କେବଳ ସ୍ବାଦ ନୁହେଁ, ଧନସମ୍ପତ୍ତି ବୃଦ୍ଧି କରିଥାଏ ରୋଷେଇ ଘରେ ଥିବା ଏହି ମସଲା; ଜାଣନ୍ତୁ କ’ଣ କୁହେ ବାସ୍ତୁ…

କୁହାଯାଏ, ଘରର ବାସ୍ତୁ ଠିକ୍‌ ନ ଥିଲେ ବ୍ୟକ୍ତିଟିଏ ଉନ୍ନତି କରିପାରେନା। ବାସ୍ତୁ ଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ରରେ ସୌଭାଗ୍ୟ ପ୍ରାପ୍ତ କରିବା ଲାଗି ମସଲାମାନଙ୍କର ଭିନ୍ନ ପ୍ରୟୋଗ ବିଷୟରେ ଉଲ୍ଲେଖ କରାଯାଇଛି। ଆଜି ଆମେ ରୋଷେଇଘରେ ସହଜରେ ଉପଲବ୍ଧ ହେଉଥିବା ମସଲା ଜିରା ବିଷୟରେ କଥା ହେବା। ଏହାର ଉପଯୋଗ କରି ପରିବାରରେ ସୁଖ ସମୃଦ୍ଧି ଫେରି ଆସିବାର ମାନ୍ୟତା ରହିଛି। ଆସନ୍ତୁ ଜାଣିବା କିଭଳି:

ବାସ୍ତୁ ଶାସ୍ତ୍ରରେ ଜିରାର ସମ୍ବନ୍ଧ ରାହୁ-କେତୁ ଗ୍ରହ ସହ କରାଯାଏ। ଏହି ଗ୍ରହ ଖରାପ ରହିଲେ ବ୍ୟକ୍ତିର ଜୀବନରେ ବହୁତ ଦୁଃଖ ଆସିଥାଏ। ଏଣୁ ଯେଉଁ ବ୍ୟକ୍ତିଙ୍କ ରାହୁ-କେତୁ ଭଳି ଦଶା ଚାଲିଛି ସେମାନେ ଶନିବାର ଏହି ଜୀରା ଦାନ କରନ୍ତୁ।

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ସୁଖସମୃଦ୍ଧି ପ୍ରାପ୍ତି ପାଇଁ ଶୁକ୍ରବାର ମା’ ଲକ୍ଷ୍ମୀଙ୍କ ଫଟୋ ଆଗରେ ଲାଲ କପଡ଼ା ରଖି ସେଥିରେ ମୁଠାଏ ଜିରା ରଖନ୍ତୁ। ତା ସହ କିଛି ଟଙ୍କା ରଖିଦିଅନ୍ତୁ। ପରେ ଲକ୍ଷ୍ମୀଙ୍କ ପୂଜା କରିସାରିବା ପରେ ଜିରା ଏବଂ ଟଙ୍କାକୁ ଗୁଡ଼ାଇ ଆପଣ ଟଙ୍କାପଇସା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଏଭଳି କରିବା ଦ୍ୱାରା ଲକ୍ଷ୍ମୀଙ୍କ କୃପା ମିଳିଥାଏ ବୋଲି ମାନ୍ୟତା ରହିଛି।

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ଥିବା ନକରାତ୍ମକ ଉର୍ଜା ଦୂର କରିବା ଲାଗି ଜିରାର କିଛି ଦାନା ହାତରେ ଧରି ନିଜ ଚାରିପଟେ ବୁଲାଇ ନିଆଁରେ ପକାଇ ଦିଅନ୍ତୁ। ଏଭଳି କରିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇବ ବୋଲି ମାନ୍ୟତା ରହିଛି।

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଗୁରୁବାର ଦିନ ସକାଳେ ଜିରା ଖାଇ ଘରୁ ବାହାରିଲେ ଯେକୌଣସି କାମରେ ସଫଳତା ମିଳିଥାଏ। ଏପରିକି ଜିରା ଖାଇଲେ ଦୈନିକ ଜୀବନରେ ଶାନ୍ତି ଏବଂ ସମୃଦ୍ଧି ମିଳିଥାଏ। ଏପରିକି ମଙ୍ଗଳବାର ଦହି ସହ ଜିରା ଖାଇବାକୁ ବହୁତ ଶୁଭ ବୋଲି କୁହାଯାଇଥାଏ।