କପ୍‌୨୮: ୟୁଏଇ ଆୟୋଜକ

ଅଗ୍ରଣୀ ତୈଳ ଉତ୍ପାଦନକାରୀ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଚଳିତ ବର୍ଷ କପ୍‌୨୮ର ଆୟୋଜନ କରୁଛି। ଦୁବାଇରେ ଗୁରୁବାର ଆରମ୍ଭ ହେବାକୁ ଥିବା ବୈଶ୍ୱିକ ଜଳବାୟୁ ସମ୍ମିଳନୀରେ ବିଶ୍ୱର ବିଭିନ୍ନ ଭାଗରୁ ଲକ୍ଷାଧିକ ଲୋକ ସାମିଲ ହେବେ। ବିଶ୍ୱ ନିଜ ଜଳବାୟୁ ଲକ୍ଷ୍ୟରୁ ବହୁ ଦୂରରେ ରହିଥିବା ନେଇ ବିଶିଷ୍ଟ ବୈଜ୍ଞାନିକମାନେ ସତର୍କ କରାଇଥିବାବେଳେ ଏହି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି।

ଓ୍ବାଶିଂଟନ୍‌,୨୯ା୧୧: କପ୍‌ କ’ଣ: କପ୍‌ ହେଉଛି ‘କନ୍‌ଫରେନ୍ସ ଅଫ୍‌ ଦି ପାର୍ଟିଜ୍‌’। ଏଠାରେ ପାର୍ଟିଜ୍‌ କହିଲେ ୧୯୯୨ରେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ୟୁନାଇଟେଡ୍‌ ନେସନ୍ସ ଫ୍ରେମ୍‌ଓ୍ବାର୍କ କନ୍‌ଭେନ୍ସନ ଉପରେ ସହମତି ପ୍ରକାଶ କରିଥିବା ପ୍ରାୟ ୨୦୦ ଦେଶକୁ ବୁଝାଏ। ୧୯୯୫ରୁ ପ୍ରତିବର୍ଷ ଏହି ରାଷ୍ଟ୍ରଗୁଡ଼ିକର କୂଟନୀତିଜ୍ଞମାନେ ବୈଠକ କରିଆସୁଛନ୍ତି। ଚଳିତବର୍ଷ ହେବାକୁ ଥିବା ୨୮ତମ ସମ୍ମିଳନୀକୁ କପ୍‌୨୮ କୁହାଯାଉଛି।
କେବେ, କେଉଁଠି ହେବ
ଏହି ସମ୍ମିଳନୀ ନଭେମ୍ବର ୩୦ରୁ ଡିସେମ୍ବର ୧୨ ପର୍ଯ୍ୟନ୍ତ ଚାଲିବା ନେଇ ଘୋଷଣା କରାଯାଇଛି। କିନ୍ତୁ ମଧ୍ୟସ୍ଥମାନେ ଅମୀମାଂସିତ ପ୍ରସଙ୍ଗଗୁଡ଼ିକ ଉପରେ ମୂଲଚାଲ ଜାରି ରଖିବା ଫଳରେ ଜଳବାୟୁ ଆଲୋଚନା ପ୍ରାୟତଃ ନିର୍ଦ୍ଧାରିତ ତାରିଖ ପରେ ମଧ୍ୟ ଦିନେ ଦୁଇଦିନ ଲମ୍ବିଥାଏ। ଏକ୍ସପୋ ସିଟି ଦୁବାଇରେ କପ୍‌୨୮ ସମ୍ମିଳନୀ ହେବ, ଯାହାକୁ ୟୁଏଇ ଏକ ଭବିଷ୍ୟବାଦୀ ଅତ୍ୟାଧୁନିକ ‘ମିନି ସିଟି’ ରୂପେ ଗଢ଼ିତୋଳିଛି। କେନ୍ଦ୍ରୀୟ ଦୁବାଇର ଦକ୍ଷିଣ ପଶ୍ଚିମରେ ଅବସ୍ଥିତ ଜଳବାୟୁ ବିରୋଧାଭାସପୂର୍ଣ୍ଣ ଏକ୍ସପୋ ସିଟିରେ ଅନେକ ଆକର୍ଷଣୀୟ ସୁବିଧା ଉପଲବ୍ଧ।
କେଉଁମାନେ ଯୋଗଦେବେ
