କଟକ,୭।୧୦: ଶେଷରେ କଟକରୁ କର୍ଫ୍ୟୁ କଟକଣା ପ୍ରତ୍ୟାହାର କରାଯାଇଛି। ଏନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି। ପରିସ୍ଥିତି ଉପରେ ନଜର ରଖାଯାଇଛି। ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପୋଲିସ ମୁତୟନ କରାଯାଇଛି। କର୍ଫ୍ୟୁ ସମୟରେ କୌଣସି ବିଶୃଙ୍ଖଳା ଘଟିନାହିଁ। ପରିସ୍ଥିତି ଦେଖି ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ ବୋଲି ପୋଲିସ କମିଶନର କହିଛନ୍ତି।
କଟକ ଦୁର୍ଗା ପୂଜା ଭସାଣି ସମୟରେ ସୃଷ୍ଟ ବିବାଦ ରବିବାର ଉଗ୍ରରୂପ ଧାରଣ କରିବା ପରେ ସହରର ୧୩ଟି ଥାନା ଅଞ୍ଚଳରେ ୩୬ଘଣ୍ଟିଆ କର୍ଫ୍ୟୁ ଲାଗୁ କରାଯାଇଛଥିଲା।ସୋମବାର ସମ୍ପୂର୍ଣ୍ଣ ସହର ପୋଲିସ ଛାଉଣି ଭିତରେ ରହିଥିଲା। କର୍ଫ୍ୟୁ ଲାଗୁ ଫଳରେ କେବଳ ଜରୁରୀ ସେବା ବ୍ୟତୀତ ଦୋକାନବଜାର, ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା। ରାସ୍ତାଘାଟ ଶୂନଶାନ ହୋଇଯାଇଥିଲା। ୧୦୦ ପ୍ଲାଟୁନ୍ ଫୋର୍ସ ସହରର ବିଭିନ୍ନ ସ୍ଥାନରେ ପଇଁତରା ମାରିବା ସହ ଲୋକମାନଙ୍କୁ ଘର ଭିତରେ ସୁରକ୍ଷିତଭାବେ ରହିବାକୁ ପରାମର୍ଶ ଦେଇଥିଲେ। ସହରରେ ଉତ୍ତେଜନା ଏବଂ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗରେ ୮ଜଣଙ୍କୁ ଗିରଫ କରାଯାଇଛି। ସେପଟେ ସ୍ଥିତିକୁ ଦେଖି ରବିବାର ରାତିରୁ ୨୪ ଘଣ୍ଟା ପାଇଁ ଲାଗିଥିବା ଇଣ୍ଟରନେଟ ଏବଂ ସୋସିଆଲ୍ ମିଡିଆ କଟକଣାକୁ ଆଉ ୨୪ ଘଣ୍ଟା ଅର୍ଥାତ ମଙ୍ଗଳବାର ରାତି ୭ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସିଏମ୍ସି, ସିଡିଏ, ବୟାଳିଶ ମୌଜାରେ ହ୍ବାଟ୍ସ ଆପ୍, ଫେସବୁକ୍,
ଏକ୍ସ, ସ୍ନାପ୍ଚାଟ୍, ଇନ୍ଷ୍ଟାଗ୍ରାମ୍ ସେବା ବନ୍ଦ ରହିବ। ଦରଘାବଜାରଠାରେ ରବିବାର ଘଟିଥିବା ଗଣ୍ଡଗୋଳ ଘଟଣାରେ ପୋଲିସ ୩ଟି ମାମଲା ରୁଜୁ କରିଛି। ଏଥିସହ ସିସିଟିଭି ଫୁଟେଜ ଯାଞ୍ଚ କରି ଗଣ୍ଡଗୋଳରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ପୋଲିସ ନେଇଛି। ଅଦ୍ୟାବଧି ୮ ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି।
Dharitri is Odisha’s No.1 most trusted Odia daily


