ଭୁବନେଶ୍ୱର,୮ା୪(ବନ୍ଦନା ସେଠୀ):ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଉପରବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ରହିଛି। ଏହାସହ ଏକ ଟ୍ରପ୍ଲାଇନ ମଧ୍ୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା, ପବନ, ଘଡ଼ଘଡ଼ିି ସହିତ କେତେକ ସ୍ଥାନରେ କୁଆପଥର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିଶେଷକରି ବୁଧବାର ମୟୂରଭଞ୍ଜ, କେନ୍ଦୁଝର ଏବଂ ଯାଜପୁର ଜିଲାରେ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି।
ବର୍ଷା ସମୟରେ ୫୦ରୁ ୬୦ କି.ମି. ବେଗରେ ପବନ ବୋହିବା ସମ୍ଭାବନା ଥିବାରୁ ଏହି ସମୟରେ ଆବଶ୍ୟକ ନ ପଡ଼ିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଅନୁଗୋଳ, ଢେଙ୍କାନାଳ, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ବରଗଡ଼ ଏବଂ ଝାରସୁଗୁଡ଼ା ଜିଲାକୁ ବର୍ଷା ପବନ ଓ ଘଡ଼ଘଡ଼ି ବିଜୁଳି ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଗୁରୁବାର ବେଳକୁ ବର୍ଷାର ପରିମାଣ ସାମାନ୍ୟ କମିବ ବୋଲି ପୂର୍ବାନୁମାନ କରାଯାଇଛି।
ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲା ଶେରଗଡ଼ରେ ସର୍ବାଧିକ ୧୦୫ ମି.ମି ବର୍ଷା ରେକର୍ଡ ହୋଇଛି। ସେହିପରି ବରଗଡ଼ ଜିଲା ଅତାବିରାରେ ୭୫ ମି.ମି., ମୟୂରଭଞ୍ଜ ଜିଲା ଶୁକୃଳିରେ ୪୬ ମି.ମି., ରରୁଅଁରେ ୪୫ ମି.ମି., କଟକ ଜିଲା ଆଠଗଡ଼ରେ ୪୧ ମି.ମି., ମୟୂରଭଞ୍ଜ ଜିଲା ଯଶୀପୁରରେ ୩୭.୨ ମି.ମି., ସାରସକଣାରେ ୩୪ ମି.ମି. ବର୍ଷା ହୋଇଯାଇଛି। ରାଜ୍ୟରେ କାଳବୈଶାଖୀ ପାଇଁ ଏବେ ଦିନ ତାପମାତ୍ରା ହ୍ରାସ ପାଇଛି। ତେବେ ଆସନ୍ତା ୩ଦିନ ପରେ ରାଜ୍ୟରେ ପୁଣି ପାଗ ବଦଳିବା ସହ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟାରେ ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୩୭.୭ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଭବାନୀପାଟଣାରେ ୩୭.୫, ନୂଆପଡ଼ାରେ ୩୭.୨ ଓ ପାରଳାଖେମୁଣ୍ଡିରେ ୩୭ ଡିଗ୍ରୀ ଦିନ ତାପମାତ୍ରା ରହିଥିବା ସୂଚନା ମିଳିଛି।