ସମ୍ମିଳନୀରେ ବିଭିନ୍ନ ପ୍ରକାର ଜଳବାୟୁ ଟ୍ରାକ୍‌ ରେକର୍ଡ ଥିବା ଅନେକ ବିଶ୍ୱନେତା ଯୋଗଦେବା କାର୍ଯ୍ୟକ୍ରମ ରହିଛି। ସେମାନଙ୍କ ମଧ୍ୟେରେ ଆମାଜନ୍‌ ଚିରହରିତ ଅରଣ୍ୟର ଜଙ୍ଗଲ କଟାକୁ ବନ୍ଦ କରିବା ପାଇଁ ପଣ କରିଥିବା ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଡା ସିଲ୍‌ଭା ଏବଂ ନିକଟରେ ନିଜ ଦେଶର ବ୍ୟୟବହୁଳ ଜଳବାୟୁ ଲକ୍ଷ୍ୟକୁ ବିଳମ୍ବିତ କରିଥିବା ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ ରହିଛନ୍ତି। ‘ଆମେ ବସବାସ କରୁଥିବା ପୃଥିବୀ ଧ୍ୱଂସାଭିମୁଖୀ’ ବୋଲି ଚେତାଇଦେଇଥିବା ପୋପ୍‌ ଫ୍ରାନ୍ସିସ୍‌ ଏଥିରେ ଯୋଗଦେବା ସୂଚନା ଦେଇଛନ୍ତି। ବ୍ରିଟେନ୍‌ର କିଙ୍ଗ୍‌ ଚାଲର୍‌ସ ୩ୟ ମଧ୍ୟ ସମ୍ମିଳନୀରେ ସାମିଲ ହେବେ। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ସ୍ଥାନରେ ଉପପ୍ରଧାନମନ୍ତ୍ରୀ ଡିଙ୍ଗ୍‌ ଶୁଏଶିଆଙ୍ଗ୍‌ ଏବଂ କ୍ଲାଇମେଟ୍‌ ନେଗୋସିଏଟର ଶିଏ ଝେନ୍‌ହୁଆ ଯୋଗଦେଇପାରନ୍ତି। ୟୁକ୍ରେନ୍‌ ସହ ଯୁଦ୍ଧରତ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ମଧ୍ୟ ଆସି ନ ପାରନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଥିବାରୁ ଦୁବାଇ ଗସ୍ତ କରି ନ ପାରନ୍ତି ବୋଲି ହ୍ବାଇଟ୍‌ ହାଉସ୍‌ କହିଛି।
ମୁଖ୍ୟ କାର୍ଯ୍ୟସୂଚୀ
କପ୍‌୨୮ର ମୁଖ୍ୟ କାର୍ଯ୍ୟସୂଚୀ ହେଉଛି ‘ଗ୍ଲୋବାଲ୍‌ ଷ୍ଟକ୍‌ଟେକ୍‌’, ଯାହାକି ପ୍ୟାରିସ୍‌ ଚୁକ୍ତିର ଲକ୍ଷ୍ୟ ହାସଲ ଦିଗରେ ଅଗ୍ରଗତି ସମ୍ପର୍କିତ ଏକ ସମୀକ୍ଷା। ପ୍ରତି ୫ ବର୍ଷରେ ଏପରି ପୁନଃ ମୂଲ୍ୟାଙ୍କନ ହୋଇଥାଏ। ବର୍ତ୍ତମାନ ସୁଦ୍ଧା ଅନୁଷ୍ଠିତ ଷ୍ଟକ୍‌ଟେକ୍‌ରେ ପ୍ରତି ଥର କୂଟନୀତିଜ୍ଞମାନେ ଯେଉଁ ଗୋଟିଏ ନିଷ୍କର୍ଷ ବାହାର କରିଆସିଛନ୍ତି, ତାହା ହେଲା ପୃଥିବୀ ପଥଚ୍ୟୁତ ହୋଇଯାଇଛି। ଏଜେଣ୍ଡାର ସବୁଠୁ କଠିନ ବିଷୟ ହେଉଛି, ଗରିବ ଦେଶଗୁଡ଼ିକୁ କ୍ଷତିପୂରଣ ଦେବା ପାଇଁ ଏକ ନୂଆ ପାଣ୍ଠି ଉପରେ ମୂଲଚାଲ। ଗତବର୍ଷ ଇଜିପ୍ଟର ଶାର୍ମ ଏଲ୍‌-ଶେଖ୍‌ ସମିଟ୍‌ରେ ଜାତିସଂଘର ପରାମର୍ଶକ୍ରମେ ଧନୀ ଦେଶଗୁଡ଼ିକ ଏହି ପାଣ୍ଠି ପ୍ରତିଷ୍ଠା ନିମନ୍ତେ ଚୁକ୍ତିବଦ୍ଧ ହୋଇଥିଲେ। କିନ୍ତୁ ପାଣ୍ଠିକୁ କେଉଁ ରାଷ୍ଟ୍ର କେତେ ଅର୍ଥ ପଇଠ କରିବ ତା’ ଉପରେ ଅଦ୍ୟାବଧି ସହମତି ହୋଇପାରି ନାହିଁ। ଅନୁରୂପ ଭାବେ କପ୍‌୨୮ ଚୂଡ଼ାନ୍ତ ଡିଲ୍‌ରେ ଜୀବାଶ୍ମ ଇନ୍ଧନ (ବିଶ୍ୱତାପନର ମୁଖ୍ୟ କାରକ)ର ବ୍ୟବହାର ପର୍ଯ୍ୟାୟକ୍ରମେ ବନ୍ଦ କରିବା ନେଇ ଆଲୋଚକଙ୍କ ମଧ୍ୟରେ ମତଭେଦ ଦେଖାଦେଇପାରେ। ଅନେକ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ଫସିଲ ଫୁଏଲ୍‌ର ଫେଜ୍‌ଆଉଟ୍‌ ସମ୍ପର୍କିତ ଶବ୍ଦର ବ୍ୟବହାର ଉପରେ ଆପତ୍ତି ଉଠାଇପାରନ୍ତି। ପ୍ରଦୂଷକରୁ ଅଙ୍ଗାରକାମ୍ଳ ଶୋଷଣ କରି ଭୂତଳରେ ଏହାକୁ ଗଚ୍ଛିତ ରଖୁଥିବା କାର୍ବନ-କ୍ୟାପ୍ଚର ଟେକ୍ନୋଲୋଜିର ଗୁରୁତ୍ୱକୁ ନେଇ ସହମତି ପ୍ରକାଶ ପାଇ ନ ପାରେ। ଅନେକ ଆକ୍ଟିଭିଷ୍ଟ ଏହି ଟେକ୍ନୋଲୋଜିକୁ ଏକ ମିଥ୍ୟା ଜଳବାୟୁ ସମାଧାନ ମନେକରିଥାଆନ୍ତି।
ଆୟୋଜକ ଏକ ତୈଳ ରାଷ୍ଟ୍ର
ଜାତିସଂଘ ପ୍ରତିବର୍ଷ ଏହି ସମ୍ମିଳନୀ ପାଳିକରି ଆଫ୍ରିକା, ଏସିଆ-ପାସିଫିକ୍‌, ପୂର୍ବ ୟୁରୋପ, ଲାଟିନ୍‌ ଆମେରିକା ଓ କାରିବିଆନ୍‌ ଏବଂ ପଶ୍ଚିମ ୟୁରୋପରେ ଆୟୋଜନ କରାଇଥାଏ। ଚଳିତବର୍ଷ ଏସିଆ-ପାସିଫିକ୍‌ ଗ୍ରୁପ୍‌ ଭାଗରେ ପଡ଼ିଥିବା ଆୟୋଜନ ପାଇଁ ୨୦୨୧ ମେ’ରେ ୟୁଏଇର ଉଦ୍ୟମକୁ ସମର୍ଥନ ମିଳିଥିଲା। ୟୁଏଇର ନବୀକରଣୀୟ ଶକ୍ତି ବିଭାଗ ମୁଖ୍ୟ ତଥା ଆବୁଧାବି ନ୍ୟାଶନାଲ ଅଏଲ୍‌ କୋ. ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଲ୍‌ତାନ ଅଲ୍‌ ଜାବେର ଏଥର ସମ୍ମିଳନୀରେ ଅଧ୍ୟକ୍ଷତା କରିବେ।
ଆୟୋଜକ ରାଷ୍ଟ୍ରର ମହତ୍ତ୍ୱ
ସମସ୍ତ ପ୍ରତିନିଧିଙ୍କ ମଧ୍ୟରେ ସମନ୍ବୟ ରଖି ଏକ ‘କଭର ଡିସିଜନ୍‌’ ବା ପ୍ରାୟ ୨୦୦ ରାଷ୍ଟ୍ର ମଧ୍ୟରେ ପ୍ରକାଶ ପାଇଥିବା ସହମତିକୁ ସୂଚନାଉଥିବା ରାଜନୈତିକ ଦସ୍ତାବିଜ ପ୍ରସ୍ତୁତିରେ ଆୟୋଜକ ଦେଶ ବଡ଼ ଭୂମିକା ନେଇଥାଏ। ପୂର୍ବ ସମ୍ମିଳନୀଗୁଡ଼ିକରେ ଆୟୋଜକ ରାଷ୍ଟ୍ରଗୁଡ଼ିକ ନେଗୋସିଏଶନ୍‌ ପ୍ରସ୍ତୁତି, ବିଶ୍ୱନେତାଙ୍କ ସହ ସାକ୍ଷାତ ଏବଂ ମତଭେଦ ଦୂର କରିବାରେ ଅନୂ୍ୟନ ବର୍ଷେ ବିତାଇଦେଇଥିଲେ।
କିଏ କରିବ କପ୍‌୨୯
ଜାତିସଂଘ ପ୍ରାୟତଃ ପରବର୍ତ୍ତୀ ବର୍ଷର ଆୟୋଜକ ରାଷ୍ଟ୍ରକୁ ଆଗୁଆ ଚୟନ କରିଥାଏ, ଯଦ୍ଦ୍ବାରା ସମ୍ପୃକ୍ତ ଦେଶ ଲକ୍ଷାଧିକ ପ୍ରତିନିଧିଙ୍କ ଆଗମନକୁ ଦୃଷ୍ଟିରେ ରଖି ସବୁ ବ୍ୟବସ୍ଥା କରିବାରେ ସକ୍ଷମ ହୋଇଥାଏ। ୟୁଏଇକୁ ୨୦୨୧ରେ ବଛାଯିବା ଏହାର ଉଦାହରଣ। କିନ୍ତୁ ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ଭୂରାଜନୈତିକ ଉତ୍ତେଜନା ଲାଗିରହିଥିବାରୁ ଜାତିସଂଘ ଆସନ୍ତା ବର୍ଷର କପ୍‌୨୯ ଆୟୋଜକ ରାଷ୍ଟ୍ରକୁ ଏଯାଏ ମନୋନୀତ କରିନାହିଁ। ୨୦୨୪ରେ ପୂର୍ବ ୟୁରୋପ ଭାଗରେ ଆୟୋଜନ ପଡ଼ୁଥିଲେ ହେଁ ରୁଷିଆର କଡ଼ା ବିରୋଧ ଏବଂ ଆଜରବୈଜାନ୍‌ ଓ ଆର୍ମେନିଆ ପରସ୍ପରର ଉଦ୍ୟମରେ ବାଧା ଦେବା ଏହାର ଅନ୍ୟତମ କାରଣ। ଅର୍ଥାତ୍‌ ପୃଥିବୀକୁ ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ ପରବର୍ତ୍ତୀ ବୈଶ୍ୱିକ ସମ୍ମିଳନୀ ବର୍ତ୍ତମାନ ନେତୃତ୍ୱବିହୀନ।
ପୂର୍ବ କପ୍‌ଗୁଡ଼ିକର ନିଷ୍କର୍ଷ
ଜାପାନରେ ଅନୁଷ୍ଠିତ ୧୯୯୭ କପ୍‌ରେ କ୍ୟୋଟୋ ପ୍ରୋଟୋକଲ ଉପରେ ସହମତି ପ୍ରକାଶ ପାଇଥିଲା। ଏହା ପ୍ରଥମ ଥର ପାଇଁ ଉତ୍ସର୍ଜନ ହ୍ରାସ କରିବାକୁ ଧନୀ ରାଷ୍ଟ୍ରଗୁଡ଼ିକର ଆଇନଗତ ଉତ୍ତରଦାୟିତ୍ୱକୁ ରେଖାଙ୍କିତ କରିଥିଲା। ଫ୍ରାନ୍ସରେ ଆୟୋଜିତ ୨୦୧୫ କପ୍‌ର ପରିଣାମ ସ୍ବରୂପ ପ୍ୟାରିସ୍‌ ଜଳବାୟୁ ଚୁକ୍ତି ହୋଇଥିଲା। ଏହି ରାଜିନାମା ଅନୁସାରେ ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ (୨.୭ ଡିଗ୍ରୀ ଫାରେନ୍‌ହିଟ୍‌) ଭିତରେ ସୀମିତ ରଖିବାକୁ ସହମତି ପ୍ରକାଶ ପାଇଥିଲା। ୨୦୨୧ରେ ସ୍ପଟ୍‌ଲାଣ୍ଡ୍‌ ସମ୍ମିଳନୀରେ ଅଙ୍ଗାରକାମ୍ଳ ଉତ୍ସର୍ଜନକୁ ଆହୁରି ହ୍ରାସ ପାଇଁ ରାଷ୍ଟ୍ରଗୁଡ଼ିକ ରାଜି ହୋଇଥିଲେ। ତେବେ ବୃହତ୍‌ ଅର୍ଥନୀତିଗୁଡ଼ିକ ଗତ ୨ ବର୍ଷ ଭିତରେ ନିଜ ଟାର୍ଗେଟ ପୂରଣ ଦିଗରେ ଉଦ୍ୟମ କରି ନ ଥିବା ଦର୍ଶାଇ ଗ୍ଲାସ୍‌ଗୋ ସମିଟ୍‌ର ନିଷ୍କର୍ଷକୁ ଆକ୍ଟିଭିଷ୍ଟମାନେ ମିଥ୍ୟା ପ୍ରତିଶ୍ରୁତି ରୂପେ ଅଭିହିତ କରିଥାଆନ୍ତି। ଗତବର୍ଷ ଇଜିପ୍ଟରେ ଅନୁଷ୍ଠିତ କପ୍‌ରେ ଶେଷ ମୁହୂର୍ତ୍ତରେ ହୋଇଥିବା ‘ଲସ୍‌ ଆଣ୍ଡ୍‌ ଡେମେଜ୍‌’ ଫଣ୍ଡ୍‌ ଚୁକ୍ତିନାମା ଏହି ସମ୍ମିଳନୀର ସମ୍ମାନ ରକ୍ଷା କରିଥିଲା।
ବିଫଳତା ସତ୍ତ୍ୱେ କାହିଁକି କରାଯାଉଛି
କପ୍‌ ସମର୍ଥକଙ୍କ ମତରେ ଏହି ସମ୍ମିଳନୀଗୁଡ଼ିକ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା ପାଇଁ ବିଶ୍ୱନେତାଙ୍କୁ ଏକତ୍ରିତ କରିବା ସକାଶେ ପୃଥିବୀର ସବୁଠୁ ବଡ଼ ବାର୍ଷିକ ସୁଯୋଗ ହୋଇ ରହିଆସିଛି। ସେମାନେ ସବୁଜଗୃହ ଉତ୍ସର୍ଜନକୁ ରୋକିବା ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁ ସର୍ବାଧିକ ପ୍ରଭାବିତ ବିଶେଷକରି ଗ୍ଲୋବାଲ ସାଉଥ୍‌ ଅନ୍ତର୍ଗତ ରାଷ୍ଟ୍ରଗୁଡ଼ିକର ସୁରକ୍ଷା ଦିଗରେ ଏହି ବୈଠକଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ମନେକରନ୍ତି।
ସମାଲୋଚକଙ୍କ ମତରେ ୧୯୯୫ରେ କପ୍‌ ଆରମ୍ଭ ହେବା ପରଠୁ ପୃଥିବୀ ବାୟୁମଣ୍ଡଳରେ ଗ୍ରୀନ୍‌ ହାଉସ୍‌ ଏମିଶନ ବଢ଼ିବାରେ ଲାଗିଛି। ୨୦୨୨ରେ ସବୁଜଗୃହ ବାଷ୍ପ ସ୍ତର ପୂର୍ବର ସବୁ ରେକର୍ଡ ଭାଙ୍ଗି ଦେଇଥିଲା ବୋଲି ନିକଟରେ ବିଶ୍ୱ ପାଣିପାଗ ସଙ୍ଗଠନ (ଡବ୍ଲ୍ୟୁଏମ୍‌ଓ) ପକ୍ଷରୁ କୁହାଯାଇଛି। ସମ୍ମିଳନୀଗୁଡ଼ିକୁ ଯୋଗଦେଉଥିବା ଲବିଷ୍ଟ ଓ ପ୍ରତିନିଧିମାନେ ପ୍ରଭାବିତ କରିଥାଆନ୍ତି। ଏହା ସତ୍ତ୍ୱେ ପ୍ୟାରିସ୍‌ ସମ୍ମିଳନୀରେ ଗୃହୀତ ସଂକଳ୍ପନାମାରେ ଆଖିଦୃଶିଆ ଅଗ୍ରଗତି ହୋଇଥିବା କେତେକେ ମତ ଦେଇଥାନ୍ତି। ଉକ୍ତ ରାଜିନାମା ସ୍ବାକ୍ଷରିତ ହେବା ପୂର୍ବରୁ ୨୦୧୪ରେ ବିଶ୍ୱ ତାପମାତ୍ରା ଶତାବ୍ଦୀର ଶେଷ ସୁଦ୍ଧା ପ୍ରାୟ ୪ ଡିଗ୍ରୀ ସେଲସିୟସ୍‌ (୭.୨ ଡିଗ୍ରୀ ଫାରେନ୍‌ହିଟ୍‌) ପର୍ଯ୍ୟନ୍ତ ବୃଦ୍ଧି ବଡ଼ ବିପତ୍ତି ହେବାକୁ ବସିଥିଲା। ଆଜି ଦେଶଗୁଡ଼ିକର ଜଳବାୟୁ ସମ୍ପର୍କିତ ଦୃଢ଼ ସଂକଳ୍ପ ୨୧୦୦ ସୁଦ୍ଧା ଏହି ତାପମାତ୍ରାକୁ ୨.୫ ଡିଗ୍ରୀ ସେଲ୍‌ସିୟସ୍‌ (୪.୫ ଡିଗ୍ରୀ ଫାରେନ୍‌ହିଟ୍‌) ଭିତରେ ସୀମିତ ରଖିବାରେ ସହାୟକ ହେବ ବୋଲି ଗତ ସପ୍ତାହରେ ଜାତିସଂଘ ପକ୍ଷରୁ କୁହାଯାଇଛି।
(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର)
ସୌଜନ୍ୟ: ଓ୍ବାଶିଂଟନ୍‌ ପୋଷ୍ଟ


Enter your email to get our daily news in your inbox.

All Right Reserved By Dharitri.Com

ମାଟିରେ ପ୍ଲାଷ୍ଟିକ୍‌ ପୋତିହୋଇ ଜଳଧାରଣ ହ୍ରାସ

ପଟ୍ଟାମୁଣ୍ଡାଇ,୧ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସହର ସାରା କୁଢ଼ କୁଢ଼ ପ୍ଲାଷ୍ଟିକ ଅଳିଆ ଓ ଆବର୍ଜନା…

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

‘ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ସରକାର ସଂକଳ୍ପବଦ୍ଧ’

ସାକ୍ଷୀଗୋପାଳ,୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି। ଏହି…

‘ଆପଣ ଦ୍ବିତୀୟ ଥର ଧୋକା ଦେଇପାରିବେନି’…ଟ୍ରମ୍ପଙ୍କୁ ଗାଳି କରି ହାତ ଛାଡିଦେଲା ସ୍ପେନ

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ କରି ଆମେରିକା ସାହାଯ୍ୟ ପାଇଁ ୟୁରୋପକୁ ଚାହିଁ ରହିଛି । ତଥାପି, ଏହି ଅଞ୍ଚଳର ଚାରିଟି ରାଷ୍ଟ୍ର ସ୍ପଷ୍ଟ ଭାବରେ ସ୍ପଷ୍ଟ କରିଛନ୍ତି…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ ପରେ…

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ମୁଖ୍ୟ ବଜାରସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri