ ଭିନ୍ନ ଆକଳନ କରିଛନ୍ତି। GFS ମଡେଲ୍ ଅନୁଯାୟୀ, ସିଷ୍ଟମଟି ଉପର-ସ୍ତରୀୟ ରିଜ୍ ଲାଇନ ଅତିକ୍ରମ କରିବା ପରେ ପୁଣି ଉତ୍ତର-ପୂର୍ବ ଦିଗକୁ ମୁହାଁଇବାର ସମ୍ଭାବନା ଅଛି। ଏହା ଡିସେମ୍ବର ୨/୩ ତାରିଖ ସୁଦ୍ଧା ଦକ୍ଷିଣ ବାଂଲାଦେଶ ଉପକୂଳରେ ପହଞ୍ଚିବା ପରେ ଧୀରେ ଧୀରେ ଦୁର୍ବଳ ହେବ।
ଏହି ମଡେଲ୍ ଗୁଡ଼ିକ ଦର୍ଶାଉଛନ୍ତି ଯେ, ସିଷ୍ଟମଟି ନଭେମ୍ବର ୨୬ ପର୍ଯ୍ୟନ୍ତ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ପଶ୍ଚିମ-ଉତ୍ତର-ପୂର୍ବ ଦିଗକୁ ଗତି କରିବ। ଏହାପରେ, ଏହା ଉତ୍ତର-ପୂର୍ବ ଦିଗକୁ ଗତି କରି ନଭେମ୍ବର ୨୯ ପର୍ଯ୍ୟନ୍ତ ଦୁର୍ବଳ ହେବା ସହିତ ନଭେମ୍ବର ୩୦ରେ ଏହାର ପ୍ରଭାବ କମିଯିବ।
IMD ଆଞ୍ଚଳିକ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଜିଲାଗୁଡ଼ିକରେ ଶୁଖିଲା ପାଗ ରହିବାର ସମ୍ଭାବନା ଅଛି। ତେଣୁ ‘ସେନ୍ୟାର’ର ପ୍ରଭାବ ଓଡ଼ିଶା ଉପରେ ପଡ଼ିବାର ସମ୍ଭାବନା କମ୍।
ପାଣିପାଗ ମଡେଲ୍ ଗୁଡ଼ିକ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ନଭେମ୍ବର ୨୫ ବେଳକୁ କୋମୋରିନ୍ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ଶ୍ରୀଲଙ୍କା ଉପରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ସିଷ୍ଟମଟି ପ୍ରଥମେ ଶ୍ରୀଲଙ୍କା ଦେଇ ଉତ୍ତର-ପୂର୍ବ ଦିଗକୁ ଗତି କରି ନଭେମ୍ବର ୨୭ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେବ। ମଡେଲ୍ ଅନୁଯାୟୀ, ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଡିସେମ୍ବର ୧ ବେଳକୁ ଦୁର୍ବଳ ରୂପରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।