କଟକ ବିଶୃଙ୍ଖଳା: ଭର୍ତ୍ତୃହରି ମହତାବଙ୍କ ବଡ଼ ବୟାନ, କିଛି ଲୋକଙ୍କର ବଦମାସି କରିବାର ଅଭ୍ୟାସ ରହିଛି…

କଟକ,୬।୧୦: କଟକ ସହରରେ ସାମ୍ପ୍ରତିକ ବିଶୃଙ୍ଖଳାକୁ ନେଇ ଏମପି ଭର୍ତ୍ତୃହରି ମହତାବ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, କିଛି ଅସାମାଜିକ ବ୍ୟକ୍ତି ଜେଲରୁ ମୁକୁଳି ଆସି ଏହି ବିଶୃଙ୍ଖଳା ସୃଷ୍ଟି କରିଛନ୍ତି। ଏହାସହ ସେ ଅଭିଯୋଗ କରିଛନ୍ତି ଯେ, କିଛି ଲୋକ ଏହି ଅସାମାଜିକ ବ୍ୟକ୍ତିଙ୍କୁ ଉସୁକାଇ ଏପରି ଘଟଣା ଘଟାଇଛନ୍ତି। ଏମପି ମହତାବ ଆହୁରି କହିଛନ୍ତି, “ମୋ ପାଖରେ ଯେଉଁ ସୂଚନା ଥିଲା, ତାହା ମୁଁ ପୂର୍ବରୁ ଜଣାଇ ଦେଇଥିଲି। କିଛି ଲୋକଙ୍କର ବଦମାସି କରିବାର ଅଭ୍ୟାସ ରହିଛି, ଯାହାଙ୍କୁ ଆଗରୁ ଚିହ୍ନଟ କରିବା ଦରକାର ଥିଲା।” ସେ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରି କହିଛନ୍ତି ଯେ, ସରକାର ନେଉଥିବା କଠୋର କାର୍ଯ୍ୟାନୁଷ୍ଠାନ ଶାନ୍ତି ଫେରାଇ ଆଣିବ।

ତେବେ କଟକରେ ଉପଦ୍ରବ ଓ ହିଂସାକାଣ୍ଡକୁ ରୋକିବା ପାଇଁ ରବିବାର ରାତି ୧୦ଟାରୁ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଜାରି କରାଯାଇଛି। ଏହି କର୍ଫ୍ୟୁ ଦରଘା ବଜାର, ମଙ୍ଗଳାବାଗ, କ୍ୟାଣ୍ଟନମେଣ୍ଟ, ପୁରୀ ଘାଟ, ଲାଲବାଗ, ବିଡ଼ାନାସୀ, ମର୍କତନଗର, ସିଡିଏ ଫେଜ୍-୨, ସଦର, ମାଲଗୋଦାମ, ବାଦାମବାଡ଼ି, ଜଗତପୁର ଓ ବୟାଳିଶି ମୌଜା ଥାନା ଅଞ୍ଚଳରେ ଲାଗୁ ହୋଇଛି। କଟକ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଯେ, ଉପଦ୍ରବକାରୀଙ୍କୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ ଏବଂ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

କର୍ଫ୍ୟୁ ସମୟରେ ମେଡିକାଲ ସେବା ଏବଂ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ଛାଡ଼ ଦିଆଯାଇଛି। ପୋଲିସ କମିଶନର କହିଛନ୍ତି ଯେ, ସ୍ଥିତିର ସମୀକ୍ଷା କରି କର୍ଫ୍ୟୁକୁ ଆହୁରି କୋହଳ କିମ୍ବା ବୃଦ୍ଧି କରାଯାଇପାରେ। ଏହାସହ, ସେ ସ୍ପଷ୍ଟ କରିଛନ୍ତି ଯେ ଏହି ଗଣ୍ଡଗୋଳ ଘଟଣାରେ କାହାର ମୃତ୍ୟୁ ହୋଇନାହିଁ। ଜନସାଧାରଣଙ୍କୁ ଗୁଜବରୁ ଦୂରେଇ ରହି କେବଳ ପୋଲିସର ସରକାରୀ ସୂଚନା ଉପରେ ଭରସା କରିବାକୁ ପରାମର୍ଶ ଦିଆଯାଇଛି।

କଟକରେ ଶାନ୍ତି ଓ ନିରାପତ୍ତା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନ ସଜାଗ ରହିଛି। ଅତିରିକ୍ତ ପୋଲିସ ବାହିନୀ ମୁତୟନ କରାଯାଇଛି ଏବଂ ସହରର ସମସ୍ତ ସ୍ପର୍ଶକାତର ଅଞ୍ଚଳରେ କଡ଼ା ନଜର ରଖାଯାଉଛି। ପୋଲିସ କହିଛି ଯେ, ସାମାଜିକ ମାଧ୍ୟମରେ ଗୁଜବ ଏବଂ ମିଥ୍ୟା ସୂଚନା ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସହରବାସୀଙ୍କୁ ଶାନ୍ତି ବଜାୟ ରଖିବା ଏବଂ ପୋଲିସ ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ସ୍ଥିତି ଶାନ୍ତ ହେବା ପର୍ଯ୍ୟନ୍ତ ଜନସାଧାରଣଙ୍କୁ ଅଯଥା ଘରୁ ବାହାରିବାକୁ ବାରଣ କରାଯାଇଛି।

Share