ନୂଆ ଗ୍ୟାସ୍‌ ସିଲିଣ୍ଡର ବୁକିଂ କରିବାକୁ ନାକେଦମ ହୋଇପଡୁଛନ୍ତି ଗ୍ରାହକ, ଜିଲାପାଳଙ୍କୁ ଭେଟି କଂଗ୍ରେସ କହିଲା…

ଛତ୍ରପୁର,୧୩ା୩(ଦିଲ୍ଲୀପ ସାମଲ): ଏଲ୍‌ପିଜି ବା ରନ୍ଧନ ଗ୍ୟାସ୍‌କୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ବିରୋଧରେ ଗଞ୍ଜାମ ଜିଲା କଂଗ୍ରେସ କମିଟି (ପୂର୍ବ) ପକ୍ଷରୁ ଆନ୍ଦୋଳନ କରାଯାଇଛି। ଏନେଇ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଇରାନ ଯୁଦ୍ଧ ସାରା ବିଶ୍ୱରେ ଶକ୍ତି ସଙ୍କଟ ସୃଷ୍ଟି କରିଛି। ଯାହା ଫଳରେ ଭାରତରେ ଗ୍ୟାସର ଘୋର ଅଭାବ ଦେଖାଦେଇଛି। ରନ୍ଧନ ଗ୍ୟାସକୁ ନେଇ ଲୋକଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ଚାରି ଆଡ଼େ ଗ୍ୟାସ ଏଜେନ୍ସି ବାହାରେ ଗ୍ରାହକଙ୍କ ଲମ୍ବା ଗହଳି ଲାଗି ରହିଛି । ଗ୍ରାହକଙ୍କୁ ଠିକ ସମୟରେ ରନ୍ଧନ ଗ୍ୟାସ ନ ମିଳିବା ଯୋଗୁ ଏଲପିଜି ସିଲିଣ୍ଡରର କଳାବଜାର ବଢିଯାଇଛି । ଏଭଳି ପରିସ୍ଥିତିର ଲାଭ ଉଠାଉଛନ୍ତି ମହଜୁଦକାରୀ ଓ ମୁନାଫୋଖୋର ବ୍ୟବସାୟୀ। ବିଶେଷ କରି ଏଲପିଜି ସିଲିଣ୍ଡରର ଅଭାବ ଯୋଗୁ ବିଭିନ୍ନ ସମସ୍ୟା ଉପୁଜିଛି। ନୂଆ ସିଲିଣ୍ଡରଟିଏ ବୁକିଂ କରିବାକୁ ଗ୍ରାହକ ନାକେଦମ ହୋଇ ପଡୁଛନ୍ତି । କାରଣ ଅଧିକାଂଶ ସ୍ଥାନରେ ନୂଆ ଏଲପିଜି ସିଲିଣ୍ଡର ବୁକିଂ ହୋଇପାରୁନାହିଁ । ଏଣୁ ଏହାର ସମାଧାନ କରି ସମସ୍ତ ଗୃହିଣୀ ଓ ଉପଭୋକ୍ତାମାନଙ୍କୁ ସଠିକ ଦରରେ ସୁବିଧା ଉପାୟରେ ରନ୍ଧନ ଗ୍ୟାସ ଯୋଗାଇ ଦେବା ପାଇଁ ଜିଲା କଂଗ୍ରେସ କମିଟି ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଛି । ନଚେତ୍‌ ଆଗାମୀ ଦିନରେ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ଜିଲା କଂଗ୍ରେସ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି।

ଅନ୍ୟ ପକ୍ଷରେ ୨୦୧୪ ମସିହା ପୂର୍ବରୁ ମନମୋହନ ସିଂଙ୍କ ସରକାର ସମୟରେ ଘରୋଇ ସିଲିଣ୍ଡର ପିଛା ୪୧୦ ଟଙ୍କା ରହିଥିବା ବେଳେ ଏବେ ଏହା ୧୦୦୦ ଟଙ୍କାରେ ପହଞ୍ଚିଲାଣି । ମୋଦୀଙ୍କ ଆଚ୍ଛା ଦିନ ସ୍ବପ୍ନର ବାସ୍ତବତା କିପରି ବିକୃତ ତାକୁ ଆଜି ଦେଶର ସାଧାରଣ ଜନତା ଅନୁଭବ କରୁଛନ୍ତି । ଏହି ମହଙ୍ଗା ମାଡ଼ ସିଧାସଳଖ ହାଣ୍ଡିଶାଳରେ ପଡ଼ିଛି। ଏଣୁ ହାଣ୍ଡିଶାଳରୁ ବିପ୍ଲବର ସ୍ବର ପ୍ରକଟିତ ହେବାର ସମୟ ଆସିଛି ବୋଲି ଜିଲା ନେତୃତ୍ୱ ବୃନ୍ଦମାନେ କହିଥିଲେ। ଏହି ବିକ୍ଷୋଭ ପ୍ରଦର୍ଶନରେ ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ଜିଲା ଉପସଭାପତି ଅଶୋକ କୁମାର ପଟ୍ଟନାୟକ ଓ ବୃନ୍ଦାବନ ଖଟେଇ, ଜିଲା ସାଧାରଣ ସମ୍ପାଦିକା ସୁଜ୍ଞାନୀ ପଟ୍ଟନାୟକ, ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଦାଶ, ଛତ୍ରପୁର ବ୍ଲକ କଂଗ୍ରେସ ସଭାପତି ସୁଦାମ ପୁରୋହିତ, ପୂର୍ବତନ ଟାଉନ ସଭାପତି କାଳିଆ ରାଉଳ, ଯୋଗୀ ବେହେରା, ଚକ୍ରଧର ବେହେରାଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